fbpx

କରୋନା କରିଦେଲା ପର: ଛୁଇଁଲେନି ଘରଲୋକେ, ଶବ ସତ୍କାର କଲେ ବିଡିଓ ଓ ଡାକ୍ତର

ଆସିକା, ୭ା୫ (ଓଡିଶା ଭାସ୍କର): ରାଜ୍ୟରେ କରୋନା ସଂକ୍ରମଣ ଶିଖରରେ ପହଞ୍ଚିଛି । ଦିନକୁ ଦିନ ମୃତକ ଓ ଆକ୍ରାନ୍ତଙ୍କ ସଂଖ୍ୟା ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । କରୋନା ପାଇଁ ଅନେକ ପରିବାର ସର୍ବସ୍ୱାନ୍ତ ହୋଇଯାଉଛନ୍ତି । କେତେବେଳେ ସ୍ୱାମୀ-ସ୍ତ୍ରୀ ଏକାବେଳେ ମୃତ୍ୟୁବରଣ କରୁଛନ୍ତି ତ କେବେ ପିତାଙ୍କ ସହ ସନ୍ତାନମାନେ ଶେଷ ନିଃଶ୍ୱାସ ତ୍ୟାଗ କରୁଛନ୍ତି । ତେବେ ରୋଗୀଙ୍କ ଶବ ସତ୍କାର ପାଇଁ ପରିବାରବର୍ଗ, ସମ୍ପର୍କୀୟମାନେ କରୋନା ଭୟରେ ପଛଘୁଞ୍ଚା ଦେଉଛନ୍ତି । ଆଜି କରୋନା ମଣିଷର ସବୁକିଛି ଲୁଟି ନେଇଯିବା ପରେ ମାନବିକତାକୁ ମଧ୍ୟ ମାରିଦେଇଛି ।

ସୂଚନା ଅନୁଯାୟୀ, ବୁଗୁଡ଼ା ଥାନା ଗୋଲିଆ ପଞ୍ଚାୟତ ଅନ୍ତର୍ଗତ ଚିକିରିପଡ଼ା ଗ୍ରାମର ପଞ୍ଚୁ ପ୍ରଧାନ (୬୦) ଗତ ବୁଧବାର ଦିନ ମୃତ୍ୟୁବରଣ କରିଥିଲେ । ପଞ୍ଚୁଙ୍କ ମୃତ୍ୟୁର ୨୪ ଘଣ୍ଟା ପରେ ତାଙ୍କ ପତ୍ନୀ ସବିତା (୫୦) ମଧ୍ୟ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ । ଭୟରେ ଗ୍ରାମବାସୀ କି ପ୍ରଶାସନ କେହି ଶବକୁ ଛୁଇଁଲେ ନାହିଁ । ଶେଷରେ ବିଡିଓ ତନ୍ମୟ ପାତ୍ର, ଡାକ୍ତର ସାର୍ଥକ ସଙ୍କେତ ବିଶ୍ୱାଳ, ଡାକ୍ତର ମନୋରଞ୍ଜନ ନାୟକ, ବିପିଏମ ବିଶ୍ୱଜିତ ପ୍ରଧାନ, ସରପଞ୍ଚ ପ୍ରତିନିଧି ମାନସ ପ୍ରଧାନ ପ୍ରମୁଖ ପିପିଇ କିଟ୍ ପିନ୍ଧି ଶବ ସତ୍କାର କରିଥିଲେ । ସେହିପରି ତଅଁର ଗ୍ରାମର ରାମକୃଷ୍ଣ ପାଢ଼ୀ (୭୨)ଙ୍କ ମୃତ୍ୟୁ ପରେ କେହି ତାଙ୍କ ପାଖକୁ ଆସିନଥିଲେ । ଫଳରେ ୫ ଜଣ ସ୍ୱେଚ୍ଛାସେବୀଙ୍କ ସହାୟତାରେ ରାମକୃଷ୍ଣଙ୍କ ଅନ୍ତିମ ସଂସ୍କାର କରାଯାଇଥିଲା । ଡାକ୍ତର, ବିଡିଓ, ସରପଞ୍ଚ ଓ ସ୍ୱେଚ୍ଛାସେବୀଙ୍କ ଏହି ମହତ କାର୍ଯ୍ୟକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି ।

Get real time updates directly on you device, subscribe now.