ଶ୍ରୀମନ୍ଦିରରେ କେବେ ପାଳନ ହେବ ଦୋଳ ପୂର୍ଣ୍ଣିମା, ଏହି ସମୟରେ ଦାରୁଦିଅଁଙ୍କର ହେବ ସୁନାବେଶ

14ରେ ଶ୍ରୀମନ୍ଦିରରେ ଦୋଳ ପୂର୍ଣ୍ଣିମା ।

ଭୁବନେଶ୍ବର: ସାଧାରଣତଃ ଶ୍ରୀମନ୍ଦିର ନୀତିକ୍ରାନ୍ତି ଅନୁସାରେ ଓଡ଼ିଶାରେ ପର୍ବପର୍ବାଣୀ ପାଳନ କରାଯାଏ । ଆସନ୍ତା 14 ତାରିଖ ଶୁକ୍ରବାର ଶ୍ରୀମନ୍ଦିରରେ ଦୋଳପୂର୍ଣ୍ଣିମା ପାଳନ କରାଯିବ । ସକାଳ 8ଟାରୁ ରାତି 10ଟା 35 ଯାଏଁ ସୁନାବେଶରେ ଦର୍ଶନ ଦେବେ ମହାବାହୁ । ରାତି 10ଟା 35ରେ ବେଶ ମଇଲମ ହେବ । ଏହାପରେ ମହାପ୍ରଭୁ ଫଗୁ ଲଗାଇବେ ।

ଅପରାହ୍ନ 12ଟା 30ରେ ଶ୍ରୀ ଦୋଳଗୋବିନ୍ଦ, ଲକ୍ଷ୍ମୀ, ସରସ୍ବତୀ ଦୋଳବେଦିକୁ ବିଜେ କରିବେ । ଦୋଳତ୍ସବ ନୀତି ସାରି ରାତି ସାଢେ 8ଟାରେ ଶ୍ରୀମନ୍ଦିରକୁ ଫେରିବେ ମହାପ୍ରଭୁ ।

ଶ୍ରୀମନ୍ଦିର ପ୍ରଶାସନ ଦ୍ବାରା ନିର୍ଦ୍ଧାରିତ ନୀତି ନିର୍ଘଣ୍ଟ ଅନୁସାରେ, ପ୍ରାତଃ 3ଟାରେ ସିଂହଦ୍ବାର ଖୋଲାଯିବ । ଏହାପରେ ବିଭିନ୍ନ ନୀତି ପରେ 8ଟାରେ ଦୋଳଗୋବିନ୍ଦ, ଲକ୍ଷ୍ମୀ, ସରସ୍ବତୀ ନାଭି କଟା ମଣ୍ଡପକୁ ବିଜେ କରିବେ ।

ପରେ ବିଗ୍ରହଙ୍କର ରାଜାଧିବେଶ ଅନୁଷ୍ଠିତ ହେବ । ନାଭିକଟା ମଣ୍ଡପ ନୀତି ସାରି, ସକାଳ 10ଟାରେ ବିମାନକୁ ଦୋଳଗୋବିନ୍ଦ, ଲକ୍ଷ୍ମୀ ବିଜେ କରିବେ ।