fbpx

ଶୀତକାଳୀନ ଅଧିବେଶନରେ ଉପସ୍ଥାପନ ହେବ କ୍ରିପ୍ଟୋ କରେନ୍ସି ବିଲ୍, ଲାଗିପାରେ ଲଗାମ୍

ନୂଆଦିଲ୍ଲୀ : ନଭେମ୍ବର ୨୯ରୁ ଆରମ୍ଭ ହେବାକୁ ଯାଉଛି ଶୀତକାଳୀନ ଅଧିବେଶନ। ଏହି ଅଧି ବେଶନରେ କେନ୍ଦ୍ର ସରକାର ‘ଦ କ୍ରିପ୍ଟୋ କରେନ୍ସି ଆଣ୍ଡ ରେଗୁଲେସନ ଅଫ ଅଫିସିଆଲ ଡିଜିଟାଲ କରେନ୍ସି ବିଲ୍’ ୨୦୨୧ ଉପସ୍ଥାପନ କରିବେ। ବିଲ୍ ଜରିଆରେ ଆରବିଆଇ ପକ୍ଷରୁ ଆନୁଷ୍ଠାନିକ ଡିଜିଟାଲ ମୁଦ୍ରାର ନିର୍ମାଣ ପାଇଁ ଏକ ସୁବିଧାଜନକ ଢାଞ୍ଚା ପ୍ରସ୍ତୁତ କରାଯିବ। ଏହା ଜରିଆରେ ଭାରତରେ ସମସ୍ତ ପ୍ରକାରର ଘରୋଇ କ୍ରିପ୍ଟୋ କରେନ୍ସି ଉପରେ ପ୍ରତିବନ୍ଧ ଲଗାଯାଇ ପାରିବ। ସଂସଦର ଶୀତକାଳୀନ ଅଧିବେଶନ ପାଇଁ ମୋଟ୍ ୨୬ ବିଧେୟକ ସୂଚୀ ବଦ୍ଧ କରାଯାଇଛି। ଏଥିରେ କ୍ରିପ୍ଟୋ କରେନ୍ସି ଏବଂ ତିନି କୃଷି ଆଇନ ପ୍ରତ୍ୟାହାର ବିଧେୟକ ସାମିଲ୍।
କ୍ରିପ୍ଟୋ କରେନ୍ସିକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଚିନ୍ତା ପ୍ରକାଶ କରିଥିଲେ। ସେ କହିଥିଲେ, ସମସ୍ତ ଗଣତାନ୍ତ୍ରିକ ଦେଶକୁ ଏହା ଉପରେ ମିଶି କାମ କରିବାକୁ ପଡିବ। ଏହାର ଉଦ୍ୟମ କରିବାକୁ ପଡିବ ଯେ, ଯେମିତି ଏହି କରେନ୍ସି ଭୁଲ୍ ଲୋକଙ୍କ ହାତକୁ ନଯିବ। ଏହା ଆମ ଯୁବ ପିଢିଙ୍କୁ ବରବାଦ କରିପାରେ। ନଭେମ୍ବର ୨୯ରୁ ଆରମ୍ଭ ହେଉଥିବା ଶୀତକାଳୀନ ଅଧିବେଶନ ଡିସେମ୍ବର ୨୩ ପର୍ଯ୍ୟନ୍ତ ଚାଲିବ। କରୋନା ମହାମାରୀ କାରଣରୁ ଗତ ବର୍ଷ ଶୀତକାଳୀନ ଅଧିବେଶନ ହୋଇନଥିଲା।
ଅନ୍ୟପଟେ ରିଜର୍ଭ ବ୍ୟାଙ୍କ ମଧ୍ୟ କ୍ରିପ୍ଟୋ କରେନ୍ସିକୁ ନେଇ କଡା ଆପତ୍ତି ପ୍ରକାଶ କରିଛି। ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କ ଅନୁଯାୟୀ, କ୍ରିପ୍ଟୋ କରେନ୍ସି କେନ୍ଦ୍ରୀୟ ବ୍ୟାଙ୍କର ନିୟମ ଅନ୍ତର୍ଭୁକ୍ତ ନୁହେଁ। ତେଣୁ କୌଣସି ବିତ୍ତୀୟ ପ୍ରଣାଳୀ ପାଇଁ ଏହା ବଡ ବିପଜ୍ଜନକ ସାବ୍ୟସ୍ତ ହୋଇପାରେ। ଏହା ଉପରେ ଗମ୍ଭୀରତାର ସହ ବିଚାର କରାଯିବା ଉଚିତ୍ ବୋଲି ଶକ୍ତିକାନ୍ତ ଦାସ କହିଛନ୍ତି।

Get real time updates directly on you device, subscribe now.