fbpx

ଫନି ବାତ୍ୟାକୁ ପୁରିଲା ୨ ବର୍ଷ, ଛାରଖାର୍ ହୋଇଯାଇଥିଲା ସାରାଓଡିଶା

ଓଡିଶା ଭାସ୍କର ବ୍ୟୁରୋ: ଦିନ ଥିଲା ୨୦୧୯, ମେ’ ୩ । ସବୁକିଛି ଯେପରି ଶାନ୍ତ ଥିଲା । ହେଲେ ହଠାତ୍ ପବନ, ଘଡଘଡି, ବିଜୁଳିକୁ ସାଙ୍ଗରେ ଧରି ବାତ୍ୟା ଫନି ଛୁଇଁଥିଲା ଓଡିଶା ଉପକୁଳ । ବିଶେଷ କରି ପୁରୀ ଏବଂ କୋଣାର୍କ ଉପକୁଳବର୍ତ୍ତୀ ଅଞ୍ଚଳକୁ ଛାରଖାର୍ କରିଦେଇଥିଲା ଏହି ବାତ୍ୟା । କଳ୍ପନାଠାରୁ ଅଧିକ ବିଭୀଷିକା ଖେଳାଇ ଦେଇଗଲା ସାରା ଓଡିଶାରେ । ପାଣିପାଗ ବିଶେଷଜ୍ଞଙ୍କ ଆକଳନକୁ ଭୁଲ୍ ପ୍ରମାଣିତ କରି ଝଡ ତୋଫାନ୍ ସହ ଉପକୁଳ ଛୁଇଁଥିଲା । ତାର ସେହି କରାଳ ରୁପକୁ ଦେଖି ଓଡିଶା ଯେପରି ଆବାକାବା ରହିଯାଇଥିଲା ।

ଯାହା ଆଜି ବି ମନେ ପଡିଲେ ଛାତି ଧରିଉଠୁଛି । ବଡ ବଡ କୋଠାଠାରୁ ଆରମ୍ଭ କରି ଦୋକାନ, ଛପର ସବୁ କିଛି କୁ ନିମିଷକରେ ମାଟିରେ ମିଶାଇ ଦେଇଥିଲା । ଯାହାର କ୍ଷତ ଆଜିବି ତାଜା ରହିଛି । ଅନେକ ଲୋକ ଫନିର ସେହି ଗଭୀର କ୍ଷତକୁ ଲିଭେଇପାରିନାହାନ୍ତି । କିଏ ବାସହରା ହୋଇଥିଲା, ତ କିଏ ବେରୋଜଗାର ହୋଇଥିଲା । ଅଲିଭା ଘା’ ଛାଡି ଦେଇଯାଇଥିଲା ଫନି ବାତ୍ୟା ।


କୋଣାର୍କ ଏବଂ ପୁରୀ ଉପକୁଳରେ ସକାଳ ସାଢ଼େ ୮ଟା ସମୟରେ ବାତ୍ୟା ଫନି ଲ୍ୟାଣ୍ଡଫଲ୍ କରିଥିଲା । ପ୍ରାୟ ୨୦୦ କିଲୋମିଟର୍ ବେଗରେ ସାମୁଦ୍ରିକ୍ ପବନ ନେଇ ଓଡିଶାକୁ କ୍ଷତବିକ୍ଷତ କରି ଚାଲିଥିଲା । ସେଦିନ ପ୍ରକୃତି ରଚିଥିଲା ତାର ଭୟଙ୍କର ତାଣ୍ଡବ । ପୁରୀ ଏବଂ କୋଣାର୍କର ସବୁତକ ଗଚ୍ଛିତ ସୌନ୍ଦର୍ଯ୍ୟ କ୍ଷଣିକରେ ନଷ୍ଟ ହୋଇଯାଇଥିଲା । କେଉଁଠି ଛପର ଉପୁଡିପଡିଥିବା ଦେଖିବାକୁ ମିଳିଥିଲା ତ କେଉଁଠି ବଡ ବଡ ଗଛ ସବୁ ଉପୁଡି ରାସ୍ତା ଉପରେ ଶୋଇଥିଲା ।

ଖାଲି ସେତିକି ପର୍ଯ୍ୟଟକ ସ୍ଥଳୀକୁ ବିପର୍ଯ୍ୟୟ ସ୍ଥଳୀରେ ପରିବର୍ତ୍ତନ କରିଦେଇଥିଲା ଫନି । ପୁରୀରେ ହୋଟେଲ୍ ଶିଳ୍ପ ଉପରେ ନିର୍ଭର କରି ବଞ୍ଚୁଥିବା ଲୋକମାନଙ୍କ ଜୀବିକାକୁ ମଧ୍ୟ ବାତ୍ୟା ଛଡାଇନେଇଥିଲା । ସବୁ ହୋଟେଲ୍ ଭିତରେ ପବନର ବେଗ ଯୋଗୁଁ ମୋଟା ସ୍ତରର ବାଲି ଚରିଯାଇଥିଲା ।


ତେବେ ଖାଲି ପୁରୀ ଏବଂ କୋଣାର୍କ ନୁହେଁ ବରଂ ଭୁବନେଶ୍ୱରରେ ମଧ୍ୟ ତାଣ୍ଡବ ରଚିବାକୁ ମାଡି ଆସିଥିଲା ଏହି ପ୍ରଳୟଙ୍କାରୀ ବାତ୍ୟା । ରାଜଧାନୀରେ ପ୍ରାୟ ୩ ରୁ ୪ ଘଣ୍ଟା ପର୍ଯ୍ୟନ୍ତ ଫନିର ପ୍ରଭାବ ଦେଖିବାକୁ ମିଳିଥିଲା । ଓଡିଶାର ସୌନ୍ଦର୍ଯ୍ୟକୁ ଛାରଖାର ହୋଇଯାଇଥିଳା । ପ୍ରାକୃତିକ ଐଶ୍ୱର୍ଯ୍ୟରେ ଭରପୁର ଓଡିଶାର ଅଣ୍ଟାକୁ ଭାଙ୍ଗିଦେଇଥିଲା ବାତ୍ୟା । ବିଭିନ୍ନ ସ୍ଥାନରେ ବିଦ୍ୟୁତ୍ ଖୁଣ୍ଟ ସବୁ ଭାଙ୍ଗି ପଡିବା ସହ ଯୋଗାଯୋଗର ଭିତ୍ତିଭୁମିକୁ ଶୋଚନୀୟ ହୋଇଯାଇଥିଲା । ତେବେ ଆଜି ବାତ୍ୟା ଫନିକୁ ୨ ବର୍ଷ ପୁରିଛି ।

Get real time updates directly on you device, subscribe now.