fbpx

କାହାର ହେବ ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀ? ଏଥର ଲଢେଇ ବିଳ୍ପବ ପାତ୍ର ବନାମ ସିଦ୍ଧାନ୍ତ ମହାପାତ୍ର

Advertisement

ଓଡ଼ିଶା ଭାସ୍କର: ଘୋଷଣା ହୋଇଛି ବିଜେପି ପ୍ରାର୍ଥୀ ତାଲିକା । ବହୁ ଅପେକ୍ଷା ପରେ ଶେଷରେ ଆଜି ୨୦୨୪ ବିଧାନସଭା ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେପି । ଦଳ ପ୍ରଥମ ପର୍ଯ୍ୟାୟରେ ମୋଟ ୧୧୨ ଜଣ ବିଧାନସଭା ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି। ତେବେ ଏହି ପ୍ରାର୍ଥୀ ତାଲିକା ଅନୁସାରେ ଖୁବ ଜଣାଶୁଣା ଅଭିନେତା ତଥା ପୂର୍ବତନ ସାଂସଦ ସିଦ୍ଧାନ୍ତ ମହାପାତ୍ର ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀରୁ ପ୍ରତିଦ୍ୱନ୍ଦିତା କରିବେ ବୋଲି ଜଣାପଡିଛି। ତେବେ ସିଦ୍ଧାନ୍ତଙ୍କ ପୂର୍ବରୁ ଦିଗପହଣ୍ଡି ପାଇଁ ସ୍ୱର୍ଗତ ସୂର୍ଯ୍ୟନାରାୟଣ ପାତ୍ରଙ୍କ ପୁଅ ବିଳ୍ପବ ପାତ୍ରଙ୍କୁ ପ୍ରାର୍ଥୀ କରିଛି ବିଜେଡି। ତେଣୁ ଏଥର ଦିଗପହଣ୍ଡିରେ ଏକ ବଡ଼ ଲଢେଇ ଦେଖିବାକୁ ମିଳିବ ବୋଲି ଚର୍ଚ୍ଚା ହେଉଛି। ଜଣେ ବରିଷ୍ଠ ରାଜନେତାଙ୍କ ପୁଅ ହୋଇଥିବା ବେଳେ ଆଉ ଜଣେ ସୁପରଷ୍ଟାର ଅଭିନେତା। ଏଣୁ ରାଜନୀତିକୁ ନେଇ ଉଭୟଙ୍କ ପାଖରେ ସମାନ ଅଭିଜ୍ଞତା ଓ ସମାନ ସମର୍ଥନ ରହିଛି।

ତେବେ ନିକଟରେ ବରିଷ୍ଠ ରାଜନେତା ତଥା ବିଧାନସଭା ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ରଙ୍କ ଦେହାନ୍ତ ହୋଇଥିଲା । ଏହାପରେ ପୁଅ ବିପ୍ଳବ ପାତ୍ର ନିଜ ଅଞ୍ଚଳରେ ବାପାଙ୍କ ନାଁ ନେଇ ଦାବିଦାର ଜାହିର କରିଥିଲେ। ସୂର୍ଯ୍ୟନାରାୟଣ ଅନେକ ଥର ଦିଗପହଣ୍ଡିରୁ ବିଧାନସଭାକୁ ନିର୍ବାଚିତ ହେବା ସହିତ ବିଭିନ୍ନ ବିଭାଗର ମନ୍ତ୍ରୀ ଭାବେ ନିଜର କର୍ତ୍ତବ୍ୟ ତ୍ୱରାନ୍ୱିତ କରିଥିଲେ । ଏଥିସହ ବାଚସ୍ପତ୍ତି ଭାବେ ଗୃହକାର୍ଯ୍ୟ ପାଳନ କରିବାକୁ ମଧ୍ୟ ତାଙ୍କୁ ବିଧାନସଭାରେ ମନୋନୀତ କରାଯାଇଥିଲା । ତେଣୁ ଟାଣୁଆ ରାଜନେତା ସୂର୍ଯ୍ୟନାରାୟଣଙ୍କ ଦେହାନ୍ତ ପରେ ପୁଅ ବିପ୍ଳବ ଏଥର କିଛି ଅନୁକମ୍ପା ମୂଳକ ଭୋଟ ପାଇପାରନ୍ତି । ଅପରପକ୍ଷେ ସିଦ୍ଧାନ୍ତ ମହାପାତ୍ର ମଧ୍ୟ ନିଜର ଫ୍ୟାନ ଫଲୋଇଂ ପାଇଁ କିଛି ଅଧିକ ଭୋଟ ପାଇପାରନ୍ତି। ତେବେ ୨୦୧୯ ନିର୍ବାଚନରେ ବିଜେପି ପକ୍ଷରୁ ସିନେ ଅଭିନେତ୍ରୀ ପିଙ୍କି ପ୍ରଧାନ ବିଜେଡିର ସୂର୍ଯ୍ୟନାରାୟଣ ପାତ୍ରଙ୍କଠାରୁ ପ୍ରାୟ ୪୦ ହଜାର ବ୍ୟବଧାନ ଭୋଟରେ ହାରିଥିଲେ । କିନ୍ତୁ ଏଥର ପୂର୍ବ ଅପେକ୍ଷା ଆହୁରି ଅଧିକ ବଳ କଷାକଷି ହେବ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି।

ସୂଚନା ଥାଉକି, ଓଲିଉଡ ସୁପରଷ୍ଟାର ତଥା ପୂର୍ବତନ ବ୍ରହ୍ମପୁର ସାଂସଦ ସିଦ୍ଧାନ୍ତ ମହାପାତ୍ର ବିଜେଡିରୁ ଇସ୍ତଫା ଦେଇ ନିକଟରେ ବିଜେପିରେ ସାମିଲ ହୋଇଥିଲେ । ତେବେ ଆଜି ବିଜେପି ପ୍ରାର୍ଥୀ ତାଲିକା ଘୋଷଣା କରିବା ପରେ ଦେଖିବାକୁ ମିଳିଛି ଯେ, ସିଦ୍ଧାନ୍ତଙ୍କୁ ଦିଗପହଣ୍ଡିରୁ ବିଧାନସଭା ଆସନରୁ ପ୍ରାର୍ଥୀ କରାଯାଇଛି।

 

Get real time updates directly on you device, subscribe now.