fbpx

ଗୃହରେ ଅବକାରୀ ମନ୍ତ୍ରୀଙ୍କ ବୟାନ, କହିଲେ- ‘ଓଡ଼ିଶାରେ ଡ୍ୟାନ୍ସ ବାର୍ ସଂପୂର୍ଣ୍ଣ ବନ୍ଦ ହେବ’

ଭୁବନେଶ୍ୱର : ରାଜ୍ୟରେ ଡ୍ୟାନ୍ସ ବାର୍ ସଂପୂର୍ଣ୍ଣ ବନ୍ଦ ହେବ କହିଲେ ଅବକାରୀ ମନ୍ତ୍ରୀ । ଗୃହରେ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ସୂଚନା । ଓଡିଆ ଅସ୍ମିତାକୁ ନେଇ ନୂଆ ଅବକାରୀ ନୀତି ଅଣାଯିବ । ସ୍କୁଲ, କଲେଜ, ମନ୍ଦିର ପାଖରେ ମଦ ଦୋକାନ ରହିବନି । ଶିକ୍ଷାନୁଷ୍ଠାନ ଓ ମନ୍ଦିର ଠାରୁ ଯଥେଷ୍ଟ ଦୂରରେ ରହିବ ମଦ ଦୋକାନ ।

ଚୋରା ମଦ କାରବାର ନେଟୱାର୍କର ମୂଳୋତ୍ପାଟନ ହେବ ।ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ରାମ ଚନ୍ଦ୍ର କାଡାମ ଓ ଶ୍ରୀଯୁକ୍ତ ଅଶୋକ କୁମାର ଦାସ ଆଣିଥିବା ମୁଲତବୀ ପ୍ରସ୍ତାବ “ଗଞ୍ଜାମ ଜିଲ୍ଲା ଚିକିଟି ଅଞ୍ଚଳରେ ଘଟିଥିବା ବିଷାକ୍ତ ମଦ ମୃତ୍ୟୁ ମାମଲାର ତଦନ୍ତ ଓ କାର୍ଯ୍ୟାନୁଷ୍ଠାନ ପରିବର୍ତ୍ତେ ସତ୍ୟ ଓ ତଥ୍ୟ ଲୁଚାଇବାକୁ ସରକାରଙ୍କ ଉଦ୍ୟମ ଯୋଗୁଁ ବ୍ୟାପକ ଜନ ଅସନ୍ତୋଷ ” ର ଉତ୍ତର ରଖିଛନ୍ତି ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ। ଉତ୍ତରରେ ସେ କହିଛନ୍ତି ଯେ ଅଗଷ୍ଟ ୧୯ ତାରିଖରେ ଗଞ୍ଜାମ ଜିଲ୍ଲା କେ,ନୂଆଗାଁ ଥାନା ଅନ୍ତର୍ଗତ ମୌନ୍ଦପୁର ଗ୍ରାମରେ ବେଆଇନ ଦେଶୀ ମଦ ପିଇବା କାରଣରୁ ପେଟ ଯନ୍ତ୍ରଣା ଓ ବାନ୍ତି ଭଳି ଲକ୍ଷଣ ଦେଖାଯିବାର ସୂଚନା ଜିଲ୍ଲା ପ୍ରଶାସନର ହସ୍ତଗତ ହୋଇଥିଲା ।ତେବେ ପରେ ଚିକିଟିର ସିଏଚସିରେ ଭର୍ତ୍ତି ହୋଇଥିବା ୧୮ ଜଣ ରୋଗୀଙ୍କୁ ତୁରନ୍ତ ପ୍ରାଥମିକ ଚିକିତ୍ସା ପ୍ରଦାନ କରାଯିବା ସହ ବ୍ରହ୍ମପୁର ଏମକେସିଜି ମେଡିକାଲ କଲେଜ ଓ ହସ୍ପିଟାଲର ଆଇସିୟୁ ଓ କାଜୁଆଲିଟି ୱାର୍ଡରେ ଅତିରିକ୍ତ ରୋଗୀଙ୍କୁ ରଖିବା ପାଇଁ ମଧ୍ୟ ସତର୍କ କରାଯାଇଥିଲା ।

ଚିକିଟିରେ ପ୍ରାଥମିକ ଚିକିତ୍ସା ପରେ ୧୫ ଜଣଙ୍କୁ ଅଧିକ ଚିକିତ୍ସା ପାଇଁ ବ୍ରହ୍ମପୁର ଏମକେସିଜି ମେଡିକାଲ କଲେଜ ଓ ହସ୍ପିଟାଲ କୁ ସ୍ଥାନାନ୍ତର କରାଯାଇଥିଲା । ଅତିରିକ୍ତ ରୋଗୀଙ୍କ ଯାତାୟାତ ସହାୟତା ନିମନ୍ତେ ପ୍ରସ୍ତୁତ ରହିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଓଏସଆରଟିସି ବସର ବ୍ୟବସ୍ଥା କରାଯାଇଥିଲା । ଗୁରୁତର ରୋଗୀଙ୍କ ଯାତାୟାତ ପାଇଁ ୧୦୮ ଆମ୍ବୁଲାନ୍ସ ସେବା ସମେତ ଆଖପାଖ ବ୍ଲକରୁ ଆମ୍ବୁଲାନ୍ସ ମୁତୟନ କରାଯାଇଥିଲା । ଗୁରୁତର ୨ ଜଣ ରୋଗୀଙ୍କୁ ତୁରନ୍ତ ୧୦୮ ଆମ୍ବୁଲାନ୍ସଯୋଗେ ବ୍ରହ୍ମପୁର ଏମକେସିଜିକୁ ସ୍ଥାନାନ୍ତର କରାଯିବା ସହ ଅନ୍ୟ ରୋଗୀ ମାନଙ୍କୁ ମଧ୍ୟ ସ୍ଥାନାନ୍ତର କରାଯାଇଥିଲା ।

Get real time updates directly on you device, subscribe now.