ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଏଣିକି ‘ଗ୍ରେଡେସନ’ ଅନୁସାରେ ଡାକ୍ତରଙ୍କର ବଦଳି ଓ ପଦୋନ୍ନତି ହେବ । ସମସ୍ତ ଡାକ୍ତରଙ୍କ ପାଇଁ ରାଜ୍ୟ ସରକାର ସମାନ ନୀତି ଆପଣାଇ ଗ୍ରେଡେସନ ନୀତି ଆଣିବାକୁ ନିଷ୍ପତ୍ତି ନେଇଛନ୍ତି । ଏହି ବ୍ୟବସ୍ଥା ଅନୁଯାୟୀ ଡାକ୍ତରଙ୍କୁ ମାର୍କ ଦିଆଯିବ । ଉକ୍ତ ମାର୍କ ଅନୁସାରେ ଡାକ୍ତରଙ୍କର ବଦଳି ଓ ପଦୋନ୍ନତି କରାଯିବ । ସେଥିପାଇଁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ‘ମେଡିକାଲ ଅଫିସର୍ସ କ୍ୟାଡର ମ୍ୟାନେଜମେଣ୍ଟ‘ ନାମରେ ଏକ ୱେବସାଇଟ୍ ବିକଶିତ କରାଯିବ ।
ଉକ୍ତ ୱେବସାଇଟରେ ଡାକ୍ତରଙ୍କର ଚାକିରୀ ସମ୍ବନ୍ଧିତ ସମସ୍ତ ତଥ୍ୟ ରହିବ । ସମସ୍ତ ତଥ୍ୟକୁ ବିଚାର କରାଯାଇ ଡାକ୍ତରଙ୍କୁ ମାର୍କ ମିଳିବ । ଉକ୍ତ ମାର୍କ ଆଧାରରେ ଟ୍ରାନ୍ସଫର ଓ ପ୍ରମୋସନ ମିଳିବ । ଏହା ଫଳରେ ଡାକ୍ତରଙ୍କ ମଧ୍ୟରେ ପଦୋନ୍ନତି ଓ ବଦଳିକୁ ନେଇ ଆଉ ପୂର୍ବ ପରି ଅସନ୍ତୋଷ ରହିବ ନାହିଁ ବୋଲି ଆଶା କରାଯାଉଛି । ଓଡ଼ିଶା କମ୍ପ୍ୟୁଟର ପ୍ରୟୋଗ କେନ୍ଦ୍ର (ଓକାକ) ଏହି ୱେବସାଇଟ୍ ପ୍ରସ୍ତୁତ କରିବ ବୋଲି ଜଣାପଡ଼ିଛି ।
କେଉଁ ଡାକ୍ତର କେତେ ଦୁର୍ନୀତିଗସ୍ତ, କାହା ବିରୋଧରେ ବିଭାଗୀୟ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି, କେଉଁ ଡାକ୍ତର କେଉଁ ଉପାନ୍ତ ଅଞ୍ଚଳରେ କେତେ ଦିନ ପୋଷ୍ଟିଂ ହୋଇ ଛୁଟିରେ ରହିଛନ୍ତି, କେଉଁ ଡାକ୍ତର କେବିକେ ଜିଲ୍ଲାରେ କେତେ ବର୍ଷ କାର୍ଯ୍ୟ କରିଛନ୍ତି, କେଉଁ ଡାକ୍ତର ନିଜର ବା ପରିବାରର ସ୍ୱାସ୍ଥ୍ୟଗତ ସମସ୍ୟା ନେଇ ବଦଳି ହେବାକୁ ଯାଉଛନ୍ତି ଆଦି ସମସ୍ତ ତଥ୍ୟ ଉକ୍ତ ୱେବସାଇଟରେ ରହିବ ।