fbpx

ମୁଖ୍ୟ ଶାସନ ସଚିବଙ୍କ ସୂଚନା, ୨୦୨୦-୨୧ ବଜେଟ ବ୍ୟୟବରାଦର ହେବ ପୁନଃବିଚାର

ଭୁବନେଶ୍ୱର, ୨୨ା୭(ଓଡ଼ିଶା ଭାସ୍କର): କରୋନା ମୁକାବିଲା ନେଇ ଆଜି ମନ୍ତ୍ରୀ ସ୍ତରୀୟ ବୈଠକ ହୋଇଥିଲା । ମନ୍ତ୍ରୀ ସ୍ତରୀୟ ବୈଠକ ପରେ ମୁଖ୍ୟ ଶାସନ ସଚିବ ଅସୀତ ତ୍ରପାଠୀ ଏକ ସାମ୍ବାଦିକ ସମ୍ବିଳନୀ କରିଛନ୍ତି । ସେ ସମ୍ମିଳନୀରେ କହିଛନ୍ତି ଯେ କରୋନା ପାଇଁ ରାଜ୍ୟରେ ଆର୍ଥିକ ସଙ୍କଟ ଦେଖାଦେଇଛି । ତେଣୁ ୨୦୨୦-୨୧ ବଜେଟ ବ୍ୟୟବରାଦର ପୁନଃବିଚାର କରାଯିବ । ବଜାରରୁ ଋଣ ଆଣି ନିଅଣ୍ଟିଆ ସ୍ଥିତି ଭରଣା କରାଯିବ । କାମ୍ପା ଫଣ୍ଡ ଓ ମାଇନିଂ ପେନାଲ୍ଟି ଫଣ୍ଡରୁ ଟଙ୍କା ଅଣାଯିବ । କିନ୍ତୁ ସ୍ୱାସ୍ଥ୍ୟ ବିଭାଗର ଖର୍ଚ୍ଚରେ କୌଣସି ସାଲିସ କରାଯିବ ନାହିଁ ବୋଲି ରାଜ୍ୟ ମନ୍ତ୍ରୀ ପରିଷଦ ବୈଠକରେ ନିଷ୍ପତ୍ତି ନିଆଯାଇଥିବା ଶ୍ରୀ ତ୍ରିପାଠୀ କହିଛନ୍ତି । ଗତ ବର୍ଷ ଅପେକ୍ଷା ଚଳିତବର୍ଷ ଏଯାଏଁ ୨୦ପ୍ରତିଶତ ରାଜସ୍ୱ ହ୍ରାସ ପାଇଛି । ଅତିରିକ୍ତ ବଜେଟରେ ଆବଶ୍ୟକ ପରିବର୍ତ୍ତନ କରାଯିବ ।

ଏହାସହ ସେ କହିଛନ୍ତି ଯେ କୋଭିଡ଼ ମୁକାବିଲା ପାଇଁ ରାଜ୍ୟ ସରକାର କାମ କରୁଛନ୍ତି । ୩୭ଟି କୋଭିଡ଼ ହସ୍ପିଟାଲ ପ୍ରତିଷ୍ଠା କରାଯାଇଛି । କରୋନା ପାଇଁ ୯୦ ଲ୍ୟାବ କାମ କରିବା ସହ ୧୩ହଜାର ୭୯୬ କ୍ୱାରେଣ୍ଟିନ ସେଣ୍ଟର ରହିଛି । କରୋନା ଯୋଦ୍ଧାଙ୍କ ମୃତ୍ୟୁ ହେଲେ ସମସ୍ତ ଟଙ୍କା ଦିଆଯିବ । ରାଜ୍ୟରେ ୮ଜଣ କରୋନା ଯୋଦ୍ଧାଙ୍କ ମୃତ୍ୟୁ ହୋଇଛି ।ଅବସର ଯାଏଁ ଯେଉଁ ଟଙ୍କା ମିଳିବା କଥା ଦିଆଯିବ । ଶେଷକୃତ୍ୟ ସମ୍ପନ୍ନ ପାଇଁ ୭୫୦୦ ଟଙ୍କା ସରକାର ପ୍ରଦାନ କରିବେ ।

Get real time updates directly on you device, subscribe now.