fbpx

ପ୍ୟାରିସ୍ ଅଲିମ୍ପିକ୍ସର ଅଷ୍ଟମ ଦିବସ: ଆର୍ଚେରୀ ମହିଳା ସିଙ୍ଗଲ୍ସ କ୍ୱାର୍ଟର ଫାଇନାଲରେ ଦୀପିକା କୁମାରୀ

ନୂଆଦିଲ୍ଲୀ: ଆଜି ହେଉଛି ପ୍ୟାରିସ ଅଲିମ୍ପିକ୍ସର ଅଷ୍ଟମ ଦିବସ । ଆଜି ୨୫ ମିଟର ମହିଳା ଶୁଟିଂ ଇଭେଣ୍ଟରେ ମନୁ ଭାକର ମାତ୍ର ୧ ପଏଣ୍ଟ ପାଇଁ ପଦକ ବିଜୟରୁ ବଞ୍ଚିତ ହୋଇଥିଲେ । ଏହା ପୂର୍ବରୁ ମନୁ ଚଳିତ ଅଲିମ୍ପିକ୍ସରେ ୨ଟି ପଦକ ଜିତିଥିଲେ । ତଥାପି ମନୁଙ୍କ ପ୍ରଦର୍ଶନକୁ ସାରା ଦେଶ ବେଶ୍ ପ୍ରଶଂସା କରୁଛି । ତେବେ ଏହା ମଧ୍ୟରେ ଆଜି ତିରନ୍ଦାଜୀରେ ଭାରତୀୟ ଆଥଲେଟ୍ ଉଚ୍ଚକୋଟୀର ପ୍ରଦର୍ଶନ କରିଛନ୍ତି । ଆର୍ଚେରୀ ମହିଳା ସିଙ୍ଗଲ୍ସର କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି ଭାରତୀୟ ତୀରନ୍ଦାଜ ଦୀପିକା କୁମାରୀ । ସେହିପରି ଅନ୍ୟ ଭାରତୀୟ ତୀରନ୍ଦାଜ ଭଜନ କୌର ମଧ୍ୟ ମୁକାବିଲାକୁ ଓହ୍ଲାଇଛନ୍ତି ।

ଦୀପିକା ଜର୍ମାନୀର ମିଶେଲ କ୍ରୋପେନଙ୍କ ବିପକ୍ଷରେ ଏହି ପ୍ରି-କ୍ୱାର୍ଟର ଫାଇନାଲ ମୁକାବିଲା ଜିତିଥିଲେ । ଦୀପିକା ତାଙ୍କର ପ୍ରତିପକ୍ଷଙ୍କୁ ୬-୩ ବ୍ୟବଧାନରେ ପରାସ୍ତ କରି କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଥିଲେ । ସୂଚନାଯୋଗ୍ୟ ଯେ, ଚଳିତ ଅଲିମ୍ପିକ୍ସରେ ଭାରତ ବର୍ତ୍ତମାନ ସୁଦ୍ଧା ମୋଟ ୩ଟି ପଦକ ଜିତିଛି । ମହିଳା ୧୦ ମିଟର ଏୟାର ପିସ୍ତଲ ଇଭେଣ୍ଟରେ ମନୁ ଭାକର ବ୍ରୋଞ୍ଜ, ମିକ୍ସଡ ୧୦ ମିଟର ଏୟାର ପିସ୍ତଲ ଇଭେଣ୍ଟରେ ମନୁ ଭାକର- ସରବଜୋତ ସିଂହ ବ୍ରୋଞ୍ଜ ଓ ୫୦ ମିଟର ରାଇଫଲ ଥ୍ରୀ ପୋଜିସନରେ ସ୍ୱପ୍ନିଲ କୁସାଲେ ବ୍ରୋଞ୍ଜ ଜିତିଥିଲେ ।

Get real time updates directly on you device, subscribe now.