fbpx

(Video) କଳି ଯୁଗରେ ଦ୍ୱାପର ଲୀଳା: ଦ୍ୱାପରରେ ଯମୁନା, ଏବେ ବନ୍ୟାପାଣି ପାର କରି କୃଷ୍ଣଙ୍କୁ ନେଉଛନ୍ତି ‘ବସୁଦେବ’

ଓଡ଼ିଶା ଭାସ୍କର: ଜଗତର ନାଥ, ଶ୍ରୀ ଜଗନ୍ନାଥ… ପ୍ରଭୁଙ୍କ ମାୟା ଅପାର । ଆସନ୍ତାକାଲି ସେହି ହଟିଆ ଠାକୁର ଶ୍ରୀକୃଷ୍ଣଙ୍କ ପବିତ୍ର ଜନ୍ମୋତ୍ସବ ପାଳନ କରିବ ସାରା ଭାରତ । ଏଥିପାଇଁ ସବୁଆଡ଼େ ପ୍ରସ୍ତୁତି ପର୍ବ ଆରମ୍ଭ ହୋଇଗଲାଣି । କିନ୍ତୁ ଏ କଳିଯୁଗରେ ଭଗବାନ ଶ୍ରୀକୃଷ୍ଣଙ୍କର ଏକ ଅପୂର୍ବ ଲୀଳା ଦେଖିବାକୁ ମିଳିଛି । ଦ୍ୱାପର ଯୁଗରେ ପିତା ବସୁଦେବଙ୍କ ମୁଣ୍ଡରେ ଯମୁନା ପାର କରିଥିଲେ ବଂଶୀଧର । ଆଉ ଆଜି ଭକ୍ତଙ୍କ କାନ୍ଧରେ ମୁଣ୍ଡ ରଖି ବନ୍ୟାଜଳର ନଦୀକୁ ପାରି ହୋଇଛନ୍ତି । ଏହି ଭିଡିଓ ସୋସିଆଲ ମିଡିଆରେ ଭକ୍ତିର ନୂଆ ଭାବାବେଗ ଖେଳାଇ ଦେଇଛି । ଜନ୍ମାଷ୍ଟମୀ ପୂର୍ବରୁ ରାଧେଙ୍କ ଏପରି ଲୀଳା ସମସ୍ତଙ୍କ ଆଖିରେ ଭକ୍ତିର ଲୁହ ଭରି ଦେଇଛି ।

ସେଦିନ ଦ୍ୱାପର ଯୁଗର ଭାଦ୍ରବ ମାସ କୃଷ୍ଣ ପକ୍ଷ ଅଷ୍ଟମୀ ତିଥି ଥିଲା । ରାତି ୧୨ଟା ସମୟରେ ରୋହିଣୀ ନକ୍ଷତ୍ରରେ ଜନ୍ମଗ୍ରହଣ କରିଥିଲେ ଭଗବାନ ବିଷ୍ଣୁ ଧରାପୃଷ୍ଠରେ ଅବତରଣ କରିଥିଲେ । କିନ୍ତୁ କଂସ ଭୟରେ ପିତା ବସୁଦେବ ଶ୍ରୀକୃଷ୍ଣଙ୍କୁ ଯମୁନା ଆରପାରିରେ ଛାଡ଼ି ଆସିଥିଲେ । ପ୍ରବଳ ବର୍ଷା ଆଉ ଯମୁନା ନଦୀର ଜଳସ୍ରୋତକୁ ପାର କରି ନନ୍ଦରାଜା ଓ ଯଶୋଦାଙ୍କ କୋଳରେ ଶ୍ରୀକୃଷ୍ଣଙ୍କୁ ଜିମା ଦେଇ ଆସିଥିଲେ ବସୁଦେବ । ବାଟରେ ବର୍ଷା ଦାଉରୁ ରକ୍ଷା କରିବା ପାଇଁ ଭଗବାନ ବିଷ୍ଣୁଙ୍କୁ ଗୁହାରି କରି କହିଥିଲେ “ହେ କୃଷ୍ଣ, ତୋତେ ତୁ ହିଁ ରକ୍ଷା କର୍…’ କହି ଭରା ଯମୁନା ନଦୀ ପାର କରିଥିଲେ ପିତା ବସୁଦେବ ।

ଦ୍ୱାପରର ପ୍ରଭୁ ଶ୍ରୀକୃଷ୍ଣଙ୍କ ଏହି ଅପୂର୍ବ ଲୀଳା ଏବେ କଳିଯୁଗରେ ମଧ୍ୟ ଦେଖିବାକୁ ମିଳିଛି । ବାଂଲାଦେଶରେ ପ୍ରବଳ ବର୍ଷା ଯୋଗୁଁ ଇସ୍କନ ମନ୍ଦିରରେ ବନ୍ୟାପାଣି ଲହଡ଼ି ଖେଳୁଛି । କିନ୍ତୁ ଏହା ଭିତରେ ନିଜ ପ୍ରଭୁଙ୍କୁ ପାଣିରୁ ବାହାର କରିବା ପାଇଁ ସାଜିଛନ୍ତି ଏ ଯୁଗର ବସୁଦେବ । ବର୍ଷା ପାଣିରୁ ଭଗବାନ ବିଷ୍ଣୁଙ୍କ ଅନ୍ୟ ଏକ ଅବତାର ଶ୍ରୀ ଜଗନ୍ନାଥଙ୍କୁ କାନ୍ଧରେ ନେଇ ପାରି ହେଉଛନ୍ତି ବନ୍ୟାପାଣିରୁ ସୃଷ୍ଟି ହୋଇଥିବା ଛୋଟିଆ ନଦୀ । ଦ୍ୱାପର ଯୁଗରେ ନନ୍ଦଲାଲାଙ୍କ ଜନ୍ମ ସମୟରେ ହୋଇଥିବା ସଂଯୋଗ ଚଳିତବର୍ଷ ମଧ୍ୟ ଦେଖିବାକୁ ମିଳିଛି ।

ଭାଦ୍ରବ ମାସର କୃଷ୍ଣ ପକ୍ଷ ଅଷ୍ଟମୀ ତିଥି ରୋହିଣୀ ନକ୍ଷତ୍ରରେ ରାତି ୧୨ଟାରେ ଜନ୍ମଗ୍ରହଣ କରିଥିଲେ ବାଳ ଗୋପାଳ । ଏହାସହିତ ସୂର୍ୟ୍ୟ, ସିଂହ ରାଶିରେ ଏବଂ ଚନ୍ଦ୍ରମା ବୃଷ ରାଶିରେ ଅବସ୍ଥାନ କରିଥିଲେ । ଏହି ଉଭୟ ସଂଯୋଗ ଦ୍ୱାପର ଯୁଗରେ ପ୍ରଭୁ ଶ୍ରୀକୃଷ୍ଣଙ୍କ ଜନ୍ମ ସମୟରେ ମଧ୍ୟ ରହିଥିଲା । ଏଭଳି ସଂଯୋଗରେ ଜନ୍ମାଷ୍ଟମୀ ପାଳନ ହେଉଥିବା ବେଳେ ଏହାପୂର୍ବରୁ ଏପରି ଦୃଶ୍ୟ ଭକ୍ତଙ୍କ ମନରେ ଶିହରଣ ସୃଷ୍ଟି କରିଛି । କଳିଯୁଗରେ ମଧ୍ୟ ଏହା ଶ୍ରୀକୃଷ୍ଣଙ୍କ ଦ୍ୱାପର ଲୀଳା ବୋଲି କହିଛନ୍ତି ଅନେକ ଭକ୍ତ । ତେବେ ଏହାର ଏକ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି । ଭିଡିଓ ଦେଖି ଶ୍ରଦ୍ଧାଳୁଙ୍କ ମନରେ ଭକ୍ତିର ସଞ୍ଚାର ହୋଇଛି । ଏହି ଭିଡିଓକୁ ଅନେକ ଲୋକ ପସନ୍ଦ କରିବା ସହ ଭକ୍ତିଭରା କମେଣ୍ଟ ମଧ୍ୟ ଦେଇଛନ୍ତି ।

Get real time updates directly on you device, subscribe now.