fbpx

ବିପଦ ଟଳିନି; ସନ୍ଧ୍ୟା ଯାଏଁ ରହିବ ବାତ୍ୟା ପ୍ରଭାବ

ନୂଆଦିଲ୍ଲୀ: ବାତ୍ୟା ୟଶ୍ ର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଆଜି ସକାଳ ୯ଟାରୁ ଆରମ୍ଭ କରିଛି । ଧାମରା ଓ ବାଲେଶ୍ୱର ସହରର ବାହାନଗା ପାଖରେ ଏହା ଲ୍ୟାଣ୍ଡଫଲ୍ କରିଛି । ତେବେ ଏହି ପ୍ରକ୍ରିୟା ୩ରୁ ୪ ଘଣ୍ଟା ଯାଏଁ ଲାଗି ରହିବାକୁ ଥିବା ବେଳେ ଦିନ ୧ଟା ସୁଦ୍ଧା ଜାରି ରହିବ ବୋଲି ଆଇଏମଡି ପକ୍ଷରୁ ସୂଚନା ଦିଆଯାଇଛି । କିନ୍ତୁ ଲ୍ୟାଣ୍ଡଫଲ ୧ଟା ସୁଦ୍ଧା ଶେଷ ହେବାକୁ ଥିଲେ ହେଁ ପବନ ଏବଂ ବର୍ଷାର ବିପଦ ସନ୍ଧ୍ୟା ଯାଏ ରହିଥିବା ଭାରତୀୟ ପାଣିପାଗ ବିଭାଗର ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ଲ୍ୟାଣ୍ଡ ପ୍ରକ୍ରିୟା ଚାଲିଥିବାରୁ ପବନର ଘଣ୍ଟାପ୍ରତି ବେଗ ୧୩୦ରୁ ୧୪୦ କିମି ରହିଛି ଏବଂ ମଝିରେ ଏହା ବଢ଼ିବାର ସମ୍ଭାବନା ରହିଛି । ଏବେ ବାଲେଶ୍ୱର ଓ ଭଦ୍ରକରେ ୧୩୦ରୁ ୧୫୦ କିମି ମଧ୍ୟରେ ପବନ ହେଉଛି ।

ତେବେ ଏହି ବାତ୍ୟା ବାଲେଶ୍ୱର ଦେଇ ଆଜି ରାତି ସୁଦ୍ଧା ମୟୂରଭଞ୍ଜରେ ପହଞ୍ଚିବ । ଆଜି ଅପରାହ୍ନରୁ ମୟୂରଭଞ୍ଜରେ ପ୍ରବଳ ବର୍ଷା ସାଙ୍ଗକୁ ୧୦୦ କିମି ବେଗରେ ପବନ ବହିବାର ଆଶଙ୍କା ରହିଛି । ମୟୂରଭଞ୍ଜରୁ ବାତ୍ୟାର ପ୍ରଭାବ କମିଯିବ ଏବଂ ଦୁର୍ବଳ ହୋଇ କାଲି ସକାଳ ସୁଦ୍ଧା ଝାଡଖଣ୍ଡକୁ ଚାଲିଯିବ।

ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହୋଇଛି । ମୟୂରଭଂଜ କୁସୁମୀ ବ୍ଲକରେ ସର୍ବାଧିକ ୩୦୪ ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ଚାନ୍ଦବାଲିରେ ୨୮୮, ରାଜନଗରରେ ୨୭୫, ଏରସମାରେ ୨୭୧ ମିମି ବର୍ଷା ହୋଇଛି । ବାଲେଶ୍ୱର ଓ ଭଦ୍ରକ ଜିଲ୍ଲାର ବ୍ୟାପକ ଅଞ୍ଚଳ ଜଳମଗ୍ନ ହୋଇଥିବା ଜଣାପଡ଼ିଛି । ଏଥିସହ ବିଭିନ୍ନ ଉପକୂଳବର୍ତ୍ତୀ ଜିଲ୍ଲା ମାନଙ୍କରେ ବ୍ୟାପକ କ୍ଷୟକ୍ଷତି ହୋଇଛି । କିଛି କିଛି ସ୍ଥାନରେ ଘର ଭିତରେ ପାଣି ପଶିବା ସହିତ ଘର ଗୁଡିକ ଉପରେ ଗଛ ଭାଙ୍ଗି ପଡିଥିବା ଦେଖିବାକୁ ମିଳିଛି ।

Get real time updates directly on you device, subscribe now.