ଆମେରିକାରେ ୧୦ ଲକ୍ଷ ଭାରତୀୟଙ୍କୁ ଝଟକା! ଟ୍ରମ୍ପଙ୍କ ନିଷ୍ପତ୍ତି ବଢାଇଲା ଚିନ୍ତା, ଜାଣନ୍ତୁ କାରଣ
ଆମେରିକାରେ ଟ୍ରମ୍ପ ରାଷ୍ଟ୍ରପତି ଭାବେ ଶପଥ ନେବା ପରେ ଦେଶରେ ନୂଆ ନାଗରିକତା ଆଇନ ଲାଗୁ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିରେ ୧୦ ଲକ୍ଷ ଭାରତୀୟ ପ୍ରବାବିତ ହେବେ..
ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କ୍ଷମତାକୁ ଆସିବା ପରେ ଅନେକ ନିଷ୍ପତ୍ତି ଗ୍ରହଣ କରିବା ଆରମ୍ଭ କରିଦେଇଛନ୍ତି। ଟ୍ରମ୍ପ ରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରିବାର ୨୪ ଘଣ୍ଟା ହୋଇଛି କି ନାହିଁ, ସେ ଭାରତୀୟମାନଙ୍କର ଚିନ୍ତା ବଢାଇଦେଇଛନ୍ତି।
ଜନ୍ମଗତ ନାଗରିକତ୍ୱକୁ ଶେଷ କରିବାର ନିଷ୍ପତ୍ତିରେ ଟ୍ରମ୍ପ ଦସ୍ତଖତ କରିଛନ୍ତି। ଟ୍ରମ୍ପଙ୍କ ଏହି ନିଷ୍ପତ୍ତି ପାଇଁ ଆମେରିକାରେ ରହୁଥିବା ୧୦ ଲକ୍ଷ ଭାରତୀୟ ପ୍ରଭାବିତ ହେବେ।
ଆମେରିକାରେ କେତେ ଅଛନ୍ତି ଭାରତୀୟ: ଆମେରିକାର ଜନଗଣନା ଅନୁଯାୟୀ, ଆମେରିକାରେ ୪୮ ଲକ୍ଷ ପାଖାପାଖି ଭାରତୀୟ ଅଛନ୍ତି। ଏଥିରୁ ଅଧିକାଂଶ ଭାରତୀୟଙ୍କ ପାଖରେ H1-B (ଅସ୍ଥାୟୀ ଭିସା) ଭିସା ଅଛି।
ଯଦି ଟ୍ରମ୍ପଙ୍କ ଏହି ନିଷ୍ପତ୍ତି କାର୍ଯ୍ୟକାରୀ ହେଲା ତେବେ ଅନେକ ଭାରତୀୟଙ୍କ ପିଲାମାନଙ୍କୁ ଆମେରିକୀୟ ନାଗରିକତା ମିଳିବ କଷ୍ଟସାଧ୍ୟ ହୋଇଯିବ।
ନୂଆ ଆଇନରେ କଣ ହେବ ପରିବର୍ତ୍ତନ: ବର୍ତ୍ତମାନ ଆଇନ ଅନୁଯାୟୀ, ଆମେରିକାରେ ଜନ୍ମ ନେଉଥିବା ସମସ୍ତଙ୍କ ଶିଶୁଙ୍କୁ ଆପେ ଆପେ ଆମେରିକାର ନାଗରିକତା ମିଳିଯାଉଛି।
H1-B ଭିସା ଥିବା ଭାରତୀୟଙ୍କ ପିଲାମାନେ ଯଦି ଆମେରିକାରେ ଜନ୍ମ ହେଉଛନ୍ତି, ତେବେ ସେମାନେ ଆମେରିକାର ନାଗରିକ ହୋଇଯାଉଛନ୍ତି। ଯଦି ଟ୍ରମ୍ପଙ୍କ ଏହି ନିୟମ ଲାଗୁ ହୁଏ ତେବେ ଆମେରିକାରେ ଜନ୍ମ ନେଉଥିବା ସମସ୍ତ ଶିଶୁଙ୍କୁ ଆମେରିକାର ନାଗରିକତା ମିଳିବ ନାହିଁ।
ନୂଆ ଆଇନ ଅନୁଯାୟୀ, କିପରି ମିଳିବ ନାଗରିକତା: ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ପାରିତ ହୋଇଥିବା କାର୍ଯ୍ୟକାରୀ ନିର୍ଦ୍ଦେଶରେ ଲେଖାଯାଇଛି ଯେ, ଯେଉଁ ପିଲାଙ୍କ ମାଆ ବାପାଙ୍କ ମଧ୍ୟରୁ ଯଦି କିଏ ଜଣେ ଆମେରିକାର ନାଗରିକ ହୋଇଥିବେ, କେବଳ ସେହି ଶିଶୁମାନଙ୍କୁ ଆମେରିକାର ନାଗରିକତା ମିଳିବ।
ସେନାର ଅଧିକାରୀ ଏବଂ ଗ୍ରୀନ କାର୍ଡଧାରୀଙ୍କ ପିଲାମାନଙ୍କୁ ମଧ୍ୟ ଆମେରିକାର ନାଗରିକତା ମିଳିବ। ଏହା ବ୍ୟତୀତ ଅନ୍ୟ ଲୋକଙ୍କୁ ଜନ୍ମଗତ ନାଗରିକତା ମିଳିବ ନାହିଁ।