ବନ୍ଧ କଡ଼ରେ ପଡ଼ିଛି ଖଣ୍ଡ ବିଖଣ୍ଡିତ ମୃତ ଦେହ, ପରିବାର ଲୋକେ ଆଣିଲେ ହତ୍ୟା ଅଭିଯୋଗ

ଉଦ୍ଧାର ହେଲା ରକ୍ତ ଜୁଡ଼ୁବୁଡ଼ୁ ମୃତ ଦେହ। ପୋଖରୀକୁ ଗାଧୋଇବାକୁ ଯାଇ ଫେରିଲେନି ଡମ୍ବରୁ।

ଗଞ୍ଜାମ: ପୁଣି ଏକ ହତ୍ୟା ଅଭିଯୋଗ। ନୂଆ ବର୍ଷ ଆରମ୍ଭରୁ ଘଟୁଛି ଗୋଟେ ପରେ ଗୋଟେ ଅପରାଧ। କେତେବେଳେ ରାସ୍ତା ଉପରେ ମୁଣ୍ଡ କାଟି ଦିଆଯାଉଛି ତ ଆଉ କେତେବେଳେ ଖଣ୍ଡ ଖଣ୍ଡ କରି ହାଣି ଦିଆଯାଉଛି।

ଆଉ ଏବେ ସେହିଭଳି ଏକ ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ବଡ଼ଗଡ଼ ଥାନା ରାଇବନ୍ଧ ଗ୍ରାମରେ। ସକାଳୁ ସକାଳୁ ଉକ୍ତ ଗ୍ରାମର ଡମ୍ୱରୁ ସ୍ୱାଇଁଙ୍କ ଖଣ୍ଡ ବିଖଣ୍ଡିତ ମୃତ  ଦେହ ପୋଖରୀ ଭିତରୁ ଉଦ୍ଧାର କରାଯାଇଛି। ହତ୍ୟା ଅଭିଯୋଗ କରିଛନ୍ତି ପରିବାର ଲୋକେ।

ମୃତକଙ୍କ ପରିଚୟ କ’ଣ : ମୃତକ ଜଣକ ହେଲେ ରାଇବନ୍ଧ ଗ୍ରାମର ଡମ୍ବୁରୁ ସ୍ବାଇଁ (45)। ସୂଚନା ମୁତାବକ ଡମ୍ବୁରୁ ସୁରଥରେ ଦାଦନ ଶ୍ରମିକ ଭାବେ କାମ କରନ୍ତି। କିଛି ଦିନ ତଳେ ଝିଅ ବାହାଘର ପାଇଁ ଗାଁକୁ ଆସିଥିଲେ।

ହେଲେ ସେ ଗାଁକୁ ଆସିବା ପରେ ତାଙ୍କ ମୋବାଇଲକୁ ହତ୍ୟା ଧମକ ଆସିଥିଲା। ଆଉ ସେହି ହତ୍ୟା ଧମକ ଦେଇଥିଲେ ସେହି ଗ୍ରାମର ଶଙ୍କର ସ୍ୱାଇଁଙ୍କ ପୁଅ ବାଇନାଥ ସ୍ୱାଇଁ।

ମୋବାଇଲ ମେସେଜରେ ଧମକ ଆସିଥିବା ନେଇ ପୂର୍ବରୁ ଡମ୍ବୁରୁ ବଡଗଡ ଥାନାରେ ଅଭିଯୋଗ ମଧ୍ୟ କରିଥିଲେ।

କିପରି ହେଲା ମୃତ୍ୟୁ: ମୃତକଙ୍କ ପରିବାର ଲୋକଙ୍କ କହିବା କଥା କିଛି ବର୍ଷ ହେବ ଦୁଇ ପରିବାର ମଧ୍ୟରେ କଳହ ଲାଗି ରହିଥିଲା। ଅନେକ ଥର ଆପୋଷ ବୁଝାମଣା ମଧ୍ୟ ହୋଇଥିଲା।

ମାତ୍ର ତିନି ଦିନ ପୂର୍ବରୁ ଶଙ୍କର ସ୍ୱାଇଁ ଠେଙ୍ଗା ଧରି ଡମ୍ବୁରୁଙ୍କ ପରିବାର ଲୋକଙ୍କ ସହ ଗାଳି ଗୁଲଜ କରିଥିବା ଅଭିଯୋଗ କରିଛନ୍ତି ମୃତକଙ୍କ ପରିବାର ଲୋକ।

ହେଲେ  ଅଠର ତାରିଖ ସନ୍ଧ୍ୟା ପ୍ରାୟ ସାଢେ ସାତଟା ସମୟରେ ଡମ୍ୱରୁ ପୋଖରୀକୁ ଗାଧୋଇବାକୁ ଯାଇ ଆଉ ଘରକୁ ଫେରିନଥିଲେ।

ପରିବାର ଲୋକ ଆଣିଲେ ହତ୍ୟା ଅଭିଯୋଗ: ଗାଧୋଇବାକୁ ଯାଇ ନ ଫେରିବାରୁ ଘର ଲୋକ ଫୋନ କରିଥିଲେ। କିନ୍ତୁ ଫୋନ ଉଠାଇନଥିଲେ ଡମ୍ବରୁ। ପରେ ପରିବାର ଲୋକେ ତାଙ୍କୁ ଖୋଜିବା ପାଇଁ ପୋଖରୀ ବନ୍ଧକୁ ଯାଇଥିଲେ।

ବନ୍ଧ ପାଖରେ ପହଞ୍ଚି ଦେଖିଲା ବେଳକୁ ଡମ୍ବରୁଙ୍କ ଖଣ୍ଡ ବିଖଣ୍ଡିତ ମୃତ ଦେହ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡିରହିଥିଲା। ପରେ ବରଗଡ ପୋଲିସ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚିି ତଦନ୍ତ କରୁଛି।