fbpx

ପତ୍ନୀଙ୍କ ଚିକିତ୍ସା ଲାଗି ପଇସା ଦରକାର, କୋର୍ଟରେ ଗୁହାରୀ କଲେ ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ଦିଲ୍ଲୀରେ ହୋଇଥିବା ମଦ ଦୁର୍ନୀତି ମାମଲାରେ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ମଙ୍ଗଳବାର ରାଉଜ୍ ଆଭେନ୍ୟୁ କୋର୍ଟରେ ହାଜର କରାଯାଇଥିଲା । ପୂର୍ବତନ ଶିକ୍ଷାମନ୍ତ୍ରୀ ମନୀଷ ସିସୋଦିଆଙ୍କ ସେହି ଯାଚିକା ଉପରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟକୁ ନୋଟିସ ଜାରି କରାଯାଇଥିଲା ଯେଉଁଥିରେ ରାଉଜ୍ ଆଭେନ୍ୟୁ କୋର୍ଟରେ ଚିକିତ୍ସା ଓ ଅନ୍ୟାନ୍ୟ ଘର ଖର୍ଚ୍ଚ ଲାଗି ବ୍ୟାଙ୍କ ଖାତାରୁ କିଛି ପଇସା ଉଠାଇବା ଲାଗି ସିସୋଦିଆ ଅନୁମତି ମାଗିଥିଲେ ।

ମନୀଷ ସିସୋଦିଆଙ୍କ ପତ୍ନୀ ଏବେ ଅସୁସ୍ଥ ଅଛନ୍ତି ଏବଂ ତାଙ୍କର ଚିକିତ୍ସା ଲାଗି ସେ ତାଙ୍କ ବ୍ୟାଙ୍କ ଖାତାରୁ ପଇସା ଉଠାଇବା ଲାଗି କୋର୍ଟଙ୍କୁ ଆବେଦନ କରିଥିଲେ । ମନୀଷ ସିସୋଦିଆ କୋର୍ଟଙ୍କୁ କହିଥିଲେ ତାଙ୍କ ପତ୍ନୀ ଅସୁସ୍ଥ ଅଛନ୍ତି ଓ ମେଡିକାଲରେ ଆଡମିଟ ହୋଇଛନ୍ତି । ଇଡି ତାଙ୍କ ବ୍ୟାଙ୍କ ଆକାଉଣ୍ଟ ଫ୍ରିଜ୍ କରି ଦେଇଥିବାରୁ ସେ ବ୍ୟାଙ୍କରୁ ପଇସା ଉଠାଇ ପାରୁନାହାନ୍ତି ଫଳରେ ତାଙ୍କ ପତ୍ନୀଙ୍କର ଚିକିତ୍ସା ହୋଇପାରୁ ନାହିଁ ।
ମଙ୍ଗଳବାର ଶୁଣାଣୀ ସମୟରେ କୋର୍ଟ ସିବିଆଇ ଓକିଲଙ୍କୁ ସିସିଟିଭି ଫୁଟେଜ୍ କୋର୍ଟରେ ଉପସ୍ଥାପନ କରିବାକୁ କହିଛନ୍ତି । ଏହାସହିତ ଏହି ମାମଲାରେ ଅନ୍ୟ ଅଭିଯୁକ୍ତମାନଙ୍କର ଫାଇଲ ଉପସ୍ଥାପନ କରିବାକୁ ସିବିଆଇକୁ ମଧ୍ୟ କହିଛନ୍ତି । ଅନ୍ୟପକ୍ଷରେ ଏହି ମାମଲାର ଆଗାମୀ ଶୁଣାଣୀ ୨୦ ସେପ୍ଟେମ୍ବରରେ ହେବ ।

ଏଠାରେ ସୂଚାଇ ଦିଆଯାଇପାରେ ଯେ, ଏହି ମଦ ଘୋଟାଲାର ଯାଞ୍ଚ ସିବିଆଇ ଓ ଇଡି ଉଭୟ କରୁଛନ୍ତି । ସିବିଆଇ ମଦ ଆଇନରେ ଅନିୟମିତତା ଓ ଭ୍ରଷ୍ଟାଚାରକୁ ନେଇ ଯାଞ୍ଚ କରୁଥିବା ବେଳେ ଇଡି ମନି ଲଣ୍ଡ୍ରିଂ ଦିଗରୁ ମାମଲାର ଯାଞ୍ଚ କରୁଛି ।

 

Get real time updates directly on you device, subscribe now.