fbpx

ମାନବ ଶୃଙ୍ଖଳ ମଧ୍ୟରେ ଦିଲୀପଙ୍କ ବାସଭବନକୁ ନିଆଯାଉଛି ତାଙ୍କର ମରଶରୀର

Advertisement

ନୂଆଦିଲ୍ଲୀ: ବଲିଉଡର କିମ୍ବଦନ୍ତୀ ଅଭିନେତା ଦିଲୀପ କୁମାରଙ୍କ ମୃତ୍ୟୁ ଦେଶବାସୀଙ୍କ ମନରେ ଗଭୀର ଦୁଃଖ ଆଣିଦେଇଛି । ୯୮ ବର୍ଷରେ ମୁମ୍ବାଇର ହିନ୍ଦୁଜା ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଦିଲୀପଙ୍କର ଦେହାନ୍ତ ହୋଇଥିଲା । ଦିଲୀପଙ୍କର ମୃତ୍ୟୁ ସମ୍ବାଦ ପାଇ ବହୁ ସଂଖ୍ୟାରେ ତାଙ୍କର ଶୁଭେଚ୍ଛୁ ଓ ପ୍ରଶଂସକ ହସ୍ପିଟାଲ ବାହାରେ ରୁଣ୍ଡ ହୋଇଥିଲେ । ସୋସିଆଲ ମିଡିଆରେ ଦିଲୀପଙ୍କୁ ଅନେକ ଲୋକ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ପ୍ରବଳ ଭିଡ଼ ହୋଇଥିବାରୁ ଦିଲୀପଙ୍କର ମରଶରୀରକୁ ତାଙ୍କର ବାସଭବନକୁ ସୁରକ୍ଷିତ ଭାବେ ନେବା ପାଇଁ ପୋଲିସ ପକ୍ଷରୁ ଏକ ମାନବ ଶୃଙ୍ଖଳ ପ୍ରସ୍ତୁତ କରାଯାଇଥିଲା । ରାସ୍ତାର ଦୁଇ ପାଖରେ ଛିଡ଼ା ହୋଇ ଦିଲୀପଙ୍କ ପ୍ରଶଂସକମାନେ ତାଙ୍କର ମରଶରୀରକୁ ଅନ୍ତିମ ବିଦାୟ ଦେଇଥିଲେ ।

ଗତ ଏକ ମାସ ପୂର୍ବରୁ ‘ମୁଗଲ-ଇ-ଆଜମ’ର ଏହି ମହାନ୍ ଅଭିନେତାଙ୍କର ସ୍ୱାସ୍ଥ୍ୟାବସ୍ଥା ଠିକ୍ ରହିନଥିଲା । ଫଳରେ ବିଭିନ୍ନ ସମୟରେ ତାଙ୍କର ପରିବାର ବର୍ଗ ଦିଲୀପଙ୍କର ସ୍ୱାସ୍ଥ୍ୟ ସମ୍ପର୍କିତ ସମସ୍ତ ଖବରର ବିବରଣୀ ପ୍ରଦାନ କରୁଥିଲେ । ୧୯୨୨ ମସିହା ଡିସେମ୍ବର ୧୧ ତାରିଖରେ ସେ ପରାଧୀନ ଭାରତର ପେଶାୱାରରେ ଜନ୍ମଗ୍ରହଣ କରିଥିଲେ । ୧୯୯୪ ମସିହାରେ ସେ ଦାଦା ସାହେବ ଫାଲକେ ପୁରସ୍କାର ପାଇଥିଲେ । ଗତ ଜୁନ୍ ମାସ ୩୦ ତାରିଖରେ ସେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ୧୯୪୪ ମସିହାରେ ‘ଜ୍ୱାର୍ ଭଟ୍ଟା’ ଚଳଚ୍ଚିତ୍ରରୁ ସେ କ୍ୟାରିୟର ଆରମ୍ଭ କରିଥିଲେ । ସେ ପ୍ରତିମା, ମିଲନ, ଜୁଗ୍ନୁ, ମେଲା, ଶବନମ, ଅନ୍ଦାଜ, ବବୁଲ, ହଲଚଲ, ଦାଗ୍, ସୌଦାଗର ପରି ଫିଲ୍ମରେ ଅଭିନୟ କରିଥିଲେ । ୧୯୯୮ ମସିହାରେ ସେ କିଲା ଚଳଚ୍ଚିତ୍ରରେ ଶେଷ ଥର ପାଇଁ ଅଭିନୟ କରିଥିଲେ । ବିଗତ ୫ ଦଶନ୍ଧି ଧରି ସେ ଦର୍ଶକଙ୍କ ହୃଦୟର ରାଜ କରିବା ସହ ପ୍ରାୟ ୬୫ଟି ଫିଲ୍ମରେ ଅଭିନୟ କରିଥିଲେ । ସେ ନିଜ ଅଭିନୟ ଜୀବନରେ ଅନେକ ଫିଲ୍ମ ଅଫରକୁ ପ୍ରତ୍ୟାଖ୍ୟାନ କରିଦେଇଥିଲେ, କାରଣ ସେ ବାସ୍ତବ ଅଭିନୟକୁ ଅଧିକ ଗୁରୁତ୍ୱ ଦେଉଥିଲେ । ତାଙ୍କର ମୃତ୍ୟୁରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ବହୁ ରାଜନେତା, ଅଭିନେତା, କ୍ରୀଡ଼ାବିତ ତଥା ବିଶିଷ୍ଟ ବ୍ୟକ୍ତିମାନେ ଅମର ଆତ୍ମାର ସଦଗତି ନିମନ୍ତେ ଶୋକବ୍ୟକ୍ତ କରିଛନ୍ତି । ଦିଲୀପଙ୍କ ମୃତ୍ୟୁରେ ଭାରତୀୟ ଚଳଚ୍ଚିତ୍ର ଜଗତ ଏକ ଉଜ୍ଜ୍ୱଳ ତାରକାଙ୍କୁ ହରାଇଲା, ଯେଉଁ ସ୍ଥାନ ଯୁଗ ଯୁଗ ପାଇଁ ଅପୂରଣୀୟ ହୋଇ ରହିବ ।

Get real time updates directly on you device, subscribe now.