fbpx

ସ୍ୱାମୀଙ୍କ ପରେ ବିଜେପିକୁ ଆଉ ଏକ ଝଟକା, କ୍ୟାବିନେଟରୁ ଇସ୍ତଫା ଦେଲେ ମନ୍ତ୍ରୀ ଦାରା ସିଂହ ଚୌହ୍ୱାନ

ଲଖନଉ: ଉତ୍ତରପ୍ରଦେଶରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପୂର୍ବରୁ ଭାରତୀୟ ଜନତା ପାର୍ଟି ବା ବିଜେପିକୁ ଗୋଟିଏ ପରେ ଗୋଟିଏ ଝଟକା ଲାଗୁଛି । ସ୍ୱାମୀ ପ୍ରସାଦ ମୌର୍ଯ୍ୟଙ୍କ ପରେ ମନ୍ତ୍ରୀ ଦାରା ସିଂହ ଚୌହ୍ୱାନ ବିଜେପିକୁ ଶକ୍ତ ଝଟକା ଦେଇଛନ୍ତି । ଉତ୍ତରପ୍ରଦେଶ ସରକାରଙ୍କ ମନ୍ତ୍ରୀ ଦାରା ସିଂହ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି । ରାଜ୍ୟପାଳଙ୍କୁ ସେ ନିଜର ଇସ୍ତଫାପତ୍ର ଦେବା ସହିତ ଏହାର କାରଣ ମଧ୍ୟ ଲେଖିଛନ୍ତି ।

ଦାରା ସିଂହ ଇସ୍ତଫା ପତ୍ରରେ ଲେଖିଛନ୍ତି ଯେ, ‘ଯୋଗୀ ଆଦିତ୍ୟନାଥଙ୍କ କ୍ୟାବିନେଟରେ ଜଙ୍ଗଲ, ପରିବେଶ ଓ ପ୍ରାଣୀ ଉଦ୍ୟାନ ମନ୍ତ୍ରୀ ଭାବେ ମୁଁ ସମ୍ପୂର୍ଣ୍ଣ ସହଯୋଗ କରି ନିଜ ବିଭାଗର ଉନ୍ନତି ପାଇଁ କାମ କରିଥିଲି । କିନ୍ତୁ ପଛୁଆ, ବଞ୍ଚିତ, ଦଳିତ, କୃଷକ ଓ ବେରୋଜଗାରଙ୍କୁ ଅତ୍ୟଧିକ ଅବହେଳିତ ମନୋଭାବ ସହିତ ଦଳିତମାନଙ୍କ ସଂରକ୍ଷଣକୁ ନେଇ ସରକାର ଖେଳୁଛନ୍ତି । ଏଥିରେ ଆଘାତ ହୋଇ ମୁଁ ଉତ୍ତରପ୍ରଦେଶ ମନ୍ତ୍ରୀମଣ୍ଡଳରୁ ଇସ୍ତଫା ଦେଉଛି ।’

ତେବେ ଦାରାଙ୍କ ପୂର୍ବରୁ ଗତକାଲି ସ୍ୱାମୀ ପ୍ରସାଦ ମୋର୍ଯ୍ୟ ଯୋଗୀ କ୍ୟାବିନେଟରୁ ଇସ୍ତଫା ଦେଇଥିଲେ । ସେ ଟ୍ୱିଟ୍ କରି ଲେଖିଛନ୍ତି ଯେ, ‘ଦଳିତ, ପଛୁଆ, କୃଷକ, ବେକାର ଯୁବକ ଓ କ୍ଷୁଦ୍ର ଚାଷୀ ଓ ମଧ୍ୟମ ବ୍ୟବସାୟୀଙ୍କ ପ୍ରତି ଘୋର ଅବହେଳିତ ମନୋଭାବ ହେତୁ ମୁଁ ଉତ୍ତରପ୍ରଦେଶର ଯୋଗୀ କ୍ୟାବିନେଟରୁ ଇସ୍ତଫା ଦେଉଛି ।’ ସ୍ୱାମୀ ପ୍ରସାଦ ମୌର୍ଯ୍ୟ ବିଜେପି ପୂର୍ବରୁ ବହୁଜନ ସମାଜ ପାଟିରେ ଥିଲେ । ତାଙ୍କୁ ବିଏସପି ସୁପ୍ରିମୋ ମାୟାବତୀଙ୍କ ଡାହାଣ ହାତ ବୋଲି କୁହାଯାଉଥିଲା ।

Get real time updates directly on you device, subscribe now.