Cyclone Update: ଦୁର୍ବଳ ହେଲା ‘ସିତ୍ରାଙ୍ଗ’, ନେଲା ୫ ଜଣଙ୍କ ଜୀବନ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ‘ସିତ୍ରାଙ୍ଗ’ ଦୁର୍ବଳ ହୋଇଯାଇଛି । ବାତ୍ୟା ଆସନ୍ତା ୬ ଘଣ୍ଟାରେ ଅବପାତରେ ପରିଣତ ହେବ । ସେହିପରି ଆଜି ରାତିରେ ବାତ୍ୟା ଗଭୀର ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି । ବାତ୍ୟା ଲ୍ୟାଣ୍ଡଫଲ ବେଳେ ବାଂଲାଦେଶରେ ୫ ଜଣଙ୍କ ଜୀବନ ନେଇଛି । ଆଜି ଓଡ଼ିଶାର ଉତ୍ତର ଉପକୂଳବର୍ତ୍ତୀ ଅଞ୍ଚଳରେ ବର୍ଷା ହେବାର ସମ୍ଭାବନା ରହିଛି ।

ପୂର୍ବରୁ ଓଡ଼ିଶାରେ ବାତ୍ୟା ‘ସିତ୍ରାଙ୍ଗ’ ପ୍ରଭାବ ପକାଇବ ନାହିଁ, କେବଳ ବର୍ଷା ଜାରି ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଥିଲା । ଗତକାଲି ବାତ୍ୟା ଗଭୀର ଅବପାତରେ ପରିଣତ ହୋଇଥିଲା । ବାତ୍ୟା ପ୍ରଭାବରେ ରାଜ୍ୟର ଉପକୂଳବର୍ତ୍ତୀ ଅଞ୍ଚଳର ପାଗରେ କିଛିଟା ପରିବର୍ତ୍ତନ ଘଟିଥିଲା । କିଛି ସ୍ଥାନରେ ବର୍ଷା ମଧ୍ୟ ଦେଖିବାକୁ ମିଳିଥିଲା । ବାତ୍ୟା ପ୍ରଭାବରେ ରାଜ୍ୟର ୮ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ସହ ଘଣ୍ଟା ପ୍ରତି ୭୦ କିମିରୁ ଅଧିକ ବେଗରେ ପବନ ବହିବାର ସମ୍ଭାବନା ଥିବା କୁହାଯାଇଥିଲା ।

ତେବେ ସମ୍ଭାବ୍ୟ ପ୍ରବଳ ବର୍ଷାକୁ ନେଇ ଚିନ୍ତାରେ ପଡ଼ିଯାଇଛନ୍ତି ରାଜ୍ୟ ଚାଷୀ ଓ ମତ୍ସ୍ୟଜୀବୀ । ଏହି ସମୟରେ ବର୍ଷା ଜାରି ରହିଲେ ଫସଲ ହାନୀ ହେବା ଅବଶ୍ୟମ୍ଭାବୀ । ତେଣୁ ଉପକୂଳବର୍ତ୍ତୀ ଅଞ୍ଚଳର ଚାଷୀଙ୍କ ମଧ୍ୟରେ ଏବେ ଭାଳେଣି ପଡ଼ିଯାଇଛି । ୨୫ ତାରିଖରେ ଜଳେଶ୍ୱର, ଭୋଗରାଇ, ବସ୍ତା ଆଦି ଅଞ୍ଚଳରେ ପବନର ବେଗ ଘଣ୍ଟା ପ୍ରତି ୭୦ କିମି ରହିବା ନେଇ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି ।