fbpx

ଜନ୍ମଦିନରେ ନୂଆ ଜୀବନ ପାଇ ଘରକୁ ଫେରିଲେ ରୋଗୀ, କରୋନା ସଂକ୍ରମିତଙ୍କ ଜନ୍ମଦିନ ପାଳିଲେ ହସ୍ପିଟାଲ୍‌ କର୍ମଚାରୀ

ବ୍ରହ୍ମପୁର ଅଫିସ: ଅନେକାଂଶ କ୍ଷେତ୍ରରେ କରୋନା ଆକ୍ରାନ୍ତଙ୍କ  ସଠିକ୍‌ ଚିକିତ୍ସା ସହ ଦେଖାଶୁଣା ହେଉନଥିବା ବିଭିନ୍ନ ଗଣମାଧ୍ୟମ ଓ ସୋସିଆଲ ମିଡିଆରେ ଦେଖିବାକୁ  ମିଳିଛି । ଏଭଳି ସ୍ଥଳେ ହସ୍ପିଟାଲରେ ସଠିକ୍‌ ଚିକିତ୍ସା ହେଉନଥିବା କହି ମୋବାଇଲ ମାଧ୍ୟମରେ ମଧ୍ୟ ଭିଡ଼ିଓ ଉତ୍ତୋଳନ କରି ଫେସ୍‌ବୁକ କିମ୍ବା ଟ୍ୱିଟ୍‌ ମାଧ୍ୟମରେ ପୋଷ୍ଟ କରି ହସ୍ପିଟାଲ କର୍ତ୍ତୃକ୍ଷଙ୍କ ଉପରେ ଦୋଷ ଲଦିବା ଭଳି ଅନେକ ଭଡ଼ିଓ କିମ୍ବା ଫଟୋ ସାର୍ବଜନୀନ ହୋଇଛି । କିନ୍ତୁ ଆଜି ଏହାର ଏଭଳି ଏକ ବିରୀତ ଚିତ୍ର ଦେଖିବାକୁ ମିଳିଛି । ଯେଉଁଠି ହସ୍ପିଟାଲ କର୍ମଚାରୀଙ୍କ ଉପରେ ଦୋଷ ଲଦି ଦେଉଥିବା ବ୍ୟକ୍ତି ବିଶେଷଙ୍କ ପାଇଁ ଏକ ଜ୍ୱଳନ୍ତ ପ୍ରମାଣ । ଜଣେ କରୋନା ଆକ୍ରାନ୍ତଙ୍କ ସଠିକ୍‌ ଚିକିତ୍ସା କରି ସୁସ୍ଥ ହେବା ପର୍ଯ୍ୟନ୍ତ ତାଙ୍କ ମୁହଁରେ ଟିକେ ହସ ଫୁଟାଇଛନ୍ତି । ଏହା ସହ ସେହି କରୋନା ଆକ୍ରାନ୍ତଙ୍କ ପ୍ରତି ସହାନୁଭୂତିର ପରିଚୟ ଦେଇଛନ୍ତି କୋଭିଡ୍‌ ହସ୍ପିଟାଲର ଡାକ୍ତର ଓ ନର୍ସ କର୍ମୀ । ରବିବାର ଦିନ ଜଣେ କରୋନା ଆକ୍ରାନ୍ତଙ୍କ ଜନ୍ମଦିନ ହୋଇଥିବା ବେଳେ ପରିବାର ବର୍ଗଙ୍କ ସହ ସେହି ହସ ଖୁସିର ମୁହୂର୍ତ୍ତକୁ ମନେ ପକାଇ ଭାବବିହ୍ୱଳ ହୋଇ ପଡ଼ିଥିଲେ ରୋଗୀ ଜଣଙ୍କ । ଏହି ଖବର ହସ୍ପିଟାଲ  କର୍ମଚାରୀ ଜାଣିବା ପରେ ପରିବାରର ସଦସ୍ୟ ସାଜି ଉକ୍ତ ରୋଗୀଙ୍କ ପାଖକୁ ଆସି ଜନ୍ମ ଦିନର ଶୁଭକାମନା ଜଣାଇବା ସହ କେକ୍‌ କାଟି ଜନ୍ମଦିନ ଉତ୍ସବ ମଧ୍ୟ ପାଳନ କରିଥିଲେ । ଏହି ଦୃଶ୍ୟ ଦେଖିବାକୁ ମିଳିଛି ବ୍ରହ୍ମପୁର ଖ୍ରୀଷ୍ଟିୟାନ ହସ୍ପିଟାଲ ଯାହାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଡେଡିକେଟେଡ୍‌ କୋଭିଡ୍‌ ହସ୍ପିଟାଲ ଭାବେ ଘୋଷଣା କରାଯାଇ କରୋନା ରୋଗୀଙ୍କୁ ଚିକିତ୍ସା କରାଯାଉଛି ।

ସୂଚନାଯୋଗ୍ୟ କି ଶଙ୍କର ଦାସ ନାମକ ଜଣେ ବ୍ୟକ୍ତି ଗତ କିଛିଦିନ ତଳେ କରୋନାରେ ଆକ୍ରାନ୍ତ ହୋଇ ବ୍ରହ୍ମପୁର ଏହି କୋଭିଡ଼ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ଡାକ୍ତର ଓ ନର୍ସ ମାନଙ୍କ ନିଷ୍ଠାପର ସେବା ଯୋଗୁଁ ସେ ଆଜି ସମ୍ପୂର୍ଣ୍ଣ ସୁସ୍ଥ ମଧ୍ୟ ହୋଇଛନ୍ତି । ତେବେ ତାଙ୍କ ଜନ୍ମ ଦିନ ବୋଲି ଜଣାପଡିବା ପରେ ମେଡିକାଲ କର୍ମଚାରୀଙ୍କ ଦ୍ୱାରା ଜନ୍ମଦିନ ବଧେଇ ଜଣାଇବା ସହ ତାଙ୍କ ସହ କେକ୍‌ କାଟି ଖୁସି ମନାଇଛନ୍ତି । ଏହାସହ ତାଙ୍କୁ ହସ୍ପିଟାଲରୁ ବାହାର କରି ଘରକୁ ଯିବାପାଇଁ ଅନୁମତି ପ୍ରଦାନ କରାଯାଇଛି । ଶିବଙ୍କ କହିବା ଅନୁଯାୟୀ ତାଙ୍କ ଜନ୍ମ ଦିନରେ ସେ ପୁଣିଥରେ ନୂଆ ଜୀବନ ପାଇ ବେଶ୍‌ ଖୁସି ଅନୁଭବ କରୁଛନ୍ତି । ଏହାସହ ମେଡିକାଲ କର୍ମଚାରୀଙ୍କ ଏଭଳି ଭଲପାଇବା ଓ ନିଷ୍ଠାପର ସେବା ଯୋଗୁ ଡାକ୍ତର, ନର୍ସ ଓ ଜିଲ୍ଲା ପ୍ରଶାସନକୁ କୃତଜ୍ଞତା ଜଣାଇବା ସହ ଧନ୍ୟବାଦ ଦେଇଛନ୍ତି । ଶିବଙ୍କ ପ୍ରତି ଏଭଳି ଭଲପାଇବା ଓ ସହାନୁଭୂତି ଦେଖି ଅନ୍ୟ ରୋଗୀ ମଧ୍ୟ ଯଥେଷ୍ଟ ସାନ୍ତ୍ୱନା ଅନୁଭବ କରିଛନ୍ତି । ହସ୍ପିଟାଲ କର୍ମଚାରୀଙ୍କ ଏଭଳି କାର୍ଯ୍ୟକୁ ବିଭିନ୍ନ ମହଲରୁ ପ୍ରଶଂସା କରାଯାଇଛି । ଏଭଳି ଉତ୍ସାହଜନକ କାର୍ଯ୍ୟକୁ ଗଞ୍ଜାମ ଜିଲ୍ଲାପାଳ ନିଜେ ଅଫିସ ଟ୍ୱିଟ୍‌ର ସାଇଡ୍‌ରେ କର୍ମଚାରୀଙ୍କ ଉପରେ ଖୁସିବ୍ୟକ୍ତ କରିବା ସହ ଶଙ୍କରଙ୍କୁ ଜନ୍ମଦିନର ଶୁଭକାମନା ଜଣାଇ ଏହାକୁ ସାର୍ବଜନିନ କରିଛନ୍ତି ।

 

Get real time updates directly on you device, subscribe now.