fbpx

ସୃଷ୍ଟି ହେଲା ବାତ୍ୟା ‘ଜୱାଦ୍’: IMD ଡିଜି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବଙ୍ଗୋପସାଗରରେ ଥିବା ଗଭୀର ଅବପାତ ଏବେ ବାତ୍ୟାରେ ପରିଣତ ହୋଇଛି । ଆଜି ପୂର୍ବାହ୍ନରେ ଏହା ବାତ୍ୟାରେ ପରିଣତ ହୋଇଥିବା ନେଇ ପ୍ରେସମିଟରେ କହିଛନ୍ତି ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ।

ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି ଯେ, ‘୪ ତାରିଖ ସନ୍ଧ୍ୟାରୁ ୫ ତାରିଖ ସକାଳ ଯାଏଁ ପବନର ପ୍ରଭାବ ରହିବ । ପବନର ବେଗ ୮୦ରୁ ୯୦ କିମି ରହିବ । ପବନର ବେଗୁ ୮୦ରୁ ୧୦୦ କିମି ପର୍ଯ୍ୟନ୍ତ ବଢ଼ିପାରେ । ବାତ୍ୟା ଜୱାଦ ଏବେ ବିଶାଖାପାଟଣାରୁ ୪୨୦ କିମି ଦୂରରେ ରହିଛି । କାଲି ସନ୍ଧ୍ୟାରେ ଦିଗ ପରିବର୍ତ୍ତନ କରିବ ବାତ୍ୟା ‘ଦୱାଦ’ । ୫ ତାରିଖ ଅପରାହ୍ନରେ ପୁରୀରେ ସ୍ଥଳଭାଗ ଛୁଇଁବ ବାତ୍ୟା । ଉପକୂଳ ଓଡ଼ିଶାରେ ବର୍ଷା ସହ ପବନର ବେଗ ବଢ଼ିବ । ଆଜି ମଧ୍ୟରାତ୍ରୀରୁ ପବନର ବେଗ ବଢ଼ିବ । କାଲିଠୁ ବର୍ଷା ବଢ଼ିବ ଓ ୬ ତାରିଖରେ କମିବ ।’

ଜୱାଦର ପ୍ରକୋପ ଗୁଲାବଠାରୁ ଟିକେ ଅଧିକ ଓ ତିତଲିଠାରୁ କମ୍ ରହିବ । ସମୁଦ୍ରରେ ନିୟମିତ ଜୁଆରଠାରୁ ଅଧିକ ୧ ମିଟର ଜୁଆର ଉଠିପାରେ । ଅମାବାସ୍ୟା ଥିବାରୁ ବାତ୍ୟା ବେଳେ ସମୁଦ୍ରରେ ଜୁଆର ଆସିବ । ନିୟମିତ ପ୍ରାୟ ୪ ମିଟର ଯାଏଁ ଜୁଆର ଆସିଥାଏ, କିନ୍ତୁ ସେହି ସମୟରେ ଆଉ ୧ ମିଟର ବଢ଼ିବ । ପ୍ରାୟ ୫ ମିଟର ପର୍ଯ୍ୟନ୍ତ ଜୁଆର ଆସିବାର ସମ୍ଭାବନା ରହିଛି ବୋଲି ଆଇଏମଡିର ଡିଜି କହିଛନ୍ତି । ୫ ମିଟର ପର୍ଯ୍ୟନ୍ତ ଜୁଆର ଆସିବାର ଥିବାର ସତର୍କ ରହିବାକୁ ସେ ପରାମର୍ଶ ଦେଇଛନ୍ତି ।

Get real time updates directly on you device, subscribe now.