fbpx
BSKY
BJD MC SKY
BJD YOUTH SKY

IPL 2022: ଦିଲ୍ଲୀ ଓ ପଞ୍ଜାବ ମଧ୍ୟରେ ଆଜି ‘କର ବା ମର’ ମୁକାବିଲା, ହାରିବା ଦଳ ପ୍ଲେ ଅଫରୁ ପଡିବ ବାଦ୍

ମୁମ୍ବାଇ: ଆଇପିଏଲ ୨୦୨୨ର ୬୪ତମ ମୁକାବିଲାରେ ଆଜି ମୁହାଁମୁହିଁ ହେବେ ଦିଲ୍ଲୀ କ୍ୟାପିଟାଲ୍ସ ଏବଂ ପଞ୍ଜାବ କିଙ୍ଗ୍ସ। ଏହି ମ୍ୟାଚ୍ ଦୁଇ ଦଳ ପାଇଁ ବେଶ୍ ଗୁରୁତ୍ଵପୂର୍ଣ୍ଣ ରହିଛି। କାରଣ ଯେଉଁ ଦଳ ହାରିବ ପ୍ଲେ ଅଫ ଦୌଡରୁ ବାଦ୍ ପଡିବା ନିଶ୍ଚିତ। ତେଣୁ ଦୁଇ ଦଳ ଏହି ମ୍ୟାଚ୍ ଜିତି ପ୍ଲେ ଅଫ ଦୌଡରେ ରହିବା ଲକ୍ଷ୍ୟ ନେଇ ପଡିଆକୁ ଓହ୍ଲାଇବେ। ଏହି ମୁକାବିଲା ନଭି ମୁମ୍ବାଇର ଡିଓ୍ଵାଇ ପାଟିଲ୍ ଷ୍ଟାଡିୟମରେ ଖେଳାଯିବ। ଦିଲ୍ଲୀ ଏବଂ ପଞ୍ଜାବ ଚଳିତ ସିଜିନରେ ଏ ପର‌୍ୟ୍ୟନ୍ତ କ୍ରମାଗତ ଦୁଇଟି ମ୍ୟାଚ୍ ଜିତି ପାରି ନାହାନ୍ତି। ଦୁଇ ଦଳ ପାଇଁ ଆଜିର ମ୍ୟାଚ୍ ଜିତିବା ଜରୁରୀ ହୋଇ ପଡିଛି। ତେଣୁ ମୁକାବିଲା ବେଶ ରୋମାଞ୍ଚକର ହେବ ବୋଲି ଆଶା କରାଯାଉଛି।

ପଞ୍ଜାବ ୧୨ ପଏଣ୍ଟ ସହ ପଏଣ୍ଟ ଟେବୁଲର ସପ୍ତମ ସ୍ଥାନରେ ରହିଛି। ଦଳର ନେଟ୍ ରନ ରେଟ୍ ଯୁକ୍ତ ୦.୦୨୩ ରହିଛି। ଦିଲ୍ଲୀ ମଧ୍ୟ ୧୨ ପଏଣ୍ଟ ପାଇଛି। ଦଳର ନେଟ୍ ରନ ରେଟ୍ ଯୁକ୍ତ ୦.୨୧୦ ରହିଛି। ହେଲେ ଭଲ ନେଟ୍ ରନ ରେଟ୍ କାରଣରୁ ଦିଲ୍ଲୀ ପଏଣ୍ଟ ଟେବୁଲର ପଞ୍ଚମ ସ୍ଥାନରେ ରହିଛି। ଯେଉଁ ଦଳ ଆଜିର ମ୍ୟାଚ୍ ଜିତିବ ପ୍ଲେ ଅଫ ଦୌ଼ଡରେ ନିଜର ସ୍ଥିତି ମଜବୁତ କରି ପାରିବ। ପରାଜିତ ଦଳ ଟୁର୍ଣ୍ଣାମେଣ୍ଟରୁ ବାଦ୍ ପଡିବ।

ନିଜର ଗତ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସ ରାଜସ୍ଥାନ ରୟାଲ୍ସକୁ ୮ ଓ୍ଵିକେଟରେ ହରାଇଥିଲା। ଦଳ ଏହି ଆତ୍ମ ବିଶ୍ଵାସର ସହ ମଇଦାନକୁ ଓହ୍ଲାଇବ। ପଞ୍ଜାବ କିଙ୍ଗ୍ସ ମଧ୍ୟ ନିଜର ପୂର୍ବ ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁକୁ ହରାଇଥିଲା। ଦିଲ୍ଲୀ ପାଇଁ ବଡ ଆଶ୍ଵସ୍ତିକର ବିଷୟ ଏହା ଯେ, ମିଚେଲ୍ ମାର୍ଶ ଫର୍ମକୁ ଫେରିଛନ୍ତି। ଅଧିନାୟକ ଋଷଭ ପନ୍ତଙ୍କ ଉପରେ ମଧ୍ୟ ସଭିଙ୍କ ନଜର ରହିବ। ରୋଭମ୍ୟାନ ପାଓ୍ଵେଲ ଏହା ଦେଖାଇ ଦେଇଛନ୍ତି ଯେ, ଶୀର୍ଷ କ୍ରମ ଭଲ ବ୍ୟାଟିଂ କଲେ ସେ ନିମ୍ନ କ୍ରମରେ ଭଲ ଫିନିସ କରି ପାରିବେ।

ପଞ୍ଜାବ ପାଇଁ ବୋଲର ଅର୍ଶଦୀପ ସିଂହ ଦମଦାର ପ୍ରଦର୍ଶନ କରିଛନ୍ତି। ମାତ୍ର ରାହୁଲ ଚହର ମହଙ୍ଗା ସାବ୍ୟସ୍ତ ହେଉଛନ୍ତି। ଜୋନି ବେୟାରଷ୍ଟୋ ଏବଂ ଲିୟାନ ଲିଭିଙ୍ଗଷ୍ଟୋନଙ୍କ ଯୋଡି ଦମଦାର ଫର୍ମରେ ଅଛନ୍ତି। ଦୁଇ ବ୍ୟାଟସମ୍ୟାନ ବେଙ୍ଗାଲୁରୁ ବିପକ୍ଷରେ ନିଜର ଦମ ଦେଖାଇଛନ୍ତି। ଶିଖର ଧାଓ୍ଵନ ୪୦୦ରୁ ଅଧିକ ରନ କରି ଦଳ ପକ୍ଷରୁ ସର୍ବାଧିକ ରନ ହାସଲକାରୀ ବ୍ୟାଟସମ୍ୟାନ ହୋଇ ପାରିଛନ୍ତି। କର ବା ମର ମୁକାବିଲାରେ ଦଳ ଧାଓ୍ଵନଙ୍କଠୁ ମଧ୍ୟ ବହୁତ ଆଶା ରଖିଛି।

ଦୁଇ ଦଳର ସମ୍ଭାବିତ ଚୂଡାନ୍ତ ଏକାଦଶ

ଦିଲ୍ଲୀ କ୍ୟାପିଟାଲ୍ସ- ପୃଥ୍ଵୀ ଶ, ଡେଭିଡ୍ ଓ୍ଵାର୍ଣ୍ଣର, ଋଷଭ ପନ୍ତ(ଅଧିନାୟକ/ଓ୍ଵିକେଟ୍ କିପର), ରୋଭମ୍ୟାନ ପାଓ୍ଵେଲ, ଅକ୍ଷର ପଟେଲ୍, ମିଚେଲ୍ ମାର୍ଶ, ଶାର୍ଦ୍ଦୁଳ ଠାକୁର, କୁଲଦୀପ ଯାଦବ, ଏନରିକ ନୋର୍ତ୍ତଜେ, ଖଲିଲ ଅହମ୍ମଦ/ଚେତନ ସକାରିଆ।

ପଞ୍ଜାବ କିଙ୍ଗ୍ସ- ମୟଙ୍କ ଅଗ୍ରଓ୍ଵାଲ(ଅଧିନାୟକ), ଶିଖର ଧାଓ୍ଵନ, ଭାନୁକା ରାଜପକ୍ଷ, ଜୋନି ବେୟାରଷ୍ଟୋ(ଓ୍ଵିକେଟ୍ କିପର), ଲିୟାନ ଲିଭିଙ୍ଗଷ୍ଟୋନ, ଜିତେଶ ଶର୍ମା, ଋଷି ଧାଓ୍ଵନ, କାଗିସୋ ରାବଡା, ରାହୁଲ ଚହର, ହରପ୍ରୀତ ବରାର, ଅର୍ଶଦୀପ ସିଂହ।

Get real time updates directly on you device, subscribe now.