ଭୁବନେଶ୍ୱରରେ ପହଞ୍ଚିଲା ଦେବେନ୍ଦ୍ରଙ୍କ ପାର୍ଥିବ ଶରୀର, ଦିଆଗଲା ଗାର୍ଡ ଅଫ୍ ଅନର

ଭୁବନେଶ୍ୱର,୧୭ା୩: ଦିଲ୍ଲୀରୁ ଭୁବନେଶ୍ୱରରେ ଆସି ପହଞ୍ଚିଛି ପୂର୍ବତନ କେନ୍ଦ୍ରମନ୍ତ୍ରୀ, ବିଜେପିର ବରିଷ୍ଠ ନେତା ଡାକ୍ତର  ତଥା ବର୍ତ୍ତମାନର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପିତା ଦେବେନ୍ଦ୍ର ପ୍ରଧାନଙ୍କ ମରରଶରୀର । ତାଙ୍କ ପାର୍ଥିବ ଶରୀର ଭୁବନେଶ୍ୱରରେ ପହଞ୍ଚିବା ପରେ ତାଙ୍କୁ ଗାର୍ଡ ଅଫ୍ ଅନର ଦିଆଯାଇଥିଲା ।

ବିମାନବନ୍ଦରରେ ବାଚସ୍ପତି ସୁରମା ପାଢୀ, ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ, ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନଙ୍କ ସମେତ ବିଜେଡି ନେତା ମହେଶ ସାହୁ, ବ୍ରଜ କିଶୋର ପ୍ରଧାନ, ରୋମାଞ୍ଚ ରଞ୍ଜନ ବିଶ୍ୱାଳ , ମନ୍ମଥ ରାଉତରାୟ, ଭୃଗୁ ବକ୍ସିପାତ୍ର ଓ କଂଗ୍ରେସର ପୂର୍ବତନ ବିଧାୟକ ସୁରେଶ କୁମାର ରାଉତରାୟ ପ୍ରମୁଖ ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ବାପାଙ୍କ ପାର୍ଥିବ ଶରୀର ପହଞ୍ଚିବା ବେଳେ ଉପସ୍ଥିତ ରହିଥିଲେ ପୁଅ ତଥା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ବିମାନ ବନ୍ଦରରୁ ଏକ ସ୍ବତନ୍ତ୍ର ଗାଡିରେ ଡାକ୍ତର ପ୍ରଧାନଙ୍କ ପାର୍ଥିବ ଶରୀରକୁ ବିଜେପି ରାଜ୍ୟ କାର୍ଯ୍ୟାଳୟକୁ ନିଆଯାଇଥିଲା । ସେଠାରେ ରାଜ୍ୟ ବିଜେପିର ବହୁ ନେତା ଓ କର୍ମୀ ଦେବେନ୍ଦ୍ର ପ୍ରଧାନଙ୍କ ଶେଷ ଦର୍ଶନ କରିବା ସହ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ ।

ଦେବେନ୍ଦ୍ର ବାଜପେୟୀଙ୍କ ସରକାରରେ ପରିବହନ ମନ୍ତ୍ରୀ ଥିଲେ। ସେ ୧୯୮୮ରୁ ୧୯୯୩ ରାଜ୍ୟ ବିଜେପି ସଭାପତି ଥିଲେ। ୧୯୯୩ରୁ ୧୯୯୫ ରାଜ୍ୟ ବିଜେପିର ସାଧାରଣ ସମ୍ପାଦକ ଥିଲେ। ପୁନର୍ବାର ୧୯୯୫ରୁ ୧୯୯୭ ଯାଏ ସେ ବିଜେପି ସଭାପତି ରହିଥିଲେ। ୧୯୯୮ରେ ଦେବଗଡ଼ରୁ ଦେବେନ୍ଦ୍ର ଲୋକ ସଭାକୁ ନିର୍ବାଚିତ ହୋଇଥିଲେ। ଦେବେନ୍ଦ୍ର ପ୍ରଧାନଙ୍କ ରାଜନୈତିକ ଜୀବନ ଭାରତୀୟ ଜନତା ପାର୍ଟି (ବିଜେପି) ଏବଂ ଓଡ଼ିଶାରେ ଦଳର ଅଗ୍ରଗତି ସହିତ ଗଭୀର ଭାବେ ଜଡ଼ିତ। ସେ ଓଡ଼ିଶାର ଜଣେ ପ୍ରଭାବଶାଳୀ ନେତା ଥିଲେ, ଯିଏ ରାଜ୍ୟରେ ବିଜେପିର ମୂଳଦୁଆ ସ୍ଥାପନ ଏବଂ ସଂଗଠନକୁ ମଜବୁତ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ।