fbpx

ବ୍ରାଣ୍ଡେଡ୍ ମଦ ନାଁରେ ବିଷ ଛାଡୁଥିଲେ ବଜାରକୁ, ବନ୍ଧାହେଲେ ୪ ଜଣ

ବାଲେଶ୍ୱର(ଓଡ଼ିଶା ଭାସ୍କର): ପୁଣି ଧରାପଡ଼ିଲା ନକଲି ମଦ କାରଖାନା । ଠାବ ହେଲା ପେଟି ପେଟି ଡୁପ୍ଲିକେଟ୍ ମତ ବୋତଲ । ଏଥିସହ ବୋତଲ, ଠିପି, ଷ୍ଟିକର୍ ଆଦି ସରଞ୍ଜାମ ମିଳିଛି । ବ୍ରାଣ୍ଡେଡ୍ କମ୍ପାନି ନାଁରେ ବଜାରକୁ ଛାଡୁଥିଲେ ବିଷ । ତେବେ ଏସବକୁ ଚଢ଼ଉ କରି କାବୁ କରିନେଲା ଅବକାରୀ ସ୍କ୍ୱାଡ୍ । ବାଲେଶ୍ୱର ଜିଲ୍ଲା ସିଙ୍ଗଲା ଥାନାଠୁ ଶହେ ମିଟର ଦୂରରେ ଠାବ ହୋଇଛି ଏଭଳି ନକଲି ମଦ କାରବାରର ଗୁମର ।

ବାଲେଶ୍ୱର ଜିଲ୍ଲା ଅବକାରୀ ଅଧୀକ୍ଷକ ସେକ ଅସରଫ ଅଲ୍ଲୀଙ୍କ ନିର୍ଦ୍ଦେଶ କ୍ରମେ ଆଇଆଇସି ଗାଲୁରାମ ସୋରେନ, ଆଇଆଇସି ପ୍ରବୀଣ ପ୍ରଧାନଙ୍କ ସହ ବସ୍ତା ଅବକାରୀ ବିଭାଗ ପକ୍ଷରୁ ବିଭିନ୍ନ ସ୍ଥାନରେରେ ଚଢ଼ଉ କରାଯାଇଥିଲା । ଚଢ଼ଉ ସମୟରେ ସିଙ୍ଗଲା ଥାନା ସମ୍ମୁଖରେ ଥିବା ହାଟ ବଜାରରୁ ନକଲି ବିଦେଶୀ ମଦ ତିଆରି କରୁଥିବା ତାରାଶଙ୍କର ଜେନା (୬୦)ଙ୍କୁ ଗିରଫ କରାଯାଇଥିଲା । ଏଥିସହ ତାଙ୍କ ନିକଟରୁ ଖାଲି ବୋତଲ, ଠିପି, ଷ୍ଟିକର, ସହ ପ୍ରସ୍ତୁତ ହୋଇଥିବା ବିଭିନ୍ନ ବ୍ରାଣ୍ଡର ନକଲି ମଦ ଜବତ କରାଯାଇଥିଲା । ସେହିପରି ଗଙ୍ଗାଧରପୁର, ବରହମପୁର ଓ ସାନଖୁଡ଼ି ଅଞ୍ଚଳରୁ ୩ ଜଣଙ୍କୁ ଗିରଫ କରାଯିବା ସହ ବିପୁଳ ଦେଶୀ ମଦ ଜବତ କରାଯାଇଛି । ତେବେ ସିଙ୍ଗଲା ଥାନାରୁ ମାତ୍ର ୧୦୦ ମିଟର ଦୂରରେ ଦୀର୍ଘ ଦିନ ଧରି ନକଲି ବିଦେଶୀ ମଦ କାରଖାନା ଚାଲୁ ରହିଥିବାବେଳେ ପୋଲିସ ଜାଣିଶୁଣି ଘଣ୍ଟ ଘୋଡ଼ାଉଥିବା ଚର୍ଚ୍ଚା ହେଉଛି ।

Get real time updates directly on you device, subscribe now.