ପ୍ରମାଣ ଦେଲା ‘ଦାନା’: ବିପର୍ଯ୍ୟୟ ପରିଚାଳନାରେ ଓଡ଼ିଶା ୧ ନମ୍ୱର, ପଶ୍ଚିମବଙ୍ଗ ଫେଲ୍

ଭୁବନେଶ୍ୱର: (ଓଡ଼ିଶା ଭାସ୍କର) ୧୯୯୯ ମହାବାତ୍ୟା ଓଡ଼ିଶାକୁ ଯେଉଁ ଶିକ୍ଷା ଦେଇଛି, ତାହାର ଫଳ ଆଜି ସାରା ବିଶ୍ୱ ଦେଖୁଛି। ବିପର୍ଯ୍ୟୟ ପରିଚାଳନାରେ ଓଡ଼ିଶା ୧ ନମ୍ୱର ହୋଇଛି। ଓଡ଼ିଶା ଅଗରେ ହାର ମାନିଛି ପଶ୍ଚିମବଙ୍ଗ। ଏକଥା ଆମେ ମନରୁ କହୁନୁ, ବରଂ ଜାତୀୟ ଗଣମାଧ୍ୟମର ଖବର ଉପରେ ନଜର ପକାଇଲେ ତାହା ସ୍ପଷ୍ଟ ଜଣା ପଡ଼ୁଛି। ଓଡ଼ିଶାରେ ବାତ୍ୟା ଦାନା ଲ୍ୟାଣ୍ଡଫଲ୍ କରିବା ପରେ ବି ମହାପ୍ରଭୁ ଜଗନ୍ନାଥଙ୍କ କୃପା, ରାଜ୍ୟ ସରକାରଙ୍କ ଭଲ ବାତ୍ୟା ପରିଚାରଳନା ପାଇଁ କାହାରି ବି ଜୀବନ ହାନୀ ହୋଇନି।

ହେଲେ ସାମାନ୍ୟ ତମ ପ୍ରଭାବରେ ପଡ଼ୋଶୀ ରାଜ୍ୟ ପଶ୍ଚିମବଙ୍ଗରେ ଚାରି ଜଣଙ୍କ ଜୀବନ ଯାଇଛି। ସବୁଠୁ ବଡ଼ କଥା ହେଉଛି ମୃତକଙ୍କ ମଧ୍ୟରୁ ଜଣେ ଉଦ୍ଧାରକାରୀ ଦଳର ମୃତ୍ୟୁ ଘଟିଛି। ପୂର୍ବରୁ ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଆଜି ଆଉ ୨ ଜଣଙ୍କ ମୃତ୍ୟୁ ଘଟିଛି ମୃତ୍ୟୁସଂଖ୍ୟା ୪ରେ ପହଞ୍ଚିଛି। ପୂର୍ବ ବର୍ଦ୍ଧମାନ ଜିଲ୍ଲା ବଡରେ ଇଲେକ୍ଟ୍ରି ତାର ଛୁଇଁବାରୁ ଚନ୍ଦନ ଦାସ (୩୧), ଯିଏକି ଜଣେ ସ୍ୱେଚ୍ଛାସେବୀ, ତାଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। ସେ ପୁଲିସ ଟିମ୍ ସହ ବାହାରକୁ ଯାଇଥିବା ବେଳେ ଏହି ଘଟଣା ଘଟିଛି।

ହାଓଡ଼ା ମହାନଗର ନିଗମର ଜଣେ କର୍ମଚାରୀଙ୍କ ମୃତଦେହ ତାଣ୍ଟିପଡ଼ାର ଏକ ଜଳବନ୍ଦୀ ରାସ୍ତାରୁ ଉଦ୍ଧାର କରାଯାଇଛି। ପାଣିରେ ବୁଡ଼ି ତାଙ୍କର ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି। ଶୁକ୍ରବାର ରାଜ୍ୟରେ ବିଦ୍ୟୁତ୍ ଆଘାତରେ ୨ ଜଣଙ୍କ ମୃତ୍ୟୁ ଘଟିଛି। ଦକ୍ଷିଣ ୨୪ ପ୍ରଗଣା ଜିଲ୍ଲାର ପଥରପ୍ରତିମାରେ ଜଣେ ଏବଂ ଦକ୍ଷିଣ କୋଲକାତାର ଭବାନୀପୁର ଅଞ୍ଚଳରେ ଅନ୍ୟ ଜଣଙ୍କର ମୃତ୍ୟୁ ଘଟିଛି।