fbpx

ନିର୍ଭୟା ମାମଲା: ପବନର ଆବେଦନ ଖାରଜ

ନୂଆଦିଲ୍ଲୀ,୧୯ ।୧୨: ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ଦୋଷୀ ପବନ କୁମାର ଗୁପ୍ତାର ଆବେଦନକୁ ଆଜି ଖାରଜ କରିଛନ୍ତି ଦିଲ୍ଲୀ ହାଇକୋର୍ଟ । ଘଟଣା ଘଟିଥିବା ବେଳେ ନିଜକୁ ନାବାଳକ ଦର୍ଶାଇ ଗତକାଲି ହାଇକୋର୍ଟରେ ଆବେଦନ କରିଥିଲା ପବନ । ପବନର ଓକିଲ ଏ.ପି.ସିଂହଙ୍କ ଉପରେ ୨୫ ହଜାର ଟଙ୍କାର ଜୋରିମାନା ଲାଗିଛି । ପୂର୍ବରୁ ନିର୍ଭୟା ମାମଲାରେ ସୁପ୍ରିମକୋର୍ଟ ପବନକୁ ଫାଶୀଦଣ୍ଡାଦେଶ ଦେଇଛନ୍ତି ।

ଉଲ୍ଲେଖ ଯୋଗ୍ୟ ଯେ ୧୬ ଡିସେମ୍ବର ୨୦୧୨ ଦିନ ନିର୍ଭୟା ପୀଡିତା ଏକ ଚଳଚ୍ଚିତ୍ର ଦେଖି ତାଙ୍କ ପୁରୁଷ ବନ୍ଧୁ ସହ ଏକ ବସରେ ଦକ୍ଷିଣ ଦିଲ୍ଲୀର ମୁନିରକା ଠାରୁ ଦ୍ୱାରକାସ୍ଥ ଘରକୁ ଫେରୁଥିଲେ । ସେହି ସମୟରେ ବସଟିରେ ସେହି ବସର କର୍ମଚାରୀଙ୍କ ବ୍ୟତୀତ ପ୍ରାୟ ଅନ୍ୟ କେହି ନ ଥିଲେ । ଏହାର ସୁଯୋଗ ନେଇ ଛଅଜଣ ଅପରାଧୀ ପୀଡିତା ସହ ଦୁର୍ବ୍ୟବହାର କରିବାକୁ ଲାଗିଲେ । ଏଥିରେ ପୀଡିତାଙ୍କ ପୁରୁଷ ବନ୍ଧୁ ବିରୋଧ କରିବାରୁ ସେମାନେ ତାଙ୍କୁ ମାଡ ମଧ୍ୟ ମାରିଥିଲେ । ଏପରିକି ଚଳନ୍ତା ବସରେ ସେମାନେ ପୀଡିତାଙ୍କୁ ସାମୁହିକ ଦୁଷ୍କର୍ମ କରିବା ସହ ଶାରୀରିକ ନିର୍ଯାତନା ମଧ୍ୟ ଦେଇଥିଲେ । ନିର୍ଯାତନା ସହି ନ ପାରି ପୀଡିତା ଅଚେତ ହୋଇପଡିଲେ । ପରିଶେଷରେ ସେମାନେ ପୀଡିତା ଏବଂ ତାଙ୍କ ବନ୍ଧୁଙ୍କୁ ଦକ୍ଷିଣ ଦିଲ୍ଲୀସ୍ଥ ମହିପାଳପୁର ନିକଟସ୍ଥ ବସନ୍ତ ବିହାର ଅଞ୍ଚଳରେ ବସରୁ ତଳକୁ ଫୋପାଡିଦେଇ ଚାଲିଯାଇଥିଲେ ।

Get real time updates directly on you device, subscribe now.