fbpx

ଜିମ୍ ରେ ଏକ୍ସରସାଇଜ୍ କରୁଥିବା ସମୟରେ ଟ୍ରେଡମିଲ୍ ରେ ଆସିଲା କରେଣ୍ଟ , ଯୁବ ଇଂଜିନିୟରଙ୍କ ମୃତ୍ୟୁ

Advertisement

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀର ରୋହିଣୀ ଅଞ୍ଚଳରେ ଜିମ୍ ରେ ଏକ୍ସରସାଇଜ୍ କରୁଥିବା ସମୟରେ ଟ୍ରେଡମିଲ୍ ରେ କରେଣ୍ଟ ଆସିବାରୁ ଜଣେ ଯୁବ ଇଂଜିନିୟରଙ୍କ ମୃତ୍ୟୁ ଘଟିଛି । ଏହି ଘଟଣା ପରେ ସାରା ସହରରେ ଆତଙ୍କ ଖେଳିଯାଇଛି । ଘଟଣାର ସୂଚନା ମିଳିବା ପରେ ପୋଲିସ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଘଟଣାର ଯାଞ୍ଚ ଆରମ୍ଭ କରିଦେଇଛି । ଏହି ମାମଲାରେ ଜିମ୍ ସଞ୍ଚାଳକଙ୍କ ବିରୁଦ୍ଧରେ ମୋକଦ୍ଦମା ରୁଜୁ କରାଯାଇଛି ।

ଏହି ଘଟଣା ଦିଲ୍ଲୀର ରୋହିଣୀ ଅଞ୍ଚଳର । ରୋହିଣୀ ସେକ୍ଟର ୧୯ରେ ରହୁଥିବା ସକ୍ଷମ ପ୍ରୁଥୀ ରୋହିଣୀ ଇଲାକାରେ ଜିମପ୍ଲେକ୍ସ ଫିଟନେସ୍ ଜୋନ୍ ରେ ଏକ୍ସରସାଇଜ୍ କରିବାକୁ ଯାଉଥିଲେ । ସକ୍ଷମ ବିଟେକ୍ କରୁଥିଲେ । ସେ ଗୁରୁଗ୍ରାମର ଏକ କମ୍ପାନୀରେ କାମ କରୁଥିଲେ । ମଙ୍ଗବାର ସକାଳ ୭ଟା ୩୦ ସମୟରେ ଯେତେବେଳେ ସକ୍ଷମ ଏକ୍ସରସାଇଜ୍ କରୁଥିଲେ ସେହି ସମୟରେ ଟ୍ରେଡମିଲ୍ ରେ ବିଦ୍ୟୁତ୍ ପାସ୍ ହୋଇଥିଲା ।

ସକ୍ଷମ ଟ୍ରେଡମିଲ୍ ରେ ରନିଂ କରିବା ପରେ ବିଶ୍ରାମ ନେବା ପାଇଁ ଟ୍ରେଡମିଲ୍ ନଂ ୨ ଓ ୩ ମଧ୍ୟରେ ବସିଯାଇଥିଲେ । ଏହି ସମୟରେ ସେ ପଛପଟକୁ ଢଳି ପଡିଥିଲେ । ଏହାପରେ ତାଙ୍କ ଅବସ୍ଥା ବହୁତ ଖରାପ ହୋଇଯାଇଥିଲା । ଜିମ୍ ର ଅନ୍ୟ ଲୋକମାନେ ଟ୍ରେଡମିଲର ସୁଇଚ୍ ବନ୍ଦ କରି ସକ୍ଷମଙ୍କୁ ସେଠାରୁ ଉଠାଇ ଆଣିଥିଲେ । କିନ୍ତୁ ଶରୀରରେ କୌଣସି ପ୍ରତିକ୍ରିୟା ନ ଦେଖି ତାଙ୍କୁ ତୁରନ୍ତ ହସ୍ପିଟାଲ ନିଆଯାଇଥିଲା, ଯେଉଁଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

Get real time updates directly on you device, subscribe now.