ରାଜ୍ୟରେ ପୁଣି ଖୋଲିବ ଡ୍ୟାନ୍ସ ବାର୍: ସଂଶୋଧିତ ବିଜ୍ଞପ୍ତି ଜାରି କଲା ଅବକାରୀ ବିଭାଗ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆସିଛି ଏକ ବଡ଼ ଖବର । ରାଜ୍ୟରେ ପୁଣି ଥରେ ଖୋଲିବାକୁ ଯାଉଛି ଡ୍ୟାନ୍ସ ବାର । ୨୧ଟି ସର୍ତ୍ତ ଆଧାରରେ ଡ୍ୟାନ୍ସ ବାର ପରିଚାଳନା ନେଇ ରାଜ୍ୟ ସରକାର ଅନୁମତି ଦେଇଛନ୍ତି । ୨୧ରୁ ଅଧିକ ବର୍ଷ ବୟସର ମହିଳାମାନେ ବାରରେ ନୃତ୍ୟଗୀତ ପରିବେଷଣ କରିପାରିବେ । ଡ୍ୟାନ୍ସ ବାର ପରିସରରେ ସିସିଟିଭି କ୍ୟାମେରା ଲଗାଯିବ । ସିସିଟିଭି ଖରାପ ହେଲେ ସମ୍ପୃକ୍ତ ବାରର ମାଲିକମାନେ ଥାନା ଅଧିକାରୀଙ୍କୁ ଏନେଇ ଅବଗତ କରାଇବେ । ବାରମାନଙ୍କରେ ଡ୍ୟାନ୍ସ କରୁଥିବା ମହିଳାଙ୍କ ରେକର୍ଡ ରଖିବାକୁ ବାରରେ ରେଜିଷ୍ଟର ରହିବ ।

ଏଥିସହିତ ଡ୍ୟାନ୍ସ କରୁଥିବା ପୁରୁଷ ଓ ମହିଳାମାନଙ୍କର ପୋଷାକରେ ଶାଳୀନତା ରହିବ । ତେବେ ଅନୈତିକ କାର୍ଯ୍ୟରେ ଲିପ୍ତ ଅଭିଯୋଗରେ ଚାର୍ଜସିଟ ଥିବା ମହିଳାଙ୍କୁ ଡ୍ୟାନ୍ସ ପାଇଁ ମନା ହୋଇଛି । ଡ୍ୟାନ୍ସ କରୁଥିବା ମହିଳାମାନଙ୍କୁ ବାର ମାଲିକମାନେ ବ୍ୟକ୍ତିଗତ ସୁରକ୍ଷା ପ୍ରଦାନ କରିବେ । ବାରମାନଙ୍କରେ ଗ୍ରାହକମାନେ ସିଧାସଳଖ ଭାବେ ଟଙ୍କା କି କୌଣସି ଉପହାର ଦେଇ ପାରିବେ ନାହିଁ । ବାର ପରିସରରେ ସିଗାରେଟ୍ ସେବନକୁ ଅନୁମତି ନାହିଁ । ଏନେଇ ରାଜ୍ୟ ସରକାରଙ୍କ ଅବକାରୀ ବିଭାଗ ତରଫରୁ ଏକ ସଂଶୋଧିତ ବିଜ୍ଞପ୍ତି ଜାରି ହୋଇଛି ।