Google ଏବଂ Appleର ବଢ଼ିଲା ଟେନସନ୍, ଆପ୍ ଷ୍ଟୋରରୁ ହେଉଥିବା ରୋଜଗାର ସାଜିପାରେ କାଳ!

ଗୁଗୁଲ୍ ଏବଂ ଆପଲର ଆପ୍ ଷ୍ଟୋର ଉପରେ ନିୟନ୍ତ୍ରଣ ଆଣିବାକୁ ପ୍ରସ୍ତୁତ ହେଉଛି ନୂଆ ନିୟମ।

ନୂଆଦିଲ୍ଲୀ: ଗୁଗୁଲ୍ ଏବଂ ଆପଲର ସମସ୍ୟା ଶେଷ ହେବାର ନାଁ ଧରୁନି।  ଆପ୍ ଷ୍ଟୋରରୁ ହେଉଥିବା ରୋଜଗାର ଉଭୟ ଆମେରିକୀୟ ଟେକ୍ କମ୍ପାନୀ ପାଇଁ ସମସ୍ୟା ସୃଷ୍ଟି କରିବାର ସମ୍ଭାବନା ରହିଛି।

ତେଣୁ ୟୁକେର ପ୍ରତିଯୋଗିତା ଏବଂ ବଜାର କର୍ତ୍ତୃପକ୍ଷ (CMA) ଏହି ଦୁଇଟି କମ୍ପାନୀ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିଷ୍ପତ୍ତି ନେଇଛି।

ମୋବାଇଲ୍ ପ୍ଲାଟଫର୍ମରେ ଏହି ଦୁଇଟି କମ୍ପାନୀର ପ୍ରାଧାନ୍ୟ ଏବଂ ନିୟନ୍ତ୍ରଣକୁ ବିଚାରକୁ ନେଇ ମୋଟା ଅଙ୍କର ଜରିମାନା ଲାଗୁ କରିପାରେ।

CMA ଏହି ଦୁଇଟି କମ୍ପାନୀକୁ ଷ୍ଟ୍ରାଟେଜିକ୍ ମାର୍କେଟ୍ ମାନ୍ୟତା ଦେବା ପାଇଁ ଏକ ପ୍ରସ୍ତାବ ଦେଇଛି।  ଏହା ମାଧ୍ୟମରେ CMA ୟୁକେରେ ଏହି ଦୁଇଟି କମ୍ପାନୀର ଆପ୍ ଷ୍ଟୋରରେ ଥିବା ଆପ୍ ନିୟନ୍ତ୍ରଣ କରିବାରେ ପରିବର୍ତ୍ତନ ଆଣିପାରିବ।

ବଢିପାରେ ରୋଜଗାର: ରିପୋର୍ଟ ଅନୁଯାୟୀ, ଏହି ଦୁଇ କମ୍ପାନୀର ଆପ୍ ଷ୍ଟୋରରେ ଡେଭଲପରମାନଙ୍କୁ ସେମାନଙ୍କର ନିଜସ୍ୱ ପେମେଣ୍ଟ ସିଷ୍ଟମରୁ ମୁକ୍ତ କରିବା ପାଇଁ ପ୍ରୟାସ କରାଯାଉଛି।

ଗୁଗୁଲ୍ ଏବଂ ଆପଲର ଆପ୍ ଷ୍ଟୋରରେ ଇନ୍-ଆପ୍ କିଣିବା ପାଇଁ ୟୁଜରମାନଙ୍କୁ କେବଳ ଗୁଗୁଲ୍ କିମ୍ୱା ଆପଲର୍ ପେମେଣ୍ଟ ସିଷ୍ଟମ ବ୍ୟବହାର କରିବାର ବିକଳ୍ପ ମିଳିଥାଏ।

ଯାହା କାରଣରୁ ଡେଭଲପରମାନଙ୍କୁ ପ୍ରତ୍ୟେକ କିଣା ଉପରେ ୩୦ ପ୍ରତିଶତ ପର୍ଯ୍ୟନ୍ତ କମିଶନ Apple କିମ୍ବା Google କୁ ଦେବାକୁ ପଡ଼ିଥାଏ। ଏହି କାରଣରୁ ଏହି ଉଭୟ କମ୍ପାନୀ ପ୍ରଚୁର ଟଙ୍କା ରୋଜଗାର କରନ୍ତି।

CMA ର ହସ୍ତକ୍ଷେପ ପରେ ଆପ୍ ଡେଭଲପରମାନଙ୍କ ରୋଜଗାର ବଢ଼ିପାରେ ଏବଂ କମିଶନ ହ୍ରାସ ପାଇବାର ସମ୍ଭାବନା ରହିଛି।

ନୂଆ ନିତୀ ପ୍ରସ୍ତୁତି: CMA ଚାହୁଁଛି ଯେ Apple ଏବଂ Google ସେମାନଙ୍କର ଆପ୍ ଷ୍ଟୋର ପାଇଁ ଆପ୍ ସମୀକ୍ଷା ସିଷ୍ଟମକୁ ଅଧିକ ସ୍ୱଚ୍ଛ କରନ୍ତୁ। Apple ବିରୁଦ୍ଧରେ ଏକ ଅଭିଯୋଗ ଆସିଛି ଯେ କମ୍ପାନୀ ଆପ୍ ସମୀକ୍ଷା ସିଷ୍ଟମର ଗୋପନୀୟ ତଥ୍ୟ ବ୍ୟବହାର କରି ଏହାର ସେବାକୁ ପ୍ରୋତ୍ସାହିତ କରେ।

ଯଦି ଏହି ଅଭିଯୋଗ ସତ ହୁଏ, ତେବେ Apple ଏହା ମାଧ୍ୟମରେ ଏକ ସୁବିଧା ପାଉଛି। ତେଣୁ CMA ଏହା ସମ୍ପର୍କରେ ଏକ ନୂଆ ନୀତି ଆଣିପାରେ।

ଏହା ପରେ ୟୁଜରମାନଙ୍କୁ App Store ରୁ କରାଯାଇଥିବା କ୍ରୟ ପାଇଁ Apple କିମ୍ବା Google Pay ୱାଲେଟ ବ୍ୟତୀତ ଅନ୍ୟ ଡିଜିଟାଲ୍ ୱାଲେଟ ବ୍ୟବହାର କରିବାର ବିକଳ୍ପ ମିଳିବ।

Appleର ବିରୋଧ: CMA ମୁଖ୍ୟ କାର୍ଯ୍ୟନିର୍ବାହୀ ସାରା କାର୍ଡେଲ କହିଛନ୍ତି ଯେ UK ରେ ଥିବା ମୋବାଇଲ୍ ଡିଭାଇସ୍ ରେ Apple ଏବଂ Google ର ୯୦ ରୁ ୧୦୦ ପ୍ରତିଶତ ଅଂଶ ରହିଛି।

UK ରେ ଆପ୍ ମାଧ୍ୟମରେ ରୋଜଗାର ଅର୍ଥନୀତିରେ ଗୁରୁତ୍ୱପୂର୍ଣ୍ଣ ଅବଦାନ ରଖେ। ଏହା ଉପରେ ୪ ଲକ୍ଷ ଚାକିରି ନିର୍ଭର କରେ, ଏବଂ ଏହା ମୋଟ GDP ର ୧.୫ ପ୍ରତିଶତ ଅଂଶ ମଧ୍ୟ ରଖିଛି।

ତଥାପି Apple CMA ର ନୂଆ ପ୍ରସ୍ତାବିତ ନିୟମକୁ ବିରୋଧ କରିଛି। ଏହାର ସ୍ପଷ୍ଟୀକରଣରେ କମ୍ପାନୀ କହିଛି ଯେ, ଏହି ପରିବର୍ତ୍ତନ ୟୁଜରମାନଙ୍କ ଗୋପନୀୟତାକୁ ବିପଦରେ ପକାଇପାରେ।

App Store ୟୁଜରମାନଙ୍କ ବ୍ୟକ୍ତିଗତ ସୂଚନା ତୃତୀୟ ପକ୍ଷ ଦ୍ୱାରା ପ୍ରବେଶ କରାଯାଇପାରିବ। CMA ବର୍ତ୍ତମାନ ଏହି ବିଷୟରେ ବିଶେଷଜ୍ଞଙ୍କଠାରୁ ମତାମତ ନେଉଛି। ନିୟାମକ ଆସନ୍ତା ବର୍ଷରୁ ଏହି ନିୟମ ଲାଗୁ କରିପାରିବ।