fbpx

M.S Dhoni ନା ରୋହିତ, ଅଶ୍ୱୀନଙ୍କ ଦଳରେ କିଏ ହେଲେ ଅଧିନାୟକ? All Time Playing-11ରେ ୭ ଭାରତୀୟ

ନୂଆଦିଲ୍ଲୀ: ଆଇପିଏଲ ଇତିହାସର ସର୍ବଶ୍ରେଷ୍ଠ ଦଳ ଚୟନ କରିଛନ୍ତି ଟିମ ଇଣ୍ଡିଆର ଷ୍ଟାର କ୍ରିକେଟର ରବିଚନ୍ଦ୍ରନ ଅଶ୍ୱୀନ । ଏହି ଦଳରେ ଅଶ୍ୱୀନ ୩ ଜଣ ମହାନ୍ ଅଧିନାୟକଙ୍କୁ ସାମିଲ କରିଛନ୍ତି । ଏମ.ଏସ ଧୋନୀ, ରୋହିତ ଶର୍ମା ଏବଂ ବିରାଟ କୋହଲିଙ୍କ ସମେତ ଭାରତର ୭ ଜଣ ଖେଳାଳିଙ୍କୁ ଏହି ଦଳରେ ସ୍ଥାନ ଦେଇଛନ୍ତି ଅଶ୍ୱୀନ । ଏହାବ୍ୟତୀତ ୪ ଜଣ ବିଦେଶୀ ଖେଳାଳି ଦଳରେ ସାମିଲ ରହିଛନ୍ତି । ତେବେ ଅଶ୍ୱୀନଙ୍କ ଅଲ୍ ଟାଇମ୍ ପ୍ଲେଇଙ୍ଗ-୧୧ରେ କାହାକୁ ମିଳିଛି ଅଧିନାୟକ ପଦ? ଧୋନୀ ଏବଂ ରୋହିତ ଉଭୟ ନିଜ ନିଜ ଦଳକୁ ୫-୫ ଥର ଆଇପିଏଲ ଚମ୍ପିଆନ୍ କରାଇଛନ୍ତି ।

ଅଶ୍ୱୀନ ନିଜର ଅଲ୍ ଟାଇମ୍ ପ୍ଲେଇଙ୍ଗ-୧୧ରେ ରୋହିତ ଶର୍ମା ଏବଂ ବିରାଟ କୋହଲିଙ୍କୁ ଓପନର ଭାବରେ ଦାୟିତ୍ୱ ଦେଇଛନ୍ତି । ବିରାଟ ୮,୦୦୪ ରନ୍ ସହିତ ଟୁର୍ଣ୍ଣାମେଣ୍ଟର ସର୍ବାଧିକ ରନ୍ କରିଥିବା ବେଳେ ହିଟମ୍ୟାନ୍ ୬,୬୨୮ ରନ୍ ସହିତ ତାଲିକାର ତୃତୀୟ ସ୍ଥାନରେ ପହଞ୍ଚିଛନ୍ତି । ଆଇପିଏଲ ଇତିହାସରେ ୮ଟି ଶତକ ହାସଲ କରିଛନ୍ତି । ଏହାପରେ ତୃତୀୟ ସ୍ଥାନରେ ‘ମିଷ୍ଟର ଆଇପିଏଲ’ ଏବଂ ‘ଚିନ୍ନା ଥାଲା’ ନାମରେ ପରିଚିତ ସୁରେଶ ରାଇନାଙ୍କୁ ଦଳରେ ସୁଯୋଗ ଦେଇଛନ୍ତି । ଚେନ୍ନାଇ ସୁପର କିଙ୍ଗସ ପାଇଁ ସେ ଅନେକ ମ୍ୟାଚରେ ଗୁରୁତ୍ୱପୂର୍ଣ୍ଣ ଇନିଂସ ଖେଳି ପ୍ରମୁଖ ଭୂମିକା ତୁଲାଇଛନ୍ତି । ତେବେ ଦଳର ଚତୁର୍ଥ ସ୍ଥାନରେ ମଧ୍ୟକ୍ରମର ଷ୍ଟାର କ୍ରିକେଟର ସୂର୍ଯ୍ୟକୁମାର ଯାଦବ ସ୍ଥାନ ପାଇଛନ୍ତି । ବିସ୍ଫୋରକ ବ୍ୟାଟିଂ ପାଇଁ ବର୍ତ୍ତମାନ ଟି-୨୦ କ୍ରିକେଟରେ ଟପ୍ ରାଙ୍କିଙ୍ଗ ହାସଲ କରିଛନ୍ତି ସୂର୍ଯ୍ୟକୁମାର ।

ଦକ୍ଷିଣ ଆଫ୍ରିକାର ଷ୍ଟାର କ୍ରିକେଟର ଏ ବି ଡିଭିଲିୟର୍ସ ପ୍ଲେଇଙ୍ଗ-୧୧ର ପଞ୍ଚମ ଖେଳାଳି ଭାବରେ ରହିଛନ୍ତି । ମଧ୍ୟକ୍ରମକୁ ଆହୁରି ମଜବୁତ କରିବା ପାଇଁ ଏବିଡି ଦଳରେ ସ୍ତାନ ପାଇଛନ୍ତି । ତେବେ ଷଷ୍ଠ ସ୍ଥାନରେ ୱିକେଟ କିପର ଭାବରେ ଏମ.ଏସ ଧୋନୀଙ୍କୁ ଚୟନ କରିଛନ୍ତି ରବିଚନ୍ଦ୍ରନ ଅଶ୍ୱୀନ । ବିଶ୍ୱର ସର୍ବଶ୍ରେଷ୍ଠ ଫିନିସର ଭାବରେ ଶେଷ ଓଭରରେ ସର୍ବାଧିକ ରନ୍ ଏବଂ ସର୍ବାଧିକ ଛକା ମାରିବା ତାଲିକାର ଶୀର୍ଷ ସ୍ଥାନରେ ରହିଛନ୍ତି ମାହି । ତେଣୁ ଧୋନୀଙ୍କ କାନ୍ଧରେ ଫିନିସରର ଭୂମିକା ମଧ୍ୟ ରହିଛି ।

ଏହାପରେ ସ୍ପିନ ବୋଲିଂ ଡିପାର୍ଟମେଣ୍ଟରେ ଆଫଗାନୀ ବୋଲର ରାଶିଦ ଖାନ୍ ଏବଂ ୱେଷ୍ଟଇଣ୍ଡିଜ ସ୍ପିନର ସୁନୀଲ ନାରାୟଣଙ୍କୁ ଚୟନ କରିଛନ୍ତି ଅଶ୍ୱୀନ । ଏହାପରେ ଫାଷ୍ଟ ବୋଲିଂ ପାଇଁ ଭାରତର ଭୁବନେଶ୍ୱର କୁମାର, ଜଶପ୍ରୀତ ବୁମରାହ ଏବଂ ଶ୍ରୀଲଙ୍କା ବୋଲର ଲାସିଥ ମାଲିଙ୍ଗା ଅଶ୍ୱୀନଙ୍କ ଦଳରେ ସ୍ଥାନ ପାଇଛନ୍ତି । ଏହି ଦଳର ଅଧିନାୟକ ଦାୟିତ୍ୱ କ୍ୟାପଟେନ୍ କୁଲ୍ ଏମ.ଏସ ଧୋନୀଙ୍କ ହାତରେ ଦେଇଛନ୍ତି ଅଶ୍ୱୀନ । ଚେନ୍ନାଇକୁ ୫ ଥର ଚମ୍ପିଆନ୍ କରିଥିବା ମାହି ଦଳର ନେତୃତ୍ୱ ନେବେ ।

ଅଶ୍ୱୀନଙ୍କ ଅଲ୍ ଟାଇମ୍ ପ୍ଲେଇଙ୍ଗ-୧୧: ରୋହିତ ଶର୍ମା, ବିରାଟ କୋହଲି, ସୁରେଶ ରାଇନା, ସୂର୍ଯ୍ୟକୁମାର ଯାଦବ, ଏବି ଡିଭିଲିୟର୍ସ, ଏମ.ଏସ ଧୋନୀ(ଅଧିନାୟକ), ରାଶିଦ ଖାନ୍, ସୁନୀଲ ନାରାୟଣ, ଭୁବନେଶ୍ୱର କୁମାର, ଜଶପ୍ରୀତ ବୁମରାହ ଏବଂ ଲାସିଥ ମାଲିଙ୍ଗା ।

Get real time updates directly on you device, subscribe now.