ଧର୍ମେନ୍ଦ୍ରଙ୍କ ପ୍ରମୋସନ ନା ଡିମୋସନ୍?

ସବୁ କଳ୍ପନାଜଳ୍ପନା ପରେ କେନ୍ଦ୍ରରେ ନରେନ୍ଦ୍ର ମୋଦୀ ସରକାରର ଦ୍ୱିତୀୟ କାର୍ଯ୍ୟକାଳର ପ୍ରଥମ ମନ୍ତ୍ରିମଣ୍ଡଳ ସଂପ୍ରସାରିତ ହୋଇଛି । ୪୩ ନୂତନ ମନ୍ତ୍ରୀଙ୍କୁ ମନ୍ତ୍ରୀ ପରିଷଦରେ ସାମିଲ କରାଯାଇଛି । ଏଥିରେ ୩୫ ନୂଆ ଚେହେରା ଅଛନ୍ତି । ସେପଟେ ୧୪ ପୁରୁଖା ନେତାଙ୍କୁ ବିଦାୟ ଦିଆଯାଇଥିବାବେଳେ ଅନେକଙ୍କ ପଦନ୍ନୋତି ହୋଇଛି । ସେହିପରି ଆଉ କେତେକ ମନ୍ତ୍ରୀଙ୍କ ମନ୍ତ୍ରଣାଳୟ ଅଦଳବଦଳ କରାଯାଇଛି । ହେଲେ ସବୁଠୁ ଅଧିକ ଚର୍ଚ୍ଚା ପେଟ୍ରୋଲିୟମ ମନ୍ତ୍ରଣାଳୟକୁ ନେଇ । ଦୀର୍ଘ ୭ ବର୍ଷ ଧରି ଦେଶ ରାଜସ୍ୱର ମୂଳ ଉତ୍ସ ପାଲଟିଥିବା ଏହି ମନ୍ତ୍ରଣାଳୟ ଏବେ ଧର୍ମେନ୍ଦ୍ର ପ୍ରଧାନଙ୍କ ହାତରୁ ଚାଲି ଯାଇଛି । ଆଉ ତାଙ୍କୁ ଦିଆଯାଇଛି ଦେଶର ଶିକ୍ଷା ବ୍ୟବସ୍ଥା ସଜାଡ଼ିବାର ଗୁରୁ ଦାୟିତ୍ୱ ଅର୍ଥାତ ଧର୍ମେନ୍ଦ୍ରଙ୍କୁ ମିଳିଛି ଗୁରୁତ୍ୱପୂର୍ଣ୍ଣ ଶିକ୍ଷା ମନ୍ତ୍ରଣାଳୟ । ଏହା ପୂର୍ବରୁ ଅଟଳ ବିହାରୀ ବାଜପେୟୀ ଓ କପିଲ ଶିବଲଙ୍କ ଭଳି ଚର୍ଚ୍ଚିତ ନେତାମାନେ ଉକ୍ତ ମନ୍ତ୍ରଣାଳୟର ଦାୟିତ୍ୱରେ ରହିଥିଲେ । ତେବେ ତୈଳ ବିଭାଗ ହାତରୁ କାଢ଼ି ନିଆଯିବା ଧର୍ମେନ୍ଦ୍ରଙ୍କ ମନକୁ କିଛି ସମୟ ପାଇଁ ନିଶ୍ଚିତ ଭାବେ ଊଣା କରିଥିବ! ଏହାର ଅନେକ ଅର୍ଥ ମଧ୍ୟ ବାହାର କରାଯାଉଛି । ହେଲେ ଦଳୀୟ ହାଇକମାଣ୍ଡଙ୍କ ଆଦେଶ ତ ଶିରୋଧାର୍ଯ୍ୟ । କିନ୍ତୁ ଏହା ବାସ୍ତବ ଯେ, ଧର୍ମେନ୍ଦ୍ର ସଫଳତାର ସହ ଏହି ମନ୍ତ୍ରଣାଳୟର ଦାୟିତ୍ୱ ତୁଲାଇଛନ୍ତି ।

ସ୍ୱାଧୀନ ଭାରତରେ ଏହା ପୂର୍ବରୁ କୌଣସି ମନ୍ତ୍ରୀ ଏତେ ସମୟ ଧରି ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ୍ ବିଭାଗ ସମ୍ଭାଳି ନାହାନ୍ତି । ଧର୍ମେନ୍ଦ୍ର ମୋଦୀ ସରକାରର ପ୍ରଥମ ପାଳିରେ ୫ ବର୍ଷ ଏବଂ ଦ୍ୱିତୀୟ ପାଳିରେ ୨ ବର୍ଷ ମୋଟ୍ ୭ ବର୍ଷ ପେଟ୍ରୋଲିୟମ ମନ୍ତ୍ରଣାଳୟ ସମ୍ଭାଳି ରେକର୍ଡ କରିଛନ୍ତି ଧର୍ମେନ୍ଦ୍ର । ଏଥିରୁ ଏହା ପ୍ରମାଣିତ ହୋଇଛି ଯେ, ଧର୍ମେନ୍ଦ୍ର ତାଙ୍କ ଦାୟିତ୍ୱ ସୂଚାରୁରୂପେ ତୁଲାଇଛନ୍ତି ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଭରସା ଜିତିବାରେ ସଫଳ ହୋଇଛନ୍ତି । କ୍ୟାବିନେଟର କିଛି ଦକ୍ଷ ମନ୍ତ୍ରୀଙ୍କ ମଧ୍ୟରୁ ଧର୍ମେନ୍ଦ୍ର ଜଣେ । ନଚେତ୍ ତାଙ୍କୁ କରୋନା ମହାମାରୀରେ ସବୁଠୁ ଅଧିକ ଗୁରୁତର ପ୍ରଭାବିତ ହୋଇଥିବା ଶିକ୍ଷା ବ୍ୟବସ୍ଥା ସଜାଡ଼ିବାର ଦାୟିତ୍ୱ ଦିଆଯାଇନଥାନ୍ତା । ତେବେ ଏଠାରେ ପ୍ରଶ୍ନ ଉଠୁଛି ଯେ, ଯଦି ଧର୍ମେନ୍ଦ୍ର ଏତେ ସଫଳତାର ସହ ପେଟ୍ରୋଲିୟମ ମନ୍ତ୍ରଣାଳୟ ଦାୟିତ୍ୱ ସମ୍ଭାଳୁଥିଲେ, ତେବେ ତାଙ୍କ ହାତରୁ ଏହି ଦାୟିତ୍ୱ କାହିଁକି କାଢ଼ି ନିଆଗଲା ।

କେବଳ ଏତିକି ନୁହେଁ କରୋନା ମହାମାରୀ ଦ୍ୱିତୀୟ ଲହରରେ ଯେତେବେଳେ ଅକ୍ସିଜେନ ଅଭାବରୁ ଦେଶରେ ଉତ୍କଟ ସ୍ୱାସ୍ଥ୍ୟ ସଙ୍କଟ ସମସ୍ୟା ସୃଷ୍ଟି ହୋଇଥିଲା, ସେହି ସମୟରେ ଧର୍ମେନ୍ଦ୍ରଙ୍କ ଇସ୍ପାତ ମନ୍ତ୍ରଣାଳୟ ହିଁ ସଙ୍କଟମୋଚକ ସାଜିଥିଲା । ଦେଶରେ ଥିବା ଇସ୍ପାତ କାରଖାନାକୁ ଖୁବ୍ ଅଳ୍ପ ସମୟରେ ପର୍ଯ୍ୟାପ୍ତ ପରିମାଣରେ ଅକ୍ସିଜେନ୍ ଉତ୍ପାଦନ ପାଇଁ ତ୍ୱରାନ୍ୱିତ କରାଯାଇଥିଲା । ଧର୍ମେନ୍ଦ୍ରଙ୍କ ଦକ୍ଷ ନେତୃତ୍ୱ ଏବଂ କେନ୍ଦ୍ର ସରକାରଙ୍କ ମାର୍ଗ ଦର୍ଶନରେ ହିଁ କରୋନାର ବିକଟ ସ୍ଥିତିରେ ମେଡିକାଲଗୁଡିକୁ ଅକ୍ସିଜେନ୍ ଯୋଗାଇ ଦିଆଯାଇଥିଲା । ଯଦି ଧର୍ମେନ୍ଦ୍ର ଏତେ ପାରଙ୍ଗମ ତେବେ ଉକ୍ତ ଦୁଇ ମନ୍ତ୍ରଣାଳୟ କାହିଁକି କାଢ଼ି ନିଆଗଲା ବୋଲି ଲୋକଙ୍କ ମନରେ ସ୍ୱତଃ ଭାବେ ପ୍ରଶ୍ନ ଉଠୁଛି ।

ପ୍ରଥମେ ବିଚାର କରାଯାଉ ପେଟ୍ରୋଲିୟମ ମନ୍ତ୍ରଣାଳୟ ସମ୍ପର୍କରେ । ଗତ ଏକ ବର୍ଷ ଭିତରେ ପେଟ୍ରୋଲ ଓ ଡିଜେଲ୍ ଲିଟର ପିଛା ୨୦ ଟଙ୍କାରୁ ଅଧିକ ବଢ଼ିଛି, ସେ ପୁଣି କରୋନା ମହାମାରୀ ସମୟରେ । କେନ୍ଦ୍ର ସରକାର ଓ ରାଜ୍ୟ ସରକାର ଅନେକ ପ୍ରକାରର କର ବା ସେସ୍ ଲଗାଉଥିବାରୁ ତେଲ ଦାମ ସମ୍ପ୍ରତି ଦେଶରେ ଆକାଶଛୁଆଁ ରହିଛି । ଦେଶର ଅନେକ ରାଜ୍ୟ ସହିତ ଓଡ଼ିଶାର ଅଧାରୁ ଅଧିକ ଜିଲ୍ଲାରେ ପେଟ୍ରୋଲ ଦାମ ଲିଟର ପିଛା ୧୦୦ ପାର କରି ସାରିଛି । ମାଲକାନଗିରି ଓ କୋରାପୁଟ ଜିଲ୍ଲାରେ ତ ଡିଜେଲ୍ ଶତକ ମଧ୍ୟ ଛୁଇଁ ସାରିଛି । ପେଟ୍ରୋଲ-ଡିଜେଲ୍ ଦାମ ହୁ ହୁ ବଢୁଥିବାରୁ ପରିବହନ ଖର୍ଚ୍ଚ ମଧ୍ୟ ବଢୁଛି । ଫଳରେ ଅତ୍ୟାବଶ୍ୟକ ଜରୁରୀ ସାମଗ୍ରୀର ଦାମ ମଧ୍ୟ ବଢ଼ି ଚାଲିଛି । ଆଉ ଜନତାଙ୍କ ଉପରେ ପଡୁଛି ମହଙ୍ଗା ମାଡ଼ । ସେପଟେ କରୋନା କଟକଣା ଯୋଗୁଁ ଲୋକେ ରୋଜଗାର ହରାଉଥିବାବେଳେ ଅନ୍ୟପଟେ ଦର ବୃଦ୍ଧି ସାଧାରଣ ଜନତାଙ୍କ ପାଇଁ ବେଡ଼ି ଉପରେ କରୋଡ଼ା ମାଡ଼ ସାଜିଛି । ତେଣୁ ଦେଶର ଅନେକ ଭାଗରୁ ତୈଳ ବୃଦ୍ଧି ପ୍ରତିବାଦରେ ଉଠିଲାଣି ବିରୋଧର ସ୍ୱର । ବିରୋଧୀ ଦଳ ମଧ୍ୟ ପ୍ରତିଦିନ ଏହାକୁ ଅସ୍ତ୍ର କରି କେନ୍ଦ୍ର ସରକାରଙ୍କୁ ଘେରିବାକୁ ଉଦ୍ୟମ କରୁଛନ୍ତି । ଯାହା ସରକାରଙ୍କ ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି କରୁଛି ।

ସେପଟେ କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ବାଷ୍ପ ମନ୍ତ୍ରୀ ଥିବାବେଳେ ଧର୍ମେନ୍ଦ୍ରଙ୍କୁ ସାମ୍ବାଦିକ ବନ୍ଧୁମାନେ ତୈଳ ଦର ବୃଦ୍ଧିର କାରଣ ଅନେକ ଥର ପଚାରିଛନ୍ତି । ହେଲେ ମନ୍ତ୍ରୀଙ୍କ ମୁହଁରୁ ଭିନ୍ନ ସମୟରେ ଭିନ୍ନ ଭିନ୍ନ ଉତ୍ତର ଆସିଛି । କେତେବେଳେ ମନ୍ତ୍ରୀ ଅନ୍ତରାଷ୍ଟ୍ରୀୟ ତୈଳ ବଜାରରେ ଅଶୋଧିତ ତୈଳ ଦାମ ବଢୁଥିବାରୁ ଦେଶରେ ତେଲ ଦାମ ବଢୁଛି ବୋଲି କହିଥିଲେ । ପୁଣି ଆଉ କେତେବେଳେ ଥଣ୍ଡା ସମୟରେ ପାଶ୍ଚାତ୍ୟ ଦେଶଗୁଡ଼ିକରେ ତେଲର ଚାହିଦା ଅଧିକ ବଢୁଥିବାରୁ ଦେଶରେ ପେଟ୍ରୋଲ-ଡିଜେଲ୍ ଦାମ ବଢୁଛି ବୋଲି ସଫେଇ ଦେଇଥିଲେ । ସେହିପରି ନିକଟରେ ଧର୍ମେନ୍ଦ୍ର ପ୍ରଧାନ କହିଥିଲେ ଯେ, କରୋନା ମହାମାରୀ ସଙ୍କଟ ସମୟରେ ସରକାରଙ୍କ ଆୟ ହ୍ରାସ ପାଇଥିବାବେଳେ ଖର୍ଚ୍ଚ ବଢ଼ିବାରେ ଲାଗିଛି । ପୁଣି କରୋନା ମହାମାରୀର ମୁକାବିଲା ଏବଂ ଟିକାକରଣ ପାଇଁ ଅଧିକ ଅର୍ଥର ଆବଶ୍ୟକତା ରହିଛି । ତେଣୁ ପେଟ୍ରୋଲ-ଡିଜେଲ୍ ଦାମ ଏବେ କମିବାର ଆଶା ନାହିଁ । ୨୦୧୭ରେ କେନ୍ଦ୍ରମନ୍ତ୍ରୀ କହିଥିଲେ ଯେ, ଦେଶର ବିକାଶମୂଳକ କାମ ପାଇଁ ଅଧିକ ବଜେଟ୍ ଦରକାର । କରୋନା ମହାମାରୀ ମହଙ୍ଗା ମହାମାରୀକୁ ଟପି ଯାଇଥିବାବେଳେ ସେପଟେ କେନ୍ଦ୍ରମନ୍ତ୍ରୀଙ୍କ ଏମିତି ଟିପ୍ପଣୀ ଜନମାନସକୁ ଆହୁରି ବାଧିଛି। ବର୍ଦ୍ଧିତ ତେଲ ଦରକୁ ନେଇ କେନ୍ଦ୍ର ସରକାର ମଧ୍ୟ ଚାପର ବଶବର୍ତ୍ତୀ ହୋଇଛନ୍ତି ।

ତେଲ ଦାମ କମ୍ କରି ଜନତାଙ୍କ ଆକ୍ରୋଶକୁ ପ୍ରଶମିତ କରିବା ବଦଳରେ ପ୍ରଧାନମନ୍ତ୍ରୀ ମୋଦୀ ଧର୍ମେନ୍ଦ୍ର ପ୍ରଧାନଙ୍କ ହାତରୁ ପେଟ୍ରୋଲିୟମ ମନ୍ତ୍ରଣାଳୟ କାଢ଼ି ନେବା ଉଚିତ୍ ମଣିଛନ୍ତି । କେନ୍ଦ୍ର ସରକାର ଏହା ଭାବିଥାଇ ପାରନ୍ତି ଯେ, ମନ୍ତ୍ରୀ ପଦ ବଦଳିଗଲେ ହୁଏତ ତେଲ ଦାମ ପ୍ରସଙ୍ଗ କିଛିଟା ପ୍ରଶମିତ ହୋଇଯିବ । ଲୋକଙ୍କ ଅସନ୍ତୋଷ କିଛି ମାତ୍ରାରେ କମିଯିବ । ହୋଇପାରେ ଏହା ଚିନ୍ତା କରି ପ୍ରଧାନମନ୍ତ୍ରୀ ମୋଦୀ ନିଜର ସବୁଠୁ ଭରସାଯୋଗ୍ୟ ମନ୍ତ୍ରୀଙ୍କୁ ଅନିଚ୍ଛା ସତ୍ତେ୍ୱ ପେଟ୍ରୋଲିୟମ ମନ୍ତ୍ରଣାଳୟରୁ ଅପସାରିତ କରିଛନ୍ତି । ଅପରପକ୍ଷେ ଆଗାମୀ ଅନେକ ରାଜ୍ୟର ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଏବଂ ଜାତୀୟ ସମୀକରଣକୁ ଦୃଷ୍ଟିରେ ରଖି ମନ୍ତ୍ରିମଣ୍ଡଳର ପୁନର୍ଗଠନ କରାଯାଇଛି । ଏହି ସମ୍ପ୍ରସାରଣରେ ନିର୍ବାଚନୀ ରାଜ୍ୟଗୁଡିକ ପ୍ରତି ମଧ୍ୟ ବିଶେଷ ଧ୍ୟାନ ରଖାଯାଇଥିବା ସ୍ପଷ୍ଟ ହେଉଛି । ପୁଣି ଏନଡିଏ ସହଯୋଗୀ ଦଳଗୁଡ଼ିକର ମାନସ ଭଞ୍ଜନ ଏବଂ ଜାତିଗତ ସମୀକରଣକୁ ଆଖି ଆଗରେ ମୋଦୀ ସରକାର ଅନେକ ନବାଗତ ଏବଂ ପୁରୁଖା ନେତାଙ୍କୁ ମନ୍ତ୍ରୀ ପଦ ଦେଇଛନ୍ତି । ହୁଏତ ଏହାକୁ ଦୃଷ୍ଟିରେ ରଖି ବ୍ୟାପକ ଅଦଳ ବଦଳର ପରିଣାମ ସ୍ୱରୂପ ଧର୍ମେନ୍ଦ୍ରଙ୍କ ମନ୍ତ୍ରଣାଳୟ ବଦଳା ଯାଇଛି । ଏବେ ପେଟ୍ରୋଲିୟମ ମନ୍ତ୍ରଣାଳୟ ଦାୟିତ୍ୱ ହରଦୀପ ସିଂହ ପୁରୀଙ୍କୁ ନ୍ୟସ୍ତ କରାଯାଇଛି । ସେହି ପରି ପୁରୀଙ୍କ ହାତରେ ଥିବା ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ କଂଗ୍ରେସ ଛାଡ଼ି ବିଜେପିରେ ଯୋଗ ଦେଇ ରାଜ୍ୟସଭା ସାଂସଦ ହୋଇଥିବା ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ଦିଆଯାଇଛି । ମୋଟ୍ ଉପରେ କହିବାକୁ ଗଲେ ବଢୁଥିବା ତେଲ ପ୍ରତି ଲୋକଙ୍କ ଅସନ୍ତୋଷ ଏବଂ ଜାତୀୟ ଏବଂ ଜାଗିଗତ ସମୀକରଣକୁ ଦୃଷ୍ଟିରେ ରଖି ମୋଦୀ ସରକାର ଧର୍ମେନ୍ଦ୍ରଙ୍କ ମନ୍ତ୍ରଣାଳୟ ପରିବର୍ତ୍ତନ କରିଥାଇ ପାରନ୍ତି ମୋଦୀ ।

ସେ ଯାହା ବି ହେଉ କେନ୍ଦ୍ରର ମୋଦୀ ସରକାର ଧର୍ମେନ୍ଦ୍ର ପ୍ରଧାନଙ୍କୁ ପୂର୍ବ ମନ୍ତ୍ରଣାଳୟ ଅପେକ୍ଷା ଏବେ ଶିକ୍ଷା ପରି ଆହୁରି ଗୁରୁତ୍ୱପୂର୍ଣ୍ଣ ମନ୍ତ୍ରଣାଳୟ ଦେଇଛନ୍ତି । ପୁଣି ସେହି ସମୟରେ ଧର୍ମେନ୍ଦ୍ରଙ୍କୁ ଏହି ଗୁରୁ ଦାୟିତ୍ୱ ମିଳିଛି, ଯେଉଁ ସମୟରେ ଦେଶର ଶିକ୍ଷା ବ୍ୟବସ୍ଥା କରୋନା ମହାମାରୀରେ ବିପର୍ୟ୍ୟସ୍ତ ହୋଇପଡ଼ିଛି । ଅପରପକ୍ଷେ ନୂତନ ଶିକ୍ଷା ନୀତି ସମଗ୍ର ଦେଶରେ ସଫଳତା ପୂର୍ବକ ଲାଗୁ କରିବା ଧର୍ମେନ୍ଦ୍ର ପ୍ରଧାନଙ୍କ ପାଇଁ ଏକ ଆହ୍ୱାନ ଏବଂ ସବୁଠୁ ବଡ଼ ଚ୍ୟାଲେଞ୍ଜ ହୋଇ ରହିଛି ।
—-

(ଓଡ଼ିଶା ଭାସ୍କର ବ୍ୟୁରୋ)

 

 

Get real time updates directly on you device, subscribe now.

Comments
Loading...