fbpx

ରାଜ୍ୟଗୋଷ୍ଠୀ କ୍ରୀଡ଼ାର ଶେଷ ଦିନ ମେଡାଲ ବର୍ଷା: ୪ ସ୍ୱର୍ଣ୍ଣ,୨ ରୌପ୍ୟ ସହ ୩ କାଂସ୍ୟ ପଦକ ହାସଲ କଲେ ଭାରତୀୟ କ୍ରୀଡ଼ାବିତ୍‌

ପଦକ ତାଲିକାର ୫ମ ସ୍ଥାନରେ ଭାରତ

ବର୍ମିଂହାମ୍‌: ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡ଼ାର ଶେଷ ଦିନ ଅର୍ଥାତ୍‌ ସୋମବାର ପୁଣି ଚମକିଛନ୍ତି ଭାରତୀୟ କ୍ରୀଡ଼ାବିତ୍‌ । ପିଭି ସିନ୍ଧୁଙ୍କ ପରେ ବ୍ୟାଡ୍‌ମିଣ୍ଟନରେ ଗୋଲ୍ଡ ମେଡାଲ ହାତେଇଛନ୍ତି ଲକ୍ଷ୍ୟ ସେନ୍‌ । ପୁରୁଷ ସିଙ୍ଗିଲ୍ସରେ ସେ ଏହି ସ୍ୱର୍ଣ୍ଣପଦକ ପାଇଛନ୍ତି । ରାଜ୍ୟଗୋଷ୍ଠୀ କ୍ରୀଡ଼ାର ବ୍ୟାଡ଼ମିଣ୍ଟନ ପୁରୁଷ ସିଙ୍ଗିଲ୍‌ସ ବର୍ଗରେ ଲକ୍ଷ୍ୟଙ୍କ ଏହା ହେଉଛି ପ୍ରଥମ ମେଡାଲ । ଲକ୍ଷ୍ୟ ଚଳିତ ବର୍ଷ ଥୋମାସ କପ୍‌ରେ ଭାରତ ପାଇଁ ମଧ୍ୟ ଗୋଲ୍ଡ ମେଡାଲ୍‌ ଆଣିଥିଲେ । ଏଥିପୂର୍ବରୁ ଭାରତର ଷ୍ଟାର ମହିଳା ସଟଲର୍‌ ପି.ଭି.ସିନ୍ଧୁଙ୍କ ଅଧୁରା ସ୍ୱପ୍ନ ମଧ୍ୟ ପୂରଣ ହୋଇଥିଲା । ରାଜ୍ୟଗୋଷ୍ଠୀ କ୍ରୀଡ଼ାର ବ୍ୟାଡ଼ମିଣ୍ଟନ ଇଭେଣ୍ଟରେ ସିନ୍ଧୁ ପ୍ରଥମ ସ୍ୱର୍ଣ୍ଣ ପଦକ ହାସଲ କରିଥିଲେ ।

ସେହିପରି ଭାରତୀୟ ଟେବୁଲ ଟେନିସ୍‌ର କିମ୍ବଦନ୍ତୀ ଖେଳାଳୀ ଶରତ କମଲ୍‌ ଓ ଯୁବ ତାରକା ଶ୍ରୀଜା ଅକୁଳା ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି । ଶରତ ଓ ଶ୍ରୀଜା ଯୋଡ଼ି ମିକ୍ସ ଡବଲ୍‌ସ ଇଭେଣ୍ଟରେ ଦେଶ ପାଇଁ ଏହି ପଦକ ଜିତିଛନ୍ତି । ଫାଇନାଲ୍‌ ମ୍ୟାଚ୍‌ରେ ଏମାନଙ୍କ ମୁକାବିଲା ମାଲେସିଆର ଜେଭେନ୍‌ ଚୋଙ୍ଗ ଓ କାରେନ ଲୟନେଙ୍କ ସହ ହୋଇଥିଲା । ଅନ୍ୟପକ୍ଷରେ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ପୁରୁଷ ଡବଲ୍ସ ଟେବୁଲ ଟେନିସ୍‌ରେ ଭାରତକୁ ରୌପ୍ୟପଦକ ମିଳିଛି । ଫାଇନାଲ୍‌ରେ ହାରିବା ପରେ ଅଚନ୍ତା ଶରତ କମଲ ଓ ସାଥୀୟାନ ଜ୍ଞାନଶେଖରନ୍‌ ରୌପ୍ୟପଦକ ଜିତିଛନ୍ତି ।  ଗୋଟିଏ ଦିନରେ ଭାରତକୁ ୯ଟି ପଦକ ମିଳିଗଲା । ଏହା ଭିତରେ ୪ଟି ସ୍ୱର୍ଣ୍ଣ ରହିଥିବାବେଳେ ୨ ରୌପ୍ୟ ଓ ୩ କାଂସ୍ୟପଦକ ରହିଛି । ତାଲିକାକୁ ହିସାବକୁ ନେଲେ ଭାରତ ଶେଷ ଦିନ ପର୍ଯ୍ୟନ୍ତ ମୋଟ୍‌ ୬୧ଟି ପଦକ ହାସଲ କରି ୪ର୍ଥ ସ୍ଥାନ ଅଧିକାର କରିଛି । ସେଥିମଧ୍ୟରେ ୨୨ଟି ସ୍ୱର୍ଣ୍ଣ ରହିଥିବାବେଳେ ୧୬ଟି ରୌପ୍ୟ ଓ ୨୩ଟି କାଂସ୍ୟ ପଦକ ରହିଛି ।

ଏହି ତାଲିକାର ପ୍ରଥମ ସ୍ଥାନରେ ଅଷ୍ଟ୍ରେଲିଆ ରହିଛି । ଅଷ୍ଟ୍ରେଲିଆ ମୋଟ୍‌ ୧୭୮ଟି ପଦକ ପାଇଛି । ସେଥିରେ ୬୭ଟି ସ୍ୱର୍ଣ୍ଣ ରହିଥିବାବେଳେ ୫୭ଟି ରୌପ୍ୟ ଓ ୫୪ଟି କାଂସ୍ୟ ପଦକ ରହିଛି । ଅନୁରୂପ ଭାବେ ୨ୟ ସ୍ଥାନରେ ଥିବା ଇଂଲଣ୍ଡ ୫୭ଟି ସ୍ୱର୍ଣ୍ଣ, ୬୬ଟି ରୌପ୍ୟ ଓ ୧୩ଟି କାଂସ୍ୟ ପଦକ ପାଇ ମୋଟ୍‌ ୧୭୬ଟି ପଦକ ହାସଲ କରିଛି । ସେହିପରି ୩ୟ ସ୍ଥାନରେ ଥିବା କାନାଡ଼ା ୨୬ଟି ସ୍ୱର୍ଣ୍ଣ, ୩୨ଟି ରୌପ୍ୟ ଓ ୩୪ଟି କାଂସ୍ୟ ପଦକ ସହ ମୋଟ୍‌ ୯୨ଟି ପଦକ ହାସଲ କରିଛି । ୫ମ ସ୍ଥାନରେ ଭାରତ ପଛକୁ ରହିଥିବା ନ୍ୟୁଜିଲ୍ୟାଣ୍ଡ ୨୦ଟି ସ୍ୱର୍ଣ୍ଣ, ୧୨ଟି ରୌପ୍ୟ ଓ ୧୭ଟି କାଂସ୍ୟ ପଦକ ପାଇ ମୋଟ୍‌ ୪୯ଟି ପଦକ ହାସଲ କରିଛି ।

Get real time updates directly on you device, subscribe now.