fbpx

(Video) ଅକ୍ଟୋବରରେ ମହାବାତ୍ୟା ଭୟ! ୧୯୯୯ରେ ପାଣିପାଗ ଯେମିତି ଥିଲା ୨୦୨୪ରେ ସେମିତି ଅଛି, ୨୫ ପରେ ପୁଣି ଚିନ୍ତାରେ ରାଜ୍ୟବାସୀ….

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ୧୯୯୯ ମସିହାର ମହାବାତ୍ୟା କଥା ମନେପଡ଼ିଲେ ଆଜି ବି ମନରେ ଏକ ଅଜଣା ଭୟର ଶିହରଣ ଖେଳିଯାଏ । ସେହି ଭୟଙ୍କର ମହାବାତ୍ୟାରେ ଅନେକ ଜନଜୀବନ ହାନୀ ହେବା ସହ ରାଜ୍ୟବାସୀଙ୍କୁ ଦେଇଥିଲା ଏକ ଶକ୍ତ ଝଟକା । ତେବେ ଦୀର୍ଘ ୨୫ ବର୍ଷ ପରେ ପୁଣି ଥରେ ରାଜ୍ୟବାସୀ ବାତ୍ୟାକୁ ନେଇ ଆଶଙ୍କା ଘେରରେ ରହିଛନ୍ତି । ପାଣିପାଗ ବିଭାଗର ଆକଳନ ପରେ ଏବେ ରାଜ୍ୟବାସୀ ଆତଙ୍କିତ ହୋଇ ପଡ଼ିଛନ୍ତି ।

ଭାରତୀୟ ପାଣିପାଗ ବିଭାଗ (ଆଇଏମଡି)ର ରିପୋର୍ଟ ମୁତାବକ, ଚଳିତ ମାସରେ ଅଧିକ ଗରମ ଓ ବର୍ଷା ଅନୁଭୂତ ହେବା ସହ ଦିନ ଓ ରାତିରେ ସ୍ୱାଭାବିକ ଠାରୁ ଢେର ଅଧିକ ଗରମ ଅନୁଭୂତ ହେବ । ଅକ୍ଟୋବରରୁ ଡିସେମ୍ବର ପର୍ଯ୍ୟନ୍ତ ରାଜ୍ୟରେ ପ୍ରବଳ ବର୍ଷା ଅନୁଭୂତ ହୋଇପାରେ । ତେବେ ଅକ୍ଟୋବରରେ ତାପମାତ୍ରା ଅଧିକ ରହିବା ବାତ୍ୟା ପାଇଁ ଅନୁକୂଳ ବାତାବରଣ ହୋଇପାରେ ବୋଲି ବିଶେଷଜ୍ଞମାନେ ଆକଳନ କରିଛନ୍ତି । ବାୟୁମଣ୍ଡଳରେ ଅତ୍ୟଧିକ ଗରମ ଓ ଗୁଳୁଗୁଳି ହେଉଥିବା ବେଳେ ସମୁଦ୍ରର ଜଳପତ୍ତନ ତାପମାତ୍ରା ଅଧିକ ରହୁଛି ।

ତେଣୁ ପାଣିପାଗର ଏହି ସ୍ଥିତିକୁ ନେଇ ପାଣିପାଗ ବିଭାଗର ବୈଜ୍ଞାନିକମାନେ ଏକ ବଡ଼ ଆଶଙ୍କା କରୁଛନ୍ତି । ୧୯୯୯ ମସିହାର ପାଣିପାଗ ଭଳି ୨୦୨୪ରେ ପାଣିପାଗର ସ୍ଥିତି ସମାନ ରହୁଥିବାରୁ ଏନେଇ ବାତ୍ୟା ହେବା ନେଇ ଆଶଙ୍କା କରାଯାଉଛି । ଅକ୍ଟୋବର କି ନଭେମ୍ବରରେ ବାତ୍ୟା ମାଡ଼ ହେବ କି, ଏପରି ପ୍ରଶ୍ନ ଏବେ ମନକୁ ଆସୁଛି । ୧୯୯୯ ମସିହା ଏପ୍ରିଲ ମାସରେ ଭୀଷଣ ଗ୍ରୀଷ୍ମ ଲହରୀ ଅନୁଭୂତ ହୋଇଥିବା ବେଳେ ଚଳିତ ବର୍ଷ ମଧ୍ୟ ସମାନ ସ୍ଥିତି ରହିଥିଲା । ଏଥିସହିତ ୧୯୯୭ ଓ ୧୯୯୮ରେ ଶକ୍ତିଶାଳୀ ଏଲ-ନିନୋର ପ୍ରଭାବ ପରେ ୧୯୯୯ରେ ଲା-ନିନା ଆସିଥିଲା । ଚଳିତ ଥର ବି ଏଲ-ନିନୋ ପରେ ଲା-ନିନା ଆସିବା ନେଇ ଅନୁମାନ କରାଯାଉଛି । ଯଦି ଲା-ନିନା ଆସିବ ତେବେ ରାଜ୍ୟରେ ବାତ୍ୟା ସମ୍ଭାବନା ବଢ଼ିଯିବ ବୋଲି ଆଶଙ୍କା କରାଯାଉଛି ।

ତେବେ ରାଜ୍ୟକୁ ବାତ୍ୟାର ଆଗମନ ନେଇ ଯଦିଓ ସଠିକ୍ ଭାବେ ଆକଳନ କରିବା ସମ୍ଭବ ନୁହେଁ ତେବେ ପାଣିପାଗର ସ୍ଥିତି ବାତ୍ୟା ପାଇଁ ସଙ୍କେତ ଦେଉଥିବା ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି । ୧୯୯୯ ବର୍ଷ ଭଳି ଚଳିତ ବର୍ଷ ପାଣିପାଗର ସମାନ ସ୍ଥିତି ଦେଖିବାକୁ ମିଳୁଛି । ୧୯୯୯ ମସିହା ଏପ୍ରିଲରେ ତାତି ରେକର୍ଡ ଭାଙ୍ଗିଥିବା ବେଳେ ଅଗଷ୍ଟରେ ନିଅଣ୍ଟିଆ ବର୍ଷା ହୋଇଥିଲା ଓ ସେପ୍ଟେମ୍ବରରେ ଅଧିକ ବର୍ଷା ହୋଇଥିଲା । ଅନୁରୂପ ଭାବେ ଚଳିତ ବର୍ଷ ମଧ୍ୟ ୨୫ ବର୍ଷର ସମାନ ସ୍ଥିତି ଦେଖିବାକୁ ମିଳିଛି । ୧୯୯୯ ଭଳି ଚଳିତ ବର୍ଷ ମଧ୍ୟ ଲା-ନିନା ଆସିପାରେ ବୋଲି ଅନୁମାନ କରାଯାଉଛି । ଏହା ଯଦି ଅକ୍ଟୋବରରେ ଆସେ, ତେବେ ବାତ୍ୟା ନେଇ ଅଧିକ ସମ୍ଭାବନା ରହିଛି । ଏହାର କାରଣ ହେଉଛି, ଲା-ନିନା ହେଲେ ଦକ୍ଷିଣ ଚୀନ ସାଗରରେ ଅଧିକ ତାପମାତ୍ରା ରହିବ ଓ ବାତ୍ୟା ସୃଷ୍ଟି ପାଇଁ ପାଗ ଅନୁକୂଳ ହେବ । ସେଠାରେ ସୃଷ୍ଟ ବାତ୍ୟାର ଅବଶିଷ୍ଟାଂଶ ବଙ୍ଗୋପସାଗର ମୁହାଁ ହୋଇ ବଳ ବୃଦ୍ଧି କରି ପୁଣି ବାତ୍ୟାର ରୂପ ନେବାର ସମ୍ଭାବନା ରହିଛି । ତେବେ ରାଜ୍ୟରେ ବାତ୍ୟା ହେବା ନେଇ ଏବେଠାରୁ କହିହେବନି ବୋଲି ରାଜ୍ୟର କିଛି କୃଷି ପାଣିପାଗ ବୈଜ୍ଞାନିକ ଓ ପାଣିପାଗ ବୈଜ୍ଞାନିକ ମତ ଦେଇଛନ୍ତି ।

Get real time updates directly on you device, subscribe now.