fbpx

(Video) ଚାଞ୍ଚଲ୍ୟକର ଘଟଣା: କୂଅ ଭିତରୁ ପାଣି ନୁହେଁ, ବାହାରୁଛି ଡିଜେଲ, ନିଆଁ ଲଗାଇଲେ ଜଳିଯାଉଛି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଅନେକ ସମୟରେ ଆମର ଆଖପାଖ ଅଞ୍ଚଳରେ କିଛି ଅଦ୍ଭୂତ ଦୃଶ୍ୟ ଦେଖିବାକୁ ମିଳିଥାଏ । ବେଳେବେଳେ କୌଣସି ବ୍ୟକ୍ତି ମାଟି ଖୋଳୁଖୋଳୁ କିଛି ମୂଲ୍ୟବାନ ପଦାର୍ଥ ପାଇଥାନ୍ତି । ସେହିପରି ଅନେକ ସମୟରେ ନଦୀ, ପୋଖରୀ, କୂଅରୁ ମଧ୍ୟ କିଛି ଖଣିଜ ପଦାର୍ଥ, ତୈଳ ମିଳିଥାଏ । ତେବେ ଅନୁରୂପ ଭାବେ ଏକ ବଡ଼ ଖବର ଆସିଛି କେନ୍ଦ୍ରାପଡ଼ା ଜିଲ୍ଲାରୁ ।

ସୂଚନା ମୁତାବକ, କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇରୁ ଏକ କୂଅ ଭିତରୁ ଡିଜେଲ ବାହାରୁଛି । ଏହି କୂଅଟି ୧୦୦ ବର୍ଷର ପୁରୁଣା କୂଅ ହୋଇଥିବା ବେଳେ ତା’ ଭିତରୁ ଶହ ଶହ ଲିଟର ତେଲ ବାହାରୁଛି । ସବୁଠାରୁ ବଡ଼ କଥା ଏହି ତେଲରେ ନିଆଁ ଲଗାଇଲେ ତାହା ଜଳୁଥିବା ଦେଖାଯାଉଛି । ତେଣୁ ଏହି ଅବିଶ୍ୱସନୀୟ ଦୃଶ୍ୟକୁ ଦେଖିବା ପରେ ଏବେ ଅଞ୍ଚଳବାସୀଙ୍କ ମଧ୍ୟରେ କୌତୁହଳ ଜାତ ହେବା ସହ ସେମାନେ କୂଅ ନିକଟକୁ ଦୌଡ଼ିଛନ୍ତ ।

ବିଶ୍ୱାସ ସାହିର ସୁଦର୍ଶନ ବିଶ୍ୱାସଙ୍କ ବାଡ଼ିରେ ରହିଥିବା ଏକ କୂଅରୁ ଏହି ତେଲ ବାହାରୁଥିବା ଜଣାପଡ଼ିଛି । ୩ ବର୍ଷ ତଳେ ଏହି କୂଅରୁ ସୁଦର୍ଶନଙ୍କ ପତ୍ନୀ ପାଣି କାଢ଼ିବା ସମୟରେ ହଠାତ୍ କୂଅ ପାଣି ଡିଜେଲ ଗନ୍ଧ ହୋଇଥିଲା । ତେଣୁ କେହି କୂଅରେ ଡିଜେଲ କି କିରାସିନି ପକାଇଥାଇ ପାରନ୍ତି ବୋଲି ସୁଦର୍ଶନ ସନ୍ଦେହ କରିଥିଲେ । ପରବର୍ତ୍ତୀ ସମୟରେ କୂଅ ପାଣିରୁ ଆଉ କୌଣସି ଗନ୍ଧ ଆସିନଥିଲା ।

ତେବେ ଅଢ଼େଇ ମାସ ପୂର୍ବରୁ କୂଅରୁ ପାଣି କାଢ଼ିବା ସମୟରେ ସେଥିରୁ କିଛି ପ୍ରାକୃତିକ ତେଳ ଭଳି ଗନ୍ଧ ଆସିଥିଲା । ଏହାପରେ ସୁଦର୍ଶନ କୂଅରୁ ସବୁ ପାଣି ଶୁଖାଇ ସଫା କରିବା ସହ କୂଅରେ କାଠପଟା ପକାଇ ଘୋଡ଼ାଇ ଦେଇଥିଲେ । ତେବେ ପରବର୍ତ୍ତୀ ସମୟରେ କୂଅରେ ବହଳିଆ ତେଲର ଆସ୍ତରଣ ଦେଖିବାକୁ ମିଳିଥିଲା ଓ ତାହା ନିଅାଁରେ ଜଳିଥିଲା । ଏନେଇ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା । କୂଅ ପାଣିକୁ ପରୀକ୍ଷା ପରେ ତାହା ଡିଜେଲ ବୋଲି ଶତ ପ୍ରତିଶତ ପ୍ରମାଣ ମିଳିଛି । ସୂଚନାଯୋଗ୍ୟ ଯେ, କେନ୍ଦ୍ରାପଡ଼ାରେ ପ୍ରାକୃତିକ ତୈଳ ରହିଥିବା ନେଇ କିଛି ବର୍ଷ ତଳେ ଅଏଲ ଇଣ୍ଡିଆର ସର୍ଭେରୁ ଜଣା ପଡ଼ିଥିଲା । ମାତ୍ର ତାହାକୁ ଉତ୍ତୋଳନ କଲେ ଲାଭଦାୟକ ହେବ ନାହିଁ ବୋଲି କୁହାଯାଇଥିଲା ।

Get real time updates directly on you device, subscribe now.