ବାତ୍ୟାକୁ ଶାନ୍ତ କରିଥିଲା ଶ୍ରୀମନ୍ଦିରର ‘ଧବଳ ବାନା’: ଶୂନ୍ୟ ଗଣ୍ଠିର ମହିମା ଦେଖିଲେ ଓଡ଼ିଶାବାସୀ, ସାମ୍ନାକୁ ଆସିଲା ବଡ଼ ପ୍ରମାଣ!

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଗତ ୨୪ ତାରିଖ ରାତି ୧୨ଟା ସମୟରେ ରାଜ୍ୟର ଭିତରକନିକା ଅନ୍ତର୍ଗତ ହବାଳିଖଟି ନେଚର କ୍ୟାମ୍ପ ନିକଟରେ ବାତ୍ୟା ‘ଦାନା’ ସ୍ଥଳଭାଗ ଛୁଇଁଥିଲା । ୨୫ ତାରିଖ ସନ୍ଧ୍ୟା ପର୍ଯ୍ୟନ୍ତ ମଧ୍ୟ ବାତ୍ୟାର ଲ୍ୟାଣ୍ଡଫଲ ପ୍ରକ୍ରିୟା ଜାରି ରହିଥିଲା । ବାତ୍ୟା ସ୍ଥଳଭାଗରେ ପ୍ରବେଶ କରିବା ସମୟରେ ପବନର ବେଗ ଘଣ୍ଟା ପ୍ରତି ୧୦୦-୧୧୦ କିମି ରହିଥିଲା । ତେବେ ରାଜ୍ୟରୁ ବାତ୍ୟା ଚାଲିଯାଇଥିଲେ ହେଁ ଛାଡ଼ି ଯାଇଛି ଅନେକ ଦୁର୍ଦ୍ଦଶ । ଅନେକ ଅଞ୍ଚଳରେ ଚାଷୀଭାଇଙ୍କର ଚାଷଜମିରେ ଫସଲ ନଷ୍ଟ ହୋଇଛି । ତେଣୁ ବାତ୍ୟା ପୀଡ଼ିତ ଚାଷୀଙ୍କୁ ସହାୟତା ପ୍ରଦାନ ନେଇ ରାଜ୍ୟ ସରକାର ଘୋଷଣା କରିଛନ୍ତି ।

ତେବେ ରାଜ୍ୟରୁ ବାତ୍ୟା ବିଦାୟ ନେଇ ସାରିଥିଲେ ହେଁ ଏହା ମଧ୍ୟରେ ଜଗତର ନାଥ ଶ୍ରୀଜଗନ୍ନାଥଙ୍କ ମହିମା ପୁଣି ଥରେ ଲୋକଲୋଚନକୁ ଆସିଛି । ଯୁଗେ ଯୁଗେ ମହାପ୍ରଭୁ ଶ୍ରୀଜଗନ୍ନାଥ କୋଟି କୋଟି ଓଡ଼ିଆଙ୍କ ପାଇଁ ଢାଲ ସାଜି ସୁରକ୍ଷା ପ୍ରଦାନ କରି ଆସିଛନ୍ତି । ତେଣୁ ବାତ୍ୟା ‘ଦାନା’ ଉଗ୍ର ରୂପ ଧାରଣ କରି ଓଡ଼ିଶା ଆଡ଼କୁ ମାଡ଼ି ଆସୁଥିବା ବେଳେ କାଳିଆ ଠାକୁର କିପରି ଚୁପ୍ ବସିଥାନ୍ତେ । ଭୀଷଣ ବାତ୍ୟା ଦାଉରୁ ଲୋକଙ୍କୁ ରକ୍ଷା କରିବା ପାଇଁ ପୁରୀ ଶ୍ରୀମନ୍ଦିରରେ ଉଡ଼ିଥିଲା ଧବଳ ବାନା । ‘ଦାନା’ର ଗତିକୁ ଦୁର୍ବଳ କରିବା ପାଇଁ ବଡ଼ ଠାକୁରଙ୍କ ପାଖରେ ପ୍ରାର୍ଥନା କରାଯିବା ସହ ଆଳତି ମଧ୍ୟ କରାଯାଇଥିଲା । ବାତ୍ୟା ପୂର୍ବରୁ ନୀଳଚକ୍ର ଉପରେ ଏହି ଧମଳା ବାନା ବନ୍ଧା ଯାଇଥିଲା । ସେହି ବାନା ଏତେବଡ଼ ଭୟଙ୍କର ବାତ୍ୟାର ପ୍ରଭାବକୁ ଶାନ୍ତ କରିଦେଇଥିବା ଭଳି ଏକ ଅଲୌଲିକ ଘଟଣା ଦେଖିବାକୁ ମିଳିଛି । ପତିତପାବନ ବାନାରେ ଶୂନ୍ୟ ଗଣ୍ଠି ପକାଇ ମହାପ୍ରଭୁ ଏକ ବଡ଼ ଚମତ୍କାର ଦେଖାଇଛନ୍ତି । ବାର ମାସ ଧରି ଯେଉଁ ଭକ୍ତମାନେ ମହାପ୍ରଭୁଙ୍କୁ ଦର୍ଶନ ନକଲେ ରହି ପାରନ୍ତିନି, ଆଜି ସେଇ ଭକ୍ତଙ୍କ ବିପଦ ସମୟରେ ମହାପ୍ରଭୁ କିପରି ବା ଚୁପ୍ ହୋଇ ବସିଥାନ୍ତେ ।