ନୂଆଦିଲ୍ଲୀ: ଆଜି ସମୟରେ ସମୟରେ ଯେଉଁ ସବୁ ଘଟଣା ଆମର ସାମ୍ନାକୁ ଆସୁଛି ତାହା ଭାବିଲେ ଆଶ୍ଚର୍ଯ୍ୟ ଲାଗିଥାଏ । ଅନେକ ସମୟରେ କିଛି ଲୋକ ମାନବିକତାର ସୀମା ଲଙ୍ଘିବା ସହିତ କିଛି ପରିବାକୁ କୁଣ୍ଠାବୋଧ କରିନଥାନ୍ତି । ତେବେ ଏହା ମଧ୍ୟରେ ସାମ୍ନାକୁ ଆସିଛି ଏକ ଅଦ୍ଭୂତ ଘଟଣା । ଜଣେ ନାବାଳକର ପେଟରୁ ବ୍ୟାଟେରି, ଚେନ୍, ରେଜର ବ୍ଲେଡ, ଆଦି ୬୫ଟି ଜିନିଷ ବାହାରିଛି । ଉତ୍ତରପ୍ରଦେଶର ହଥରସ ଅଞ୍ଚଳରୁ ଆସିଛି ଏଭଳି ଏକ ଆଶ୍ଚର୍ଯ୍ୟଜନକ ଘଟଣା । ଅପରେସନ ଜରିଆରେ ଡାକ୍ତର ଏତେସବୁ ଜିନିଷ ନାବାଳକର ପେଟ ଭିତରୁ ବାହାର କରିଥିଲେ ।
ଘଟଣା ମୁତାବକ, ହଥରସ ଅଞ୍ଚଳର ଆଦିତ୍ୟ ଶର୍ମା ନାମକ ଜଣେ ୧୪ ବର୍ଷୀୟ ନାବାଳକ ନିଜର ପେଟରେ ଅସହ୍ୟ ଯନ୍ତ୍ରଣା ଅନୁଭବ କରିଥିଲେ । ଏହାପରେ ପରିବାରବର୍ଗ ତାକୁ ସଫଦରଜଙ୍ଗ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ତେବେ ସେଠାରେ ଡାକ୍ତର ଚେକଅପ୍ କରିବା ପରେ ଯାହା ଦେଖିଥିଲେ ତାହା ତାଙ୍କର ହୋସ୍ ଉଡ଼ାଇ ଦେଇଥିଲା । ବ୍ୟାଟେରି, ଚେନ୍ ଆଦି ୬୫ଟି ଜିନିଷ ନାବାଳକର ପେଟ ଭିତରେ ରହିଥିବା ବେଳେ ଏତେସବୁ ଜିନିଷ ସେ କିପରି ଗିଳିଲା ତାହା ଭାବି ଡାକ୍ତର ବି ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ତେବେ ଅପରେସନ ଏତେ ସହଜ ନଥିଲା । ଅପରେସନ ପରେ ନାବାଳକର ଅନ୍ତନଳୀରେ ସଂକ୍ରମଣ ବଢ଼ିବାରେ ଲାଗିଥିଲା ଓ ତା’ର ହୃଦ୍ ସ୍ପନ୍ଦର ହାର ମିନିଟ ପ୍ରତି ୨୮୦ରେ ପହଞ୍ଚି ଯାିଥିଲା । ଫଳରେ ନବମ ଶ୍ରେଣୀରେ ପଢ଼ୁଥିବା ଆଦିତ୍ୟର ମୃତ୍ୟୁ ଘଟିଥିଲା ।