ପ୍ଲେ ଅଫର ଦୋଛକିରେ ଚେନ୍ନାଇ ସୁପର କିଙ୍ଗ୍ସ, ଧୋନୀ କହିଲେ- ସ୍କୁଲରେ ବି ଗଣିତରେ ଭଲ ନଥିଲି

ନୂଆଦିଲ୍ଲୀ: କ୍ରିକେଟ୍ ଖେଳ ବେଳେ ବେଳେ ଗଣିତର କଠିନ ପ୍ରଶ୍ନ ପରି ହୋଇଥାଏ। ଯେଉଁଠି ଗୋଟିଏ ଜୟ ଏବଂ ପରାଜୟ ପରେ ଏମିତି ସମୀକରଣ ତିଆରି ହୋଇଥାଏ ଯାହାକୁ ବୁଝିବା ବହୁତ ମୁସ୍କିଲ ହୋଇଥାଏ। ଆଇପିଏଲ ୨୦୨୨ରେ ମଧ୍ୟ ପ୍ଲେ ଅଫକୁ ନେଇ ଏମିତି କିଛି ସମୀକରଣ ତିଆରି ହୋଇଛି। ଏଥିରେ ମହେନ୍ଦ୍ର ସିଂହ ଧୋନୀଙ୍କ ଟିମ୍ ଚେନ୍ନାଇ ସୁପର କିଙ୍ଗ୍ସ ଦୋଛକିରେ ରହିଛି। ଏହି ଦଳର ପ୍ଲେ ଅଫରେ ପ୍ରବେଶ କରିବାର ଦ୍ଵାର ପ୍ରାୟତଃ ବନ୍ଦ ହୋଇ ସାରିଛି। ମାତ୍ର ଗଣିତ ଆଧାରରେ ଏବେ ମଧ୍ୟ କିଛିଟା ଆଶା ବାକି ରହିଛି। ରବିବାର ଯେବେ ଚେନ୍ନାଇ ସୁପର କିଙ୍ଗ୍ସ ଦିଲ୍ଲୀ କ୍ୟାପିଟାଲ୍ସକୁ ୯୧ ରନର ବଡ ବ୍ୟବଧାନରେ ହରାଇବା ପରେ ଦଳର ପ୍ଲେ ଅଫ ଆଶାକୁ ନେଇ ପ୍ରଶ୍ନ ପଚରାଗଲା, ଜବାବରେ ଏମଏସ ଧୋନୀ ନିଜ ସ୍କୁଲ ବେଳର ସମୟକୁ ପହଞ୍ଚି ଯାଇଥିଲେ।

ମହେନ୍ଦ୍ର ସିଂହ ଧୋନୀଙ୍କୁ ପଚରା ଯାଇଥିଲା ଯେ, ଏବେ ବି ସିଏସକେକୁ ୩ଟି ମ୍ୟାଚ୍ ଖେଳିବା ବାକି ଅଛି। ଯଦି ଦଳ ସବୁ ମ୍ୟାଚକୁ ବଡ ବ୍ୟବଧାନରେ ଜିତି ନିଏ ତେବେ କିଛି ତ ହୋଇପାରେ ? ଏହାର ଜବାବରେ ଧୋନୀ କହିଛନ୍ତି, ମୁଁ ଗଣିତର ବହୁତ ବଡ ପ୍ରଶଂସକ ନୁହେଁ। ସ୍କୁଲରେ ବି ଏହି ବିଷୟରେ ମୁଁ ଭଲ ନଥିଲି। ଆପଣ ନିଜେ ନିଜର ଭାଗ୍ୟ ଲେଖିଥାନ୍ତି। ମହତ୍ଵପୂର୍ଣ୍ଣ ଏହା ଯେ, ଆପଣଙ୍କୁ ନିଜର ସର୍ବଶ୍ରେଷ୍ଠ ଦେବା ଉଚିତ୍। ଏହି ବିଷୟରେ ଚିନ୍ତା କରିବାର କୌଣସି ଅର୍ଥ ନାହିଁ ଯେ, ଗୋଟିଏ ଦଳ ଅନ୍ୟ ଦଳକୁ ହରାଇବାର ଆବଶ୍ୟକତା ରହିଛି। ଏହା କେବଳ ନିଜ ଉପରେ ଅତିରିକ୍ତ ଚାପ ପକାଇଥାଏ।

ଧୋନୀ କହିଛନ୍ତି, ବାସ୍ ଆପଣ କେବଳ ନିଜ ମୁକାବିଲା ବିଷୟରେ ଚିନ୍ତା କର ଏବଂ ଏହାର ପ୍ରସ୍ତୁତି କର। ପ୍ରତିଟି ମ୍ୟାଚ୍ ଜିତିବା ପାଇଁ ଉଦ୍ୟମ କର। ଯେତେ ବି ଆଇପିଏଲ ମ୍ୟାଚ୍ ବଳକା ରହିଛି, ତାର ପୂରା ମଜା ଉଠାଇ ଖେଳିବାକୁ ଉଦ୍ୟମ କର। ଯେତେବେଳେ ଅନ୍ୟ ଦୁଇ ଦଳ ଖେଳୁଛନ୍ତି, ତେବେ ଆପଣଙ୍କୁ ଚାପରେ ରହିବା ଉଚିତ୍ ନୁହେଁ। ସବୁଠୁ ଜରୁରୀ ଏହା ଯେ, ଆମେ ବାକି ତିନି ମ୍ୟାଚରେ କେମିତି ଅଧିକରୁ ଅଧିକ ଫାଇଦା ଉଠାଇ ପାରିବୁ। ଯଦି ପ୍ଲେ ଅଫ ପାଇଁ କ୍ଵାଲିଫାଏ କରୁ ତେବେ ଭଲ ହେବ। ଯଦି ଏମିତି ନହୁଏ ତେବେ ଦୁନିଆ ଏଠାରେ ସରୁ ନାହିଁ।