fbpx

ଅବପାତର ରୂପ ନେଉଛି ଲଘୁଚାପ: ଆଜି ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା, ଏହି ସବୁ ଜିଲ୍ଲାକୁ ରେଡ୍‌ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର, (ଭାସ୍କର ନ୍ୟୁଜ୍‌) : ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଅବପାତର ରୂପ ନେଉଛି । ଏହାକ୍ରମେ କ୍ରମେ ଅଧିକ ଘନୀଭୂତ ହେଉଥିବାରୁ ରାଜ୍ୟର ଅଧିକାଂଶ ସ୍ଥାନରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ଏଥିାଇଁ ୩ ଜିଲ୍ଲାକୁ ରେଡ୍‌ ୱାର୍ଣ୍ଣିଂ ଜାରି କରାଯାଇଥିବାବେଳେ ୮ ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଓ ୧୨ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।ରେଡ୍‌ ୱାର୍ଣ୍ଣିଂ ଜାରି କରାଯାଇଥିବା ୩ ଜିଲ୍ଲା ହେଲା ଗଜପତି, ଗଞ୍ଜାମ ଓ କଳାହାଣ୍ଡି । ସେହିପରି ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଥିବା ଜିଲ୍ଲାଗୁଡ଼ିକ ହେଲା ପୁରୀ, ଖୋର୍ଦ୍ଧା, ନୟାଗଡ଼, ମାଲକାନଗିରି, କୋରାପୁଟ, ରାୟଗଡ଼ା, ନବରଙ୍ଗପୁର ଓ କଳାହାଣ୍ଡି । ସେହିଭଳି ୟେଲୋ ୱାର୍ଣ୍ଣିଂ ଜାରି ହୋଇଥିବା ଜିଲ୍ଲାଗୁଡ଼ିକ ହେଲା ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ଯାଜପୁର, ଢେଙ୍କାନାଳ, ଅନୁଗୋଳ, ବୌଦ୍ଧ, ସୋନପୁର, ବଲାଙ୍ଗିର ଓ ନୂଆପଡ଼ା ।

ଆସନ୍ତା ୧୦ ତାରିଖ ଯାଏଁ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିବ । ପ୍ରବଳ ବର୍ଷା ଯୋଗୁଁ ବିଭିନ୍ନ ନଦୀର ଜଳସ୍ତର ବୃଦ୍ଧି ନେଇ ଆଶଙ୍କା ପ୍ରକାଶ ପାଇଛି । ଋଷିକୂଲ୍ୟା, ବଂଶଧାରା, ନାଗାବଳୀ, ସାବେରୀ ଇତ୍ୟାଦି ନଦୀଗୁଡ଼ିକରେ ଜଳପତ୍ତନ ବୃଦ୍ଧି ପାଇବାର ଆଶଙ୍କା ଥିବାରୁ ସତର୍କ ରହିବା ପାଇଁ ପାଣିପାଗ ବିଭାଗ ପକ୍ଷରୁ ସୂଚନାଦିଆଯାଇଛି । ସେହିପରି ଏହି ସମୟରେ ସମୁଦ୍ର ଅଶାନ୍ତ ରହିବାର ସମ୍ଭାବନା ଥିବାରୁ ମତ୍ସ୍ୟଜୀବୀମାନେ ସମୁଦ୍ର ଭିତରକୁ ନ ଯିବା ପାଇଁ ସତର୍କ ସୂଚନା ଜାରି କରାଯାଇଛି । ଲଘୁଚାପ ପ୍ରଭାବରେ କନ୍ଧମାଳ ଜିଲ୍ଲାରେ ସବୁଠୁ ଅଧିକ ବର୍ଷା ହୋଇଛି । ଲୋକମାନେ ଏକରକମ ଜଳବନ୍ଦୀ ହୋଇ ରହିଛନ୍ତି । ବାଲିଗୁଡ଼ା ଉପଖଣ୍ଡ ଦେଇ ବୋହିଯାଇଥିବା ପେନୁ ନଦୀ ଫୁଲିବାରେ ଲାଗିଛି । ବର୍ଷାପାଣି ଯୋଗୁଁ ନଦୀ ଉପରେ ଥିବା ଏକ କାଠପୋଲ ଭାସିଯାଇଛି ।

ଅନ୍ୟପକ୍ଷରେ ବର୍ଷା ଯୋଗୁଁ ରାଜଧାନୀ ଭୁବନେଶ୍ୱରର ଅବସ୍ଥା ବେହାଲ ହୋଇପଡ଼ିଛି । ଅଧିକାଂଶସ୍ଥାନରେ ପାଣି ଜମିବା ସହ ଲୋକେ ଜଳବନ୍ଦୀ ହୋଇଛନ୍ତି । ପ୍ରବଳ ବର୍ଷା ଯୋଗୁଁ ଇସ୍କନ ମନ୍ଦିର ସମ୍ମୁଖ ରାସ୍ତାରେ ଏକ କୃତ୍ରିମ ନଦୀ ସୃଷ୍ଟି ହେବା ସହ ଓଏସ୍‌ଆର୍‌ଟିସିର ଏକ ବସ୍‌ ବୁଡ଼ିଯାଇଥିବା ସୂଚନା ମିଳିଛି । ବର୍ଷାକୁ ନଜରରେ ରଖି ସବୁ ଜିଲ୍ଲାପାଳଙ୍କୁ ସତର୍କ ରହିବା ପାଇଁ ସ୍ୱତନ୍ତ୍ର ରିଲିଫ କମିଶନରଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ।

Get real time updates directly on you device, subscribe now.