ନୋମିନି ଓ ଉତ୍ତରାଧିକାରୀ ମଧ୍ୟରେ ଫରକ କ’ଣ: ଖାତାଧାରୀଙ୍କ ମୃତ୍ୟୁ ପରେ ଜମା ଅର୍ଥ ଓ ବୀମାରାଶି ଉପରେ କାହାର ରହିବ ହକ୍, କ’ଣ କହୁଛି ଆଇନ୍

ନୂଆଦିଲ୍ଲୀ: ଅନେକଙ୍କ ମନରେ ଏହି ଧାରଣା ରହିଥାଏ ଯେ, କୌଣସି ବ୍ୟକ୍ତିଙ୍କର ମୃତ୍ୟୁ ପରେ ନୋମିନି ମୃତକଙ୍କର ବ୍ୟାଙ୍କ ଜମା ବା ବୀମା ରାଶିର ମାଲିକ ହୋଇଯିବେ । ମାତ୍ର ଏହା ଶତ ପ୍ରତିଶତ ଠିକ୍ ନୁହେଁ । ଅନେକ ସମୟରେ ଏନେଇ ବିବାଦ ସୃଷ୍ଟି ହୋଇଥାଏ । ତେଣୁ ଗ୍ରାହକମାନେ ନିଜର ନୋମିନିଙ୍କ ନାମ ଚୟନ କରିବା ପାଇଁ ସୁନିଶ୍ଚିତ କରିବାକୁ ବ୍ୟାଙ୍କ ଓ ଆର୍ଥିକ ସଂସ୍ଥାମାନଙ୍କୁ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସୂଚନା ଦେଇଥିଲେ ।

ଅନେକ ଲୋକ ନୋମିନି ଓ ଉତ୍ତରାଧିକାରୀ ସମାନ ବୋଲି ଭାବିନେଇଥାନ୍ତି । ଦୁଇଜଣଙ୍କର ଅଧିକାର ଅଲଗା ଅଲଗା ରହିଥାଏ । ବିଶେଷଜ୍ଞଙ୍କ ମୁତାବକ, ଜଣେ ନୋମିନୀ କୌଣସି ଚଳନ୍ତି, ଅଚଳ ସମ୍ପତ୍ତିର ମାଲିକ ହୋଇନଥାନ୍ତି । ସେ କେବଳ ଆପଣଙ୍କର ଅର୍ଥର ରକ୍ଷଣକାରୀ ହୋଇଥାନ୍ତି । ସେହିପରି ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ପରେ ତାଙ୍କର ସମ୍ପତ୍ତି ପାଇବାରେ ହକଦାର ହେଉଥିବା ବ୍ୟକ୍ତିଙ୍କୁ ଆଇନଗତ ଉତ୍ତରାଧିକାରୀ କୁହାଯାଇଥାଏ ।

କୌଣସି ବ୍ୟାଙ୍କ ଖାତା ବା ବୀମା କମ୍ପାନୀର ପଲିସୀରେ ନୋମିନି ହୋଇଗଲେ ଆପଣ ଅଟୋମେଟିକ୍ ଭାବେ ମାଲିକାନା ଜାହିର କରିପାରିବେ ନାହିଁ । ଯଦି କୌଣସି ଖାତାଧାରୀ ଜଣଙ୍କୁ ନୋମିନି ରଖିଥାନ୍ତି, ତେବେ ନୋମିନି କେବଳ ନେଣଦେଣ କରିପାରିବେ । ନୋମିନିର ଅର୍ଥ ନୁହେଁ ଯେ ଉକ୍ତ ବ୍ୟକ୍ତିଙ୍କ ବ୍ୟାଙ୍କର ଅର୍ଥରାଶି ବା ବୀମା ରାଶିର ସେ ମାଲିକ ହୋଇଯିବେ । ଯଦି ଆକାଉଣ୍ଟ ଧାରୀ / ବୀମାଧାରୀଙ୍କର କୌଣସି ଉତ୍ତରାଧିକାରୀ ନଥିବେ, ତେବେ ଜମା ଅର୍ଥକୁ ଆଇନଗତ ଉତ୍ତରାଧିକାରୀଙ୍କ ମଧ୍ୟରେ ସମାନ ଭାବେ ବଣ୍ଟନ କରାଯିବ ।

ହିନ୍ଦୁ ଉତ୍ତରାଧିକାରୀ ଅଧିନିୟମ ୧୯୫୬ ଅନୁସାରେ, ପୁଅ, ଝିଅ, ବିଧବା, ମା’ କ୍ଲାସ-୧ ଉତ୍ତରାଧିକାରୀରେ ଆସିଥାନ୍ତି । ସେହିପରି ପିତା, ପୁତ୍ର, ବୋହୂ, ଝିଅ, ଭାଈ, ଭଉଣୀ, ଭାଇ / ଭଉଣୀଙ୍କ ସନ୍ତାନ କ୍ଲାସ-୨ରେ ଆସିଥାନ୍ତି । ଯଦି ମୃତକ ମୁସଲିମ ହୋଇଥାନ୍ତି ତେବେ ୧୯୩୭ ଆଇନ ଅନୁସାରେ ସମ୍ପତ୍ତିର ଉତ୍ତରାଧିକାରୀ ସ୍ଥିର କରାଯିବ । ଜଣେ ବ୍ୟକ୍ତିଙ୍କର ଯଦି କୌଣସି କ୍ଲାସ-୧ ଉତ୍ତରାଧିକାରୀ ନଥିବେ, ତେବେ କ୍ଲା-୨ ଉତ୍ତରାଧିକାରୀଙ୍କ ମଧ୍ୟରେ ତାଙ୍କର ସମ୍ପତ୍ତି ବଣ୍ଟନ କରାଯାଇଥାଏ ।