fbpx

ଆଜି ଦୁବାଇରେ ଓଡ଼ିଶା ଇନ୍‌ଭେଷ୍ଟର୍ସ ମିଟ୍‌, ନିବେଶକଙ୍କ ସହ ଆଲୋଚନା କରିବେ ନବୀନ

ଭୁବନେଶ୍ୱର, (ଭାସ୍କର ନ୍ୟୁଜ୍‌) : ଗତ ୨୦ ତାରିଖରୁ ବିଦେଶ ଗସ୍ତରେ ଯାଇଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବେ ଦୁବାଇରେ ଅଛନ୍ତି ।  ଆଜି ସେ ଓଡ଼ିଶା ଇନଭେଷ୍ଟର୍ସ ମିଟ୍‌ରେ ଯୋଗ ଦେଇ ପୁଞ୍ଜି ନିବେଶକାରୀଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି । ଓଡ଼ିଶା ସରକାର ଓ ଫିକ୍କିର ମିଳିତ ସହଯୋଗରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି । ଏଥିରେ ଭାଗ ନେବା ପାଇଁ ଓଡ଼ିଶାରୁ ଏକ ଉଚ୍ଚସ୍ତରୀୟ ଟିମ୍‌ ଦୁବାଇରେ ପହଞ୍ଚିଥିବା ବେଳେ ଓଡ଼ିଶାର ବହୁ ଶିଳ୍ପ ସଂସ୍ଥାର ପ୍ରତିନିଧି ମଧ୍ୟ ଦୁବାଇରେ ପହଞ୍ଚିଥିବା ସୂଚନା ମିଳିଛି ।

ଉଚ୍ଚସ୍ତରୀୟ ଟିମ୍‌ରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ୫-ଟି ସଚିବ ଭି.କେ.ପାଣ୍ଡିଆନ୍‌ ଓ ଶିଳ୍ପ ସଚିବ ହେମନ୍ତ ଶର୍ମା ସାମିଲ ରହିଛନ୍ତି । ବିଦେଶୀ ପୁଞ୍ଜି ନିବେଶକାରୀ ଓଡ଼ିଶାରେ ଯେପରି ପୁଞ୍ଜି ନିବେଶ କରିବେ ତାହା ଏହି କାର୍ଯ୍ୟକ୍ରମର ମୁଖ୍ୟ ଲକ୍ଷ୍ୟ ବୋଲି କୁହାଯାଉଛି । ବିଶେଷ କରି ପେଟ୍ରୋ କେମିକାଲ୍ସ, ପ୍ଳାଷ୍ଟିକ୍‌, ଖାଦ୍ୟ ପ୍ରକ୍ରିୟାକରଣ, ଟେକ୍ସଟାଇଲ ଓ ପର୍ଯ୍ୟଟନ କ୍ଷେତ୍ରରେ ପୁଞ୍ଜି ନିବେଶ ନେଇ ଆଲୋଚନା କରାଯିବ ବୋଲି ସୂଚନା ମିଳିଛି । ଶିଳ୍ପ ସ୍ଥାପନ ପାଇଁ ଓଡ଼ିଶା ଏକ ସଠିକ୍‌ ସ୍ଥାନ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ପୁଞ୍ଜି ନିବେଶକାରୀଙ୍କୁ ଅବଗତ କରାଇବେ । ପୁଞ୍ଜି ନିବେଶ ପାଇଁ ଥିବୀ ସିଙ୍ଗଲ୍‌ ୱିଣ୍ଡୋ ବ୍ୟବସ୍ଥା ଓ ଜମି ଯୋଗାଣରେ ଯେଉଁ ସବୁ ସୁବିଧା ରହିଛି ସେନେଇ ମତ ମଧ୍ୟ ରଖିବେ ।

ସୂଚନାଯୋଗ୍ୟ ଯେ, ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ପ୍ରଥମେ ଇଟାଲୀ ଗସ୍ତରେ ଯାଇଥିବାବେଳେ ରବିବାର ରାତିରେ ସେଠାରୁ ଦୁବାଇରେ ପହଞ୍ଚିଥିଲେ । ପ୍ରଥମ ଦିନରେ ସେ ଆବୁଧାବିର ଶେଖ୍‌ ଜାୟଦ ମସଜିଦ୍‌ ବୁଲିବା ସହ ମସଜିଦ୍‌ର କାରୁକାର୍ଯ୍ୟ ଓ ସ୍ଥାପତ୍ୟକୁ ବେଶ୍‌ ପ୍ରଶଂସା କରିଥିଲେ । ମସଜିଦ୍‌ରେ ବ୍ୟବହୃତ ହୋଇଥିବା ମାର୍ବଲ ଭାରତର ରାଜସ୍ଥାନରୁ ଆସିଥିବା ସେ ଟ୍ୱିଟ୍‌ କରି କହିଥିଲେ । ଏପରିକି ମସଜିଦ୍‌ ନିର୍ମାଣରେ ରାଜସ୍ଥାନ ମାର୍କଣ ଗାଁର କାରିଗରଙ୍କ ବେଶ୍‌ ଅବଦାନ ଥିବା ସେ ସୂଚନା ଦେଇଥିଲେ । ତେବେ ସବୁଠୁ ବଡ଼ କଥା ହେଉଛି ମୁଖ୍ୟମନ୍ତ୍ରୀ ଦୀର୍ଘ ୨୫ ବର୍ଷ ଧଳା କୁର୍ତ୍ତା ପିନ୍ଧି ଆସୁଥିବାବେଳେ ନୀଳ କୁର୍ତ୍ତା ପିନ୍ଧି ମସଜିଦ୍‌ ବୁଲିଥିଲେ । ଏହା ମୁଖ୍ୟମନ୍ତ୍ରୀଙ୍କ ଧର୍ମ ନିରପେକ୍ଷତାର ପ୍ରତୀକ ବୋଲି ଚର୍ଚ୍ଚା ଜୋର୍‌ ଧରିଛି ।

Get real time updates directly on you device, subscribe now.