fbpx

ଆଜି କାର୍ତ୍ତିକ ମାସ ପ୍ରଥମ ସୋମବାର: ଧବଳେଶ୍ୱର ପୀଠରେ ୧୪୪ ଧାରା ଜାରି, ବ୍ରତଧାରୀ ଓ ଶ୍ରଦ୍ଧାଳୁଙ୍କୁ ଦର୍ଶନ ବାରଣ

କଟକ (ଭାସ୍କର ନ୍ୟୁଜ୍‌) : ଆଜି କାର୍ତ୍ତିକ ମାସ ପ୍ରଥମ ସୋମବାର । ଏହି ଧର୍ମମାସରେ ହବିଷ୍ୟାଳିମାନେ ବ୍ରତ ପାଳନ କରିବା ସହ ବିଭିନ୍ନ ଦେବାଦେବୀଙ୍କୁ ଦର୍ଶନ କରି ନିଜର ଅଭିଳାଷ ପୂରଣ କରିବା ସହ ପୂଣ୍ୟ ଅର୍ଜନ କରିଥାନ୍ତି । ତେବେ ଚଳିତବର୍ଷ କରୋନା ମହାମାରୀ କଟକଣା ଯୋଗୁ ଶ୍ରଦ୍ଧାଳୁମାନଙ୍କୁ କାର୍ତ୍ତିକ ବ୍ରତ ପାଳନ ପାଇଁ ମନ୍ଦିରକୁ ଯିବା ବାରଣ କରାଯାଇଛି ।  ଏହି ଧର୍ମମାସର ପ୍ରତି ସୋମବାରରେ ବାବା ଧବଳେଶ୍ୱରଙ୍କ ପୀଠରେ ଭକ୍ତମାନଙ୍କର ଅସମ୍ଭବ ଗହଳି ଲାଗି ରହିଥାଏ । ବର୍ଷକର ପ୍ରତୀକ୍ଷା ପରେ କାର୍ତ୍ତିକ ସୋମବାରରେ ବାବାଙ୍କ ଦର୍ଶନ କରି ପୂଣ୍ୟ ଅର୍ଜନ କରିବା ପାଇଁ ଏହି ମନ୍ଦିରରେ ଭକ୍ତମାନଙ୍କର ଲମ୍ବା ଲାଇନ୍‌ ଲାଗି ରହିଥାଏ । ଏପରିକି ବହୁ ଦୂରଦୂରାନ୍ତରୁ ଭକ୍ତମାନେ ଏହି ପୀଠକୁ ଛୁଟି ଆସିଥାନ୍ତି । ହେଲେ ଏଥର କାର୍ତ୍ତିକ ମାସର ପ୍ରଥମ ସୋମବାରରେ ଧବଳେଶ୍ୱରଙ୍କ ପୀଠରେ ୧୪୪ ଧାରା ଜାରି ହେବାର ଥିବାରୁ ଭକ୍ତମାନେ ବାବାଙ୍କୁ ଦର୍ଶନ କରିବାରୁ ବଞ୍ଚିତ ହେବେ ବୋଲି ସୂଚନା ମିଳିଛି ।

ଆଠଗଡ଼ ଉପଜିଲ୍ଲାପାଳ ଅଜାମ୍ବର ମହାନ୍ତି ଏ ନେଇ ସୂଚନା ଦେଇ କହିଛନ୍ତି ଯେ, କଟକ ଜିଲ୍ଲାର ପ୍ରସିଦ୍ଧ ଶୈବପୀଠ ବାବା ଧବଳେଶ୍ୱରଙ୍କ ପୀଠରେ କାର୍ତ୍ତିକ ମାସର ପ୍ରଥମ ସୋମବାରରେ ପ୍ରବଳ ଗହଳି ହେବାର ସମ୍ଭାବନାକୁ ଦୃଷ୍ଟିରେ ରଖି ଆଠଗଡ଼ ପ୍ରଶାସନ ପକ୍ଷରୁ ୧୪୪ ଧାରା ଜାରି କରାଯିବ । ଭୋର ୫ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ଏହି କଟକଣା ଲାଗି ରହିବ ବୋଲି ସେ ସୂଚନା ଦେଇଛନ୍ତି । ଅନ୍ୟପକ୍ଷରେ ରାଜ୍ୟ ସରକାରଙ୍କ କୋଭିଡ କଟକଣାକୁ ଆଖିଆଗରେ ରଖି କାର୍ତ୍ତିକ ମାସରେ ସମସ୍ତ ବ୍ରତଧାରୀ ଓ ଶ୍ରଦ୍ଧାଳୁ କୌଣସି ମନ୍ଦିରକୁ ନ ଯିବା ପାଇଁ ବାରଣ କରାଯାଇଛି । ହବିଷ୍ୟାଳିମାନେ ନିଜ ନିଜ ଘରେ ଏହାକୁ ପାଳନ କରିବାକୁ ପରାମର୍ଶ ଦିଆଯାଇଛି । ସେହିପରି କାର୍ତ୍ତିକମାସ ଆରମ୍ଭରେ ପ୍ରତିବର୍ଷ ପୁରୀରେ ହବିଷ୍ୟାଳିଙ୍କ ଭିଡ଼ ଲାଗି ରହିଥାଏ । ତେବେ କୋଭିଡ କଟକଣା ଯୋଗୁ ଚଳିତବର୍ଷ ପୁରୀ ଆସିବାକୁ ହବିଷ୍ୟାଳିଙ୍କୁ ବାରଣ କରାଯାଇଛି ।

Get real time updates directly on you device, subscribe now.