fbpx

୫ ଜଣ ଖେଳାଳିଙ୍କ ଉପରେ ନିଷ୍ପତ୍ତି, ଟି-୨୦ ବିଶ୍ୱକପ ପାଇଁ ୧୦ ଜଣଙ୍କ ସ୍ଥାନ ପକ୍କା: ଜାଣନ୍ତୁ କାହାକୁ ମିଳିବ ସୁଯୋଗ

ଓଡ଼ିଶା ଭାସ୍କର: ଟି-୨୦ ବିଶ୍ୱକପ ପାଇଁ ଭାରତୀୟ ଦଳ ଘୋଷଣାକୁ ଅପେକ୍ଷା କରି ରହିଛନ୍ତି କ୍ରୀଡ଼ାପ୍ରେମୀ । କେଉଁ ଖେଳାଳିଙ୍କୁ ମିଳିବ ସୁଯୋଗ, ତାହା ଉପରେ ଆଲୋଚନା, ପର୍ଯ୍ୟାଲୋଚନା ଜାରି ରହିଛି । ତେବେ ଆଇପିଏଲ ପ୍ରଦର୍ଶନ ଆଧାରରେ ଟି-୨୦ ବିଶ୍ୱକପ ପାଇଁ ଦଳ ଚୟନ କରିପାରେ ଟିମ ଇଣ୍ଡିଆ । ଆଇପିଏଲରେ ଶ୍ରେଷ୍ଠ ପ୍ରଦର୍ଶନ କରୁଥିବା ଭାରତୀୟ ଖେଳାଳିମାନଙ୍କ ମଧ୍ୟରୁ କିଛି ଖେଳାଳିଙ୍କୁ ଦଳରେ ସୁଯୋଗ ମିଳିପାରେ । ତେବେ ବର୍ତ୍ତମାନ ଭାରତୀୟ ଦଳରେ ୧୦ ଜଣ ଖେଳାଳିଙ୍କ ସ୍ଥାନ ଏକପ୍ରକାର ସୁନିଶ୍ଚିତ ହୋଇଥିବା ବେଳେ ମାତ୍ର ୫ ଜଣ ଖେଳାଳିଙ୍କ ଚୟନ ପାଇଁ ଆଲୋଚନା ହେଉଛି । ଏ ନେଇ ଖୁବଶୀଘ୍ର ଅଧିନାୟକ ରୋହିତ ଶର୍ମା ଏବଂ ମୁଖ୍ୟ କୋଚ୍ ରାହୁଲ ଦ୍ରାବିଡ ଚୟନ ସମିତି ସହ ଏକ ବୈଠକ କରିବ ନିଷ୍ପତ୍ତି ନେବେ ।

ଜୁନରେ ଆମେରିକା-ୱେଷ୍ଟଇଣ୍ଡିଜରେ ହେବାକୁ ଥିବା ଟି-୨୦ ବିଶ୍ୱକପ ପାଇଁ ମେ’ ପହିଲାରେ ଦଳ ଘୋଷଣା କରିପାରେ ଟିମ ଇଣ୍ଡିଆ । ବିଶ୍ୱକପରେ ଭାରତ ବିଜୟୀ ହେବାର ସମ୍ଭାବନା ଅଧିକ ରହିଥିବା ବେଳେ ଦଳ ଚୟନ ଉପରେ ସମସ୍ତଙ୍କ ନଜର ରହିଛି । ତେବେ ମିଳିଥିବା ସୂଚନା ଅନୁସାରେ, ଏହି ଦଳରେ ପ୍ରାୟ ୧୦ ଜଣ ଖେଳାଳିଙ୍କ ଚୟନ ନିଶ୍ଚିତ ହୋଇସାରିଛି । ତେଣୁ ମାତ୍ର ୫ ଜଣ ଖେଳାଳିଙ୍କ ନାମରେ ମୋହର ଲଗାଇବ ବିସିସିଆଇ । ତେବେ ଏଥିପାଇଁ ଆଶାୟୀଙ୍କ ଆଇପିଏଲ ପ୍ରଦର୍ଶନ ଉପରେ ରହିଛି ନଜର ।

ଏହି ଖେଳାଳିଙ୍କ ଚୟନ ନିଶ୍ଚିତ: ରୋହିତ ଶର୍ମା(ଅଧିନାୟକ), ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ଋଷଭ ପନ୍ତ, ହାର୍ଦ୍ଦିକ ପାଣ୍ଡ୍ୟା, ରବିନ୍ଦ୍ର ଜାଡେଜା, ଯଶପ୍ରୀତ ବୁମରାହ, କୁଳଦୀପ ଯାଦବ, ଅର୍ଶଦୀପ ସିଂହ, ମହମ୍ମଦ ସିରାଜ

ରୋହିତ ଶର୍ମା ଏବଂ ଦ୍ରାବିଡଙ୍କ ମଧ୍ୟରେ ବୈଠକରେ ଆଉ ମାତ୍ର ୫ ଜଣ ଖେଳାଳିଙ୍କ ଚୟନକୁ ନେଇ ଆଲୋଚନା କରାଯିବ । ଏହି ତାଲିକାରେ ଅଲରାଉଣ୍ଡର, ୱିକେଟ କିପର, ଫିନିସର ଏବଂ ସ୍ପିନର ଭୂମିକାରେ ଜଣେ ଜଣେ ଖେଳାଳିଙ୍କ ଚୟନ ଉପରେ ଚର୍ଚ୍ଚା ହେବ । ତେବେ ଅଲରାଉଣ୍ଡର ଭୂମିକା ପାଇଁ ଶିବମ ଦୁବେଙ୍କ ନାଁ ଖୁବ ଆଗରେ ରହିଛି । କିନ୍ତୁ ବୋର୍ଡ ପାଇଁ ସବୁଠୁ ଦ୍ୱନ୍ଦ୍ୱ ପାଲଟିଛି ୱିକେଟ କିପର ଚୟନ । ଏହି ତାଲିକାରେ ଇଶାନ୍ କିଶାନ୍, ସଞ୍ଜୁ ସାମସନ ଏବଂ କେ.ଏଲ ରାହୁଲଙ୍କ ସହ ଦିନେଶ କାର୍ତ୍ତିକ ମଧ୍ୟ ସାମିଲ ରହିଛନ୍ତି । ତେବେ ଏମାନଙ୍କ ମଧ୍ୟରୁ ଜଣେ ଦଳରେ ସୁଯୋଗ ପାଇପାରନ୍ତି । ସେହିପରି ସ୍ପିନର ଭାବରେ ୟୁଜବେନ୍ଦ୍ର ଚହଲ ଫିନିଶର ଭାବରେ ରିଙ୍କୁ ସିଂହଙ୍କୁ ଦଳରେ ସୁଯୋଗ ଦେଇପାରେ ବୋର୍ଡ । ଏହାବ୍ୟତୀତ ଅଭିଶେକ ଶର୍ମା ଅତିରିକ୍ତ ଓପନର ଭାବରେ ବିଶ୍ୱକପ ଦଳରେ ସାମିଲ ହୋଇପାରନ୍ତି ବୋଲି ଆଶା କରାଯାଉଛି ।

ଏମିତି ରହିପାରେ ବିଶ୍ୱକପ ଦଳ: ରୋହିତ ଶର୍ମା(ଅଧିନାୟକ), ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ଋଷଭ ପନ୍ତ, ହାର୍ଦ୍ଦିକ ପାଣ୍ଡ୍ୟା, ରବିନ୍ଦ୍ର ଜାଡେଜା, ଯଶପ୍ରୀତ ବୁମରାହ, କୁଳଦୀପ ଯାଦବ, ଅର୍ଶଦୀପ ସିଂହ, ମହମ୍ମଦ ସିରାଜ, ୟୁଜବେନ୍ଦ୍ର ଚହଲ, ଶିବମ ଦୁବେ, ରିଙ୍କୁ ସିଂହ, ଦିନେଶ କାର୍ତ୍ତିକ/ କେ.ଏଲ ରାହୁଲ/ସଞ୍ଜୁ ସାମସନ ।

Get real time updates directly on you device, subscribe now.