fbpx

Modi 3.0 କ୍ୟାବିନେଟରେ ଧର୍ମେନ୍ଦ୍ର ପ୍ରଧାନ: ଓଡ଼ିଶାର ମୁଖ୍ୟମନ୍ତ୍ରୀ ପଦରେ କିଏ? ବଢୁଛି Suspense

Advertisement

ଓଡ଼ିଶା ଭାସ୍କର: ସରିଛି ୨୦୨୪ ନିର୍ବାଚନ, ଆସି ସାରିଛି ଫଳାଫଳ… ଏବେ ଘୋଷଣାକୁ ଅପେକ୍ଷା । କିଏ ହେବେ ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀ, ସେ ନେଇ ଦିନକୁ ଦିନ ସସପେନ୍ସ ବଢିବାରେ ଲାଗିଛି । ପ୍ରଥମେ ଜୁନ୍ ୧୦ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ଶପଥ ନେବା ନେଇ ନିଷ୍ପତ୍ତି ନିଆ ଯାଇଥିବା ବେଳେ ବର୍ତ୍ତମାନ ଏଥିରେ ପରିବର୍ତ୍ତନ ହୋଇ ଏହାକୁ ୧୨ ତାରିଖ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି । ତେଣୁ ଏବେ ବି ବିଜେପିର ନୂଆ ମୁଖ୍ୟମନ୍ତ୍ରୀଙ୍କ ନାମ ଘୋଷଣାକୁ ସାରା ଓଡ଼ିଶା ଅପେକ୍ଷା କରି ରହିଛି । ତେବେ ଧର୍ମେନ୍ଦ୍ର ପ୍ରଧାନଙ୍କ ନାଁ ଖୁବ ଚର୍ଚ୍ଚାରେ ରହିଥିବା ବେଳେ ସେ ମୋଦୀ କ୍ୟାବିନେଟରେ ସ୍ଥାନ ପାଇଛନ୍ତି । ତେଣୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ କିଏ ହେବ ସେ ନେଇ ଏବେ ବି ଚର୍ଚ୍ଚା ଲାଗି ରହିଛି ।

ତେବେ ଆଜି ପ୍ରଧାନମନ୍ତ୍ରୀ ଭାବରେ ମୋଦୀ ଶପଥ ନେବା ପରେ ନବନିର୍ବାଚିତ ସାଂସଦଙ୍କ ସହ ପ୍ରଥମ ବୈଠକ ଅନୁଷ୍ଠିତ ହେବ । ଜୁନ୍ ୧୧ ତାରିଖରେ ଏହି ବୈଠକ ହେବା ପରେ ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କ ନାମ ଘୋଷଣା କରିବ ବିଜେପି । ନିର୍ବାଚନ ପ୍ରଚାର ସମୟରେ ଜୁନ୍ ୧୦ ତାରିଖରେ ଓଡ଼ିଶାରେ ନୂଆ ମୁଖ୍ୟମନ୍ତ୍ରୀ ଶପଥ ନେବେ ବୋଲି ପାର୍ଟି ଘୋଷଣା କରିଥିଲା । କିନ୍ତୁ ବର୍ତ୍ତମାନ ସୁଦ୍ଧା ଏହାର ଚୂଡ଼ାନ୍ତ ନିଷ୍ପତ୍ତି ହୋଇ ନଥିବାରୁ ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ସମାରୋହକୁ ସ୍ଥଗିତ ରଖାଯାଇଛି । ତେବେ ମୁଖ୍ୟମନ୍ତ୍ରୀ ପାଇଁ ସମ୍ବଲପୁରର ନବ ନିର୍ବାଚିତ ସାଂସଦ ଧର୍ମେନ୍ଦ୍ର ପ୍ରଧାନଙ୍କ ନାଁ ଖୁବ ଆଗରେ ରହିଥିବା ବେଳେ ଏବେ ଏ ନେଇ ବଡ଼ ଖବର ଆସିଛି । ଧର୍ମେନ୍ଦ୍ର ପ୍ରଧାନ ମୋଦୀ କ୍ୟାବିନେଟ ୩.୦ର ସାମିଳ ହେଉଛନ୍ତି । ତେଣୁ ତାଙ୍କୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ପଦ ମିଳିପାରିବ ନାହିଁ । ଅର୍ଥାତ୍ ମୁଖ୍ୟମନ୍ତ୍ରୀ ପାଇଁ ଅନ୍ୟ ଜଣଙ୍କୁ ନଜରରେ ରଖିଛି ବିଜେପି ।

ତେବେ ବିଜେପିର ବରିଷ୍ଠ ନେତା ତଥା ନବ ନିର୍ବାଚିତ ବିଧାୟକ ସୁରେଶ ପୂଜାରୀ ଦିଲ୍ଲୀରେ ପହଞ୍ଚିଛନ୍ତି । ତେଣୁ ସେ ମୁଖ୍ୟମନ୍ତ୍ରୀ ପଦ ପାଇଁ ଜଣେ ଦାବିଦାର ହୋଇପାରନ୍ତି ବୋଲି ମଧ୍ୟ ଅନୁମାନ କରାଯାଉଛି । ବ୍ରଜରାଜନଗରର ନୂଆ ବିଧାୟକ ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀ ହେବା ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ଏହାପୂର୍ବରୁ ଜାମ୍ମୁ କାଶ୍ମୀରର ପୂର୍ବତନ ରାଜ୍ୟପାଳ ଗିରିଶ ଚନ୍ଦ୍ର ମୁର୍ମୁଙ୍କ ନାମ ମଧ୍ୟ ମୁଖ୍ୟମନ୍ତ୍ରୀ ପଦ ପାଇଁ ଚର୍ଚ୍ଚାକୁ ଆସିଥିଲା । ସେପଟେ ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ଉତ୍ସବର ସେଲିବ୍ରେସନ ପାଇଁ ଭୁବନେଶ୍ୱରର ଜନତା ମଇଦାନ ପ୍ରସ୍ତୁତ ହେଉଥିବା ବେଳେ ବିଜେପି ଏପର୍ଯ୍ୟନ୍ତ ନୂଆ ମୁଖ୍ୟମନ୍ତ୍ରୀ ଚୟନ କରିପାରି ନାହିଁ ।

Get real time updates directly on you device, subscribe now.