fbpx

ହିନ୍ଦୀରେ ରିଲିଜ ହେବ ଦମନ! ଓଡ଼ିଆରେ ସଫଳତା ପରେ ପାନ୍ ଇଣ୍ଡିଆରେ ରିଲିଜ କରିବାକୁ ପ୍ରସ୍ତୁତ ହେଉଛନ୍ତି ନିର୍ମାତା

ଭୁବନେଶ୍ୱର: ଧିମେଇ ଯାଇଥିବା ଓଡ଼ିଆ ସିନେମା ଜଗତକୁ ପୁଣି ଏକ ନୂଆ ଆଶା ଦେଇଛି ନିକଟରେ ରିଲିଜ ହୋଇଥିବା ବାବୁଶାନଙ୍କ ଅଭିନୀତ ‘ଦମନ’। ଓଡ଼ିଆ ଭାଷାରେ ଅଦ୍ଭୂତପୂର୍ବ ସଫଳତା ପାଇବା ପରେ ଏବେ ଫିଲ୍ମଟି ହିନ୍ଦୀରେ ରିଲିଜ ହେବାକୁ ଯାଉଛି। ସିନେମାଟିର ଟ୍ରେଲର ରିଲିଜ ପରଠାରୁ ହିଁ ଏହାକୁ ନେଇ ଲୋକଙ୍କ ମନରେ ଉତ୍କଣ୍ଠା ଲାଗି ରହିଥିଲା। ତେବେ ଫିଲ୍ମଟି ସିନେମା ଘରରେ ରିଲିଜ ହେବା ପାଇଁ ଅନେକ ସଂଘର୍ଷ କରିବା ପରେ କାର୍ତିକ ପୁର୍ଣିମା ଅବସରରେ ନଭେମ୍ବର ୪ରେ ତାରିଖରେ ରିଲିଜ ହୋଇଥିଲା। ଫିଲ୍ମଟି ରାଜ୍ୟରେ ସଫଳତା ପାଇବା ପରେ ରାଜ୍ୟ ବାହାରେ ରିଲିଜ ହୋଇଥିଲା। ଲୋକମାନେ ଏହି ଫିଲ୍ମକୁ ଏବେ ଭୁରି ଭୁରି ପ୍ରଶଂସା କରୁଛନ୍ତି। ଏଥିରେ କାହାଣୀ, ସମସ୍ତଙ୍କ ଅଭିନୟ ଏବଂ ନିର୍ଦେଶନାକୁ ସମସ୍ତେ ପ୍ରଶଂସା କରୁଛନ୍ତି।

ତେବେ ଓଡ଼ିଆ ଭାଷାରେ ‘ଦମନ’ ଅଦ୍ଭୂତପୂର୍ବ ସଫଳତା ପାଇବା ପରେ ଏହାକୁ ଏବେ ହିନ୍ଦୀରେ ରିଲିଜ କରିବାକୁ ପ୍ରସ୍ତୁତ ହେଉଛନ୍ତି ଫିଲ୍ମର ନିର୍ମାତା। ଦର୍ଶକମାନଙ୍କ ଦାବିକୁ ନଜରରେ ରଖି ହିନ୍ଦୀରେ ଏହା ରିଲିଜ ହେବ ବୋଲି ସୂଚନା ଦେଇଛନ୍ତି ଫିଲ୍ମର ନିର୍ଦେଶକ ଵିଶାଲ ମୌର୍ଯ୍ୟ। ପ୍ରଥମେ ‘ଦମନ’ କେବଳ ଓଡ଼ିଶାରେ ରିଲିଜ ହୋଇଥିଲା। ପ୍ରଥମ ସପ୍ତାହରେ ଅପାର ସଫଳତା ମିଳିବା ପରେ ଦେଶର ବିଭିନ୍ନ ସହରରେ ଏହାକୁ ରିଲିଜ କରାଯାଇଛି। ବାଙ୍ଗାଲୋର, ଦିଲ୍ଲୀ, ମୁମ୍ବାଇ, ନୋଏଡା, ଗୁରୁଗାଓଁ, ଅହମ୍ମଦାବାଦ, ହାଇଦ୍ରାବାଦ, କୋଲକାତାର ବିଭିନ୍ନ ସିନେମାଘରେ ଏହା ପ୍ରଦର୍ଶିତ ହେଉଛି।

ସେହିପରି ଫିଲ୍ମଟି ଦର୍ଶକଙ୍କ ମନକୁ ଛୁଇଁଥିବା ବେଳେ ଆଇଏମ୍‌ଡିବି ରେଟିଂରେ ବଡ ବଡ ବ୍ଲକବଷ୍ଟର ଫିଲ୍ମକୁ ପଛରେ ପକାଇଛି। ଫିଲ୍ମକୁ ଦର୍ଶକେ ବେଶ ପସନ୍ଦ କରୁଛନ୍ତି। ଛୋଟ ସହରରୁ ଆରମ୍ଭ କରି ସବୁ ଜାଗାରେ ଶୋ’ ହାଉସଫୁଲରେ ଚାଲିଛି। ଫିଲ୍ମକୁ ମିଳିଛି ୧୦ରୁ ୯.୭ ଆଇଏମ୍‌ଡିବି ରେଟିଂ। ବାହୁବଳୀ, କେଜିଏଫ୍‌ ଏବଂ ଆର୍‌ଆର୍‌ଆର୍‌, କାନ୍ତାରା ଭଳି ସୁପରହିଟ୍‌ ଚଳଚ୍ଚିତ୍ରଠାରୁ ଏହା ଅଧିକ। ଫଳରେ ‘ଦମନ’ ସବୁଠାରୁ ଅଧିକ ରେଟିଂ ହାସଲ କରିଥିବା ଭାରତୀୟ ଫିଲ୍ମ ପାଲଟିଛି।

Get real time updates directly on you device, subscribe now.