fbpx

ଦିଲ୍ଲୀ ଖେଳାଳିଙ୍କ ୧୬ଟି ବ୍ୟାଟ୍ ସହ ଦାମୀ ଜିନିଷ ଚୋରି: ଆଗକୁ ମ୍ୟାଚ ଖେଳିବେ କେମିତି?

ନୂଆଦିଲ୍ଲୀ: ଇଣ୍ଡିଆନ୍ ପ୍ରିମିୟର ଲିଗ୍ ରୋମାଞ୍ଚ ବର୍ତ୍ତମାନ ଏକ ନୂଆ ମୋଡ ନେବାରେ ଲାଗିଛି । କିନ୍ତୁ ଏହା ମଧ୍ୟରେ ଏକ ସଂଘାତିକ ତଥା ଆଶ୍ଚର୍ଯ୍ୟକର ଘଟଣା ସାମନାକୁ ଆସିଛି । ଦିଲ୍ଲୀ କ୍ୟାପିଟାଲ୍ସ ଦଳର କିଛି ଖେଳାଳିମାନଙ୍କ କିଟ୍ ହିଁ ଚୋରାଇ ନେଇଛନ୍ତି ଲୁଟେରା । ତେବେ ଖେଳାଳିମାନଙ୍କର ଲକ୍ଷ ଲକ୍ଷ ଟଙ୍କାର ଦାମୀ ବ୍ୟାଟ ସହିତ ପ୍ୟାଡ, ଜୋତା, ଥାଇ ପ୍ୟାଡ ଏବଂ ଗ୍ଲୋଭସ ଇତ୍ୟାଦି ମଧ୍ୟ ଚୋରାଇ ନେଇ ଛୁ ମନ୍ତର ମାରିଛନ୍ତି ଦୁର୍ବୃତ୍ତ । ରବିବାର ବାଙ୍ଗାଲୋର ବିପକ୍ଷରେ ମ୍ୟାଚ ଖେଳି ଦିଲ୍ଲୀରେ ପହଞ୍ଚିଥିଲା ଟିମ୍ । କିନ୍ତୁ ସେଠାରେ ପହଞ୍ଚି ଏହି କିଟ୍ଗୁଡିକ ଚୋରି ହୋଇଥିବା ସେମାନେ ଜାଣିବାକୁ ପାଇଥିଲେ ।

ଦଳର ଅଧିନାୟକ ଡାଭିଡ ୱାର୍ଣ୍ଣରଙ୍କର ୩ଟି ବ୍ୟାଟ୍ ଚୋରି ହୋଇଥିବା ନେଇ ଅଭିଯୋଗ ହୋଇଛି । ଏହା ସହିତ ଅଲରାଉଣ୍ଡର ମିଚେଲ ମାର୍ଶଙ୍କର ୨ଟି ଏବଂ ଫିଲ୍ ସଲ୍ଟଙ୍କର ୩ଟି ବ୍ୟାଟ ଚୋରି ହୋଇଥିବା ବେଳେ ୟସ୍ ଧୂଲଙ୍କର ୫ଟି ବ୍ୟାଟ ଚେରାଇ ନେଇଛନ୍ତି ଲୁଟେରା । ଏହାବ୍ୟତୀତ ଅନ୍ୟ ଖେଳାଳିମାନଙ୍କର ଜୋତା, ଗ୍ଲୋଭସ ଏବଂ ଅନ୍ୟ କିଟ୍ ମଧ୍ୟ ଚୋରି ହୋଇଥିବା ଜଣାଯାଇଛି । ତେବେ ଚୋରି ହୋଇଥିବା ଏହି ସବୁ ବ୍ୟାଟ ପ୍ରାୟତଃ ଏକ ଲକ୍ଷରୁ ଅଦିକ ଦାମ୍ ହେବ ବୋଲି କୁହାଯାଇଛି । ମିଳିଥିବା ସୂଚନା ଅନୁଯାୟୀ, ଖେଳାଳିମାନେ ଏୟାରପୋର୍ଟରୁ ଯାଇ ହୋଟେଲରେ ପହଞ୍ଚିବାର କିଛି ସମୟ ପରେ ପହଞ୍ଚିଥିଲା ସେମାନଙ୍କର ବ୍ୟାଗ୍ । ଏହାପରେ ସେମାନେ ନିଜ ବ୍ୟାଗରେ ଏସବୁ ଜିନିଷ ନ ପାଇ ଫ୍ରାଞ୍ଚାଇଜିର ଅଧିକାରୀଙ୍କୁ ଚୋରି ସମ୍ପର୍କରେ ଜଣାଇଥିଲେ । ପରେ ଏ ନେଇ ମାମଲା ମଧ୍ୟ ରୁଜୁ ହୋଇଛି ।

ଅଭିଯୋଗ ଅନୁସାରେ, ଦଳର ପ୍ରାୟ ସମସ୍ତ ଖେଳାଳିଙ୍କ ବ୍ୟାଗରୁ କିଛି କିଛି ଜିନିଷ ଚୋରି ହୋଇଥିବା ଜଣାଯାଇଛି । ତେଣୁ ଏଭଳି ପରିସ୍ଥିତିରେ ଆଗାମୀ ମ୍ୟାଚରେ ଖେଳିବା ନେଇ ଆଶଙ୍କା ଦେଖାଦେବାରୁ ଯଥାଶୀଘ୍ର କିଛି ବ୍ୟାଟ ଏବଂ କିଟ୍ ପଠାଇବାକୁ କମ୍ପାନୀକୁ କ୍ରିକେଟର ମାନେ ଅନୁରୋଧ କରିଛନ୍ତି । ତେବେ ଏ ଘଟଣା ନେଇ ଏୟାରପୋର୍ଟ ଡିସିପି କହିଛନ୍ତି ଯେ, ଅଭିଯୋଗ ଆଧାରରେ ମାମଲା ରୁଜୁ କରାଯାଇ ତଦନ୍ତ କାର୍ଯ୍ୟ ଆରମ୍ଭ କରାଯାଇଛି ।

Get real time updates directly on you device, subscribe now.