fbpx

କୁନ୍ନୁର କ୍ରାସ: ସଂସଦରେ ପ୍ରତିରକ୍ଷା ମନ୍ତ୍ରୀଙ୍କ ବିବୃତି, କହିଲେ- ‘ଲ୍ୟାଣ୍ଡିଂର ୭ ମିନିଟ୍ ପୂର୍ବରୁ…’

ନୂଆଦିଲ୍ଲୀ: ତାମିଲନାଡୁ କୁନ୍ନୁରରେ ଭାରତୀୟ ବାୟୁସେନା ହେଲିକପ୍ଟର ଦୁର୍ଘଟଣା ସିଡିଏସ ବିପିନ ରାୱତଙ୍କ ସମେତ ୧୩ ଜଣଙ୍କର ମୃତ୍ୟୁ ହୋଇଛି । ଏହି ପ୍ରସଙ୍ଗରେ ସଂସଦର ଉଭୟ ଗୃହରେ ବିବୃତି ରଖିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । ରାଜନାଥଙ୍କ କହିବା ଅନୁସାରେ, ‘ସିଡିଏସ୍ ବିପିନ ରାୱତ ସୁଲୁର ଏୟାର ବେସରୁ ଉଡ଼ାଣ ଭରିଥିଲେ । ସେ ଏୟାର ବେସରୁ ପ୍ରାୟ ୧୧ଟା ୪୮ ମିନିଟରେ ଉଡ଼ାଣ ଭରିଥିଲେ । ୧୨ଟା ୮ରେ ହେଲିକପ୍ଟର ସହ ସମସ୍ତ ସମ୍ପର୍କ ଛିନ୍ନ ହୋଇଯାଇଥିଲା । ୧୨ଟା ୧୫ରେ ୱେଲିଂଟନରେ ହେଲିକପ୍ଟର ଲ୍ୟାଣ୍ଡିଂ କରିବାର ଥିଲା ।’

ଲ୍ୟାଣ୍ଡିଂର ୭ ମିନିଟ୍ ପୂର୍ବରୁ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ହେଲିକପ୍ଟରରେ ଥିବା ୧୪ ଜଣଙ୍କ ମଧ୍ୟରୁ ୧୩ ଜଣଙ୍କର ମୃତ୍ୟୁ ହୋଇଥିଲା । ସିଡିଏସ୍ ବିପିନ୍ ରାୱତ ଓ ତାଙ୍କ ପତ୍ନୀଙ୍କ ସମେତ ୧୩ ଜଣଙ୍କ ମୃତ୍ୟୁ ହୋଇଛି । ସମସ୍ତ ମୃତକଙ୍କ ପାର୍ଥିକ ଶରୀର ସନ୍ଧ୍ୟା ସୁଦ୍ଧା ଦିଲ୍ଲୀ ଅଣାଯିବ । ଦୁର୍ଘଟଣାରେ ଗ୍ରୁପ୍ କ୍ୟାପଟେନ୍ ବରୁଣ ସିଂହ ଗୁରୁରତ ଅଛନ୍ତି । ଗୁରୁତର ବରୁଣ ସିଂହ ଏବେ ଲାଇଫ୍ ସପୋର୍ଟରେ ଅଛନ୍ତି ଓ ତାଙ୍କର ଚିକିତ୍ସା ଚାଲିଛି । ସ୍ଥାନୀୟ ଲୋକେ ନିଆଁ ଲାଗିବା ଦେଖିବା ପରେ ସୂଚନା ଦେଇଥିଲେ । ଦୁର୍ଘଟଣା ପରେ ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା । ଦୁର୍ଘଟଣାର ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି ବୋଲି ରାଜନାଥ କହିଛନ୍ତି ।

ଏୟାର ମାର୍ଶଲ ମାନବେନ୍ଦ୍ର ସିଂ ତଦନ୍ତର ନେତୃତ୍ୱ ନେବେ । କାଲି ତଦନ୍ତକାରୀ ଟିମ୍ ଦୁର୍ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଏଭଳି ଘଟଣାରେ ମୃତକଙ୍କ ପରିବାର ପ୍ରତି ସମବେଦନା ଜଣାଉଛି ବୋଲି ଗୃହରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କହିଛନ୍ତି ।

Get real time updates directly on you device, subscribe now.