fbpx

କାମ ଦେଲାନି ଜି ହଜୁର, ପାକିସ୍ତାନକୁ ନିଜର ଔକାତ ଦେଖାଇଲା ଚୀନ, କହିଲା- ପ୍ରଥମେ କ୍ଷତିପୂରଣ ଦିଅ ତା ପରେ…

ନୂଆଦିଲ୍ଲୀ : ପାକିସ୍ତାନର ପରମ ମିତ୍ର ଚୀନ ଦାସୁ ଡ୍ୟାମ ପ୍ରୋଜେକ୍ଟରେ ପ୍ରାଣ ହରାଇଥିବା ଚୀନ ଇଞ୍ଜିନିୟରଙ୍କ ପାଇଁ ପାକିସ୍ତାନଠୁ ୨୮୫ କୋଟି ଟଙ୍କାର କ୍ଷତିପୂରଣ ଦାବି କରିଛି । ପାକିସ୍ତାନ ଖବରକାଗଜ ବିଜନେସ ରେକର୍ଡରର ରିପୋର୍ଟ ଅନୁଯାୟୀ, ଚୀନ ଚାହୁଁଛି ଅଟକିଥିବା କାମ ପୁଣି ଥରେ ଆରମ୍ଭ ହେବା ପୂର୍ବରୁ ମୃତକ ଚୀନ ଇଞ୍ଜିନିୟରଙ୍କ ପରିବାରକୁ ପାକିସ୍ତାନ କ୍ଷତିପୂରଣ ଦେଉ । ସୂଚନାଯୋଗ୍ୟ, ୨୦୨୧ ଜୁଲାଇ ୧୪ ତାରିଖରେ ଆକ୍ରମଣରେ ୯ ଚୀନ ଇଞ୍ଜିନିୟର, ଦୁଇ ସ୍ଥାନୀୟ ଲୋକ ଏବଂ ଅନ୍ୟ ଦୁଇ ଜଣ କର୍ମଚାରୀ ପ୍ରାଣ ହରାଇଥିଲେ । ଏହି ହମଲାରେ ୨୪ରୁ ଅଧିକ ଲୋକ ଆହତ ହୋଇଥିଲେ । ବିସ୍ଫୋରକରେ ଭରା କାର ପ୍ରୋଜେକ୍ଟକୁ ଯାଉଥିବା ବସକୁ ଧକ୍କା ଦେବାରୁ ବସ୍ ଖାତକୁ ଖସି ପଡିଥିଲା ।

ଏହି ଘଟଣା ପରଠୁ ପ୍ରୋଜେକ୍ଟ କାମ ବନ୍ଦ ରହିଛି । ରିପୋର୍ଟ ମୁତାବକ ଚୀନ ନାଗରିକଙ୍କୁ କ୍ଷତିପୂରଣ ଦେବା ପ୍ରସଙ୍ଗରେ ଉଚ୍ଚସ୍ତରରେ ଆଲୋଚନା ଜାରି ରହିଛି । ବୈଦେଶିକ ମନ୍ତ୍ରଣାଳୟ, ଅର୍ଥ ମନ୍ତ୍ରଣାଳୟ, ଗୃହ ମନ୍ତ୍ରଣାଳୟ ଏବଂଜଳ ସମ୍ବଳ ମନ୍ତ୍ରଣାଳୟ ଚୀନ ଦୂତାବାସ ସହ କ୍ଷତିପୂରଣ ଏବଂ ପ୍ରୋଜେକ୍ଟ କାମ ପ୍ରସଙ୍ଗରେ ଆଲୋଚନା ଜାରି ରହିଛି । ସମ୍ବନ୍ଧିତ ମନ୍ତ୍ରଣାଳୟ ମାମଲାକୁ ନେଇ ଏକ କମିଟି ଗଠନ କରିଛି, ଯିଏ ଦାସୁ ପ୍ରୋଜେକ୍ଟ ସଂପର୍କରେ କ୍ଷତିପୂରଣ ପ୍ରସଙ୍ଗରେ ବିଚାର ବିମର୍ଶ କରିବ । କମିଟିର ସଦସ୍ୟ ଚୀନ ଅଧିକାରୀଙ୍କ ସହ ଆଲୋଚନା କରି ମାମଲାର ସମାଧାନ କରିବା ସହ ପ୍ରୋଜେକ୍ଟ କାମ କେମିତି ପୁନର୍ବାର ଆରମ୍ଭ ହେବ ସେ ଦିଗରେ କାମ କରିବେ ।

ଆକ୍ରମଣ ପରେ ଚୀନ ଫର୍ମ ଚାଇନା ଗେଝୋଉବା ଗ୍ରୁପ ଦାସୁ ପ୍ରୋଜେକ୍ଟ କାମ ବନ୍ଦ କରି ଦେଇଥିଲା । ଗ୍ରୁପ ପାକିସ୍ତାନ ସରକାରଙ୍କ ଅନୁରୋଦ ପରେ ମଧ୍ୟ ପୁନର୍ବାର କାମ ଆରମ୍ଭ କରିନଥିଲା । କମ୍ପାନୀ କହିଥିଲା ଯେ, ସେ ପର୍ଯ୍ୟନ୍ତ କାମ ଆରମ୍ଭ ହେବ ନାହିଁ, ଯେ ପର୍ଯ୍ୟନ୍ତ କ୍ଷତିପୂରଣ ନମିଳିଛି ଏବଂ ଚୀନ ନାଗରିକଙ୍କୁ ଅଧିକ ସୁରକ୍ଷା ଯୋଗାଇ ଦିଆନଯାଇଛି ।

Get real time updates directly on you device, subscribe now.