ଡାକ୍ତରାଣୀଙ୍କୁ ବାହା ହେବାକୁ ଡାକ୍ତର ଯୌତୁକ ରାଶିକୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା

ନୂଆଦିଲ୍ଲୀ: ଏମ୍ସର ଜଣେ ଡାକ୍ତରଙ୍କ ଯୌତୁକ ଲୋଭକୁ ନେଇ ଏକ୍ସରେ ଚର୍ଚ୍ଚା । ଡାକ୍ତର ବିବାହ ପାଇଁ ଝିଅ ଘରଠାରୁ ଦାବି କରିଛନ୍ତି ୫୦ କୋଟି ଟଙ୍କା । ଏହି ଟଙ୍କା ଦେବାକୁ ଝିଅର ବାପା ଓ ମାଆ ସେମାନଙ୍କ ସବୁ ସମ୍ବଳ ଲୁଟେଇବାକୁ ପ୍ରସ୍ତୁତ । ସବୁଠାରୁ ଆଶ୍ଚର୍ଯ୍ୟର କଥା ଝିଅଟି କୌଣସି ଗାଁଉଳି, ଅଶିକ୍ଷିତ ନୁହେଁ । ସେ ମଧ୍ୟ ଜଣେ ଡାକ୍ତର । ଏହାକୁ ନେଇ ସେହି ଡାକ୍ତରାଣୀଙ୍କ ବାନ୍ଧବୀ ଏକ୍ସରେ ପୋଷ୍ଟ କରିବା ପରେ ୟୁଜର୍ସ ସେହି ଡାକ୍ତରଙ୍କ କରୁଛନ୍ତି ଜମାଣିଆ ଧୁଲେଇ ।

ଏକ୍ସରେ ଡ. ଫିନିକ୍ସ ନାମକ ଟ୍ୱିଟର ହ୍ୟାଣ୍ଡଲର ଲେଖିଛନ୍ତି କି, ତାଙ୍କ ବାନ୍ଧବୀ ଏମ୍ସର ଜଣେ ଆଗଧାଡିର ୟୁରୋଲୋଜିଷ୍ଟ । ତାଙ୍କ ବିବାହ ହାଇଦ୍ରାବାଦର ଜଣେ ଲିଭରଟ୍ରାନ୍ସପ୍ଲାଣ୍ଟ ଆନାସ୍ଥେସିଆ ସ୍ପେସାଲିଷ୍ଟଙ୍କ ସହ ଠିକ ହେଲା । ପୁରୁଷ ଡାକ୍ତର ଯୌତୁକ ବାବଦରେ ମାଗିଛନ୍ତି ୫୦ କୋଟି ଟଙ୍କା । ଉଭୟ ପରିବାର ତେଲୁଗୁ ସମ୍ପ୍ରଦାୟ ହୋଇଥିବାରୁ ଝିଅ ଘର ଲୋକ ମଧ୍ୟ ଏହି ରାଶି ପଇଠ କରିବାକୁ ରାଜି । କିନ୍ତୁ ଏଥିପାଇଁ ସେମାନଙ୍କୁ ସେମାନଙ୍କ ସବୁ ସଞ୍ଚୟ ଧନ ଦେବାକୁ ପଡିବ । ଏହାକୁ ନେଇ ଡ. ଫିନିକ୍ସ ପ୍ରଶ୍ନ କରିଛନ୍ତି, ଏତେ ପାଠ ପଢିବା ଓ ଭଲ ଚାକିରି କରିବାରେ କି ଲାଭ ।

ଝିଅ ଘର ଲୋକଙ୍କ କହିବା କଥା ସେମାନଙ୍କ ସମାଜରେ ଯୌତୁକ ଚଳଣି ରହିଛି । ତେଣୁ ସେମାନେ ଏହି ଟଙ୍କା ଦେବାକୁ ପ୍ରସ୍ତୁତ । ହେଲେ ଏବେ ବଡ ଝିଅକୁ ସବୁ ଦେଇଦେବା ପରେ ସାନ ଝିଅର କେମିତି ବାହାଘର କରିବେ ବୋଲି ୟୁଜର୍ସ ପ୍ରଶ୍ନ କରିଛନ୍ତି । ଏଥିସହ ସମସ୍ତେ ସେହି ଡାକ୍ତରଙ୍କୁ କଟାକ୍ଷ କରୁଛନ୍ତି । କିଛି ଝିଅର ବାପା, ମାଆ ତଥା ଝିଅଙ୍କୁ ଏହା ବିରୋଧରେ ଠିଆହେବାକୁ ପରାମର୍ଶ ଦେଉଥିବା ବେଳେ ଜଣେ ଲେଖିଛନ୍ତି, ବୁଝି ହେଉନି, ଲୋକେ କେମିତି ବେଲଜ୍ୟାଙ୍କ ପରି ଏମିତି ଟଙ୍କା ମାଗି ପାରନ୍ତି ।