fbpx

୧୨୦ ବର୍ଷରେ ସବୁଠୁ ଶୁଖିଲା ଅଗଷ୍ଟ: କାହିଁକି ହେଉନି ବର୍ଷା?

ନୂଆଦିଲ୍ଲୀ: ମୌସୂମୀ ବିଭାଗର ରିପୋର୍ଟ ଅନୁସାରେ, ଚଳିତବର୍ଷର ବର୍ଷା ସାରା ଦେଶବାସୀଙ୍କୁ ହତାଶ କରିଛି । ୧୨୦ ବର୍ଷ ମଧ୍ୟରେ ଚଳିତବର୍ଷର ଅଗଷ୍ଟ ମାସ ଅଧିକ ଶୁଷ୍କ ଭାବରେ ରେକର୍ଡ କରାଯାଇଛି । ୧୯୦୧ ମସିହା ପରେ ଚଳିତବର୍ଷର ଅଗଷ୍ଟ ମାସ ସର୍ବାଧିକ ଶୁଷ୍କ ବୋଲି ଅନୁମାନ କରୁଛି ପାଣିପାଗ ବିଭାଗ । ତେବେ ଅଲନିନୋ ପ୍ରଭାବରୁ ଏପରି ପରିବର୍ତ୍ତନ ହେଉଥିବା କୁହାଯାଇଛି । ବରିଷ୍ଠ ପାଣିପାଗ ବିଜ୍ଞାନୀ କହିଛନ୍ତି ଯେ, ୨୦୧୫ ପରେ ଚଳିତବର୍ଷର ମୌସୂମୀ ସର୍ବାଧିକ ଶୁଷ୍କ ହୋଇପାରେ । ଏଥିରେ ବର୍ତ୍ତମାନ ସୁଦ୍ଧା ୧୩ ପ୍ରତିଶତ କମ୍ ବର୍ଷା ରେକର୍ଡ କରାଯାଇଛି ।

ପାଣିପାଗ ବିଭାଗର ଜଣେ ଅଧିକାରୀ କହିଛନ୍ତି ଯେ, ଅଗଷ୍ଟରେ ବର୍ତ୍ତମାନ ପର୍ଯ୍ୟନ୍ତ ମୋଟ ୩୨ ପ୍ରତିଶତ ବର୍ଷା ହୋଇଥିବା ବେଳେ ଆସନ୍ତା ୩ ଦିନରେ ଦେଶର କିଛି ଅଂଶରେ କମ୍ ବର୍ଷା ହେବା ନେଇ ଅନୁମାନ କରାଯାଉଛି । ତେବେ ୧୯୦୧ ମସହା ପରେ ଚଳିତବର୍ଷ ୨୦୨୩ର ଅଗଷ୍ଟ ସବୁଠାରୁ ଶୁଖିଲା ଅଗଷ୍ଟ ଭାବରେ ରେକର୍ଡ କରିବାକୁ ଯାଉଛି । ଅଗଷ୍ଟରେ ୨୫୪.୯ ମି.ମି. ବର୍ଷା ହୋଇଥାଏ ଏବଂ ଏହା ମୌସୂମୀ ବର୍ଷା ତୁଳନାରେ ପ୍ରାୟ ୩୦ ପ୍ରତିଶତ ହୋଇଥାଏ ।

ପାଣିପାଗ ବିଭାଗର ରେକର୍ଡ ଅନୁସାରେ, ଭାରତରେ ଅଗଷ୍ଟ ୨୦୦୫ରେ ୨୫ ପ୍ରତିଶତ, ୧୯୬୫ରେ ୨୪.୬ ପ୍ରତିଶତ କମ୍ ବର୍ଷା ହୋଇଥିବା ବେଳେ ୨୦୦୯ ମସିହାରେ ୨୪.୧ ପ୍ରତିଶତ ଏବଂ ୧୯୧୩ ମସିହାରେ ୨୪ ପ୍ରତିଶତ ବର୍ଷାର ଅଭାବ ପରିଲକ୍ଷିତ ହୋଇଛି । ଅଲ ନିନୋର ପ୍ରଭାବ ଯୋଗୁଁ ଅଗଷ୍ଟ ମାସରେ ସ୍ୱାଭାବିକ ଠାରୁ ସ୍ୱଳ୍ପ ବର୍ଷା ହୋଇଥିବା ପ୍ରକାଶ କରିଛନ୍ତି ଆଇଏମଡି ପ୍ରମୁଖ ମୃତ୍ୟୁଞ୍ଜୟ ମହାପାତ୍ର । ତେବେ ସେପ୍ଟେମ୍ବର ମାସରେ ଏହି ପାଣିପାଗରେ ସୁଧାର ହୋଇପାରିବ ବୋଲି କହିଛନ୍ତି କେନ୍ଦ୍ର ପୃଥିବୀ ବିଜ୍ଞାନ ମନ୍ତ୍ରାଳୟର ଅତିରିକ୍ତ ସଚିବ ଏମ ରାଜୀବନ୍ କହିଛନ୍ତି ।

Get real time updates directly on you device, subscribe now.