fbpx

ଭାରତୀୟ ନିର୍ବାଚନ ଆୟୋଗଙ୍କ ବଡ଼ ନିଷ୍ପତ୍ତି: ବିଧାନସଭା ନିର୍ବାଚନର ମତଦାନ ପୂର୍ବରୁ ବ୍ୟାନ ହେଲା ଏଗଜିଟ ପୋଲ୍

ନୂଆଦିଲ୍ଲୀ: ଆସନ୍ତା ମାସରେ ଦେଶର ୫ଟି ରାଜ୍ୟରେ ବିଧାନସଭା ନିର୍ବାଚନ ହେବ । ନଭେମ୍ବର ୭ ତାରିଖରେ ମିଜୋରାମର ୪୦ଟି ଆସନ ପାଇଁ ଓ ଛତିଶଗଡ଼ର ୨୦ଟି ଆସନ ପାଇଁ ପ୍ରାଥମିକ ପର୍ଯ୍ୟାୟରେ ମତଦାନ କରାଯିବ । ୧୭ ତାରିଖରେ ଛତିଶଗଡ଼ର ଅବଶିଷ୍ଟ ୭୦ଟି ଆସନ ପାଇଁ ମତଦାନ କରାଯିବ । ତେବେ ଏହା ମଧ୍ୟରେ ଭାରତୀୟ ନିର୍ବାଚନ ଆୟୋଗ (ଇସିଆଇ)ଙ୍କ ତରଫରୁ ଆସିଛି ଏକ ବଡ଼ ଖବର ।

ସୂଚନା ମୁତାବକ, ନଭେମ୍ବର ୭ ତାରିଖ ସକାଳ ୭ଟାରୁ ନଭେମ୍ବର ୩୦ ତାରିଖ ସନ୍ଧ୍ୟା ୬.୩୦ ପର୍ଯ୍ୟନ୍ତ ଏଗଜିଟ ପୋଲ ଦେଖାଇବା, ଛାପିବା ଓ ପ୍ରଚାର କରିବାକୁ ନେଇ ପ୍ରତିବନ୍ଧକ ଲାଗୁ କରାଯାଇଛି । ଆୟୋଗଙ୍କ ପକ୍ଷରୁ ଏନେଇ ନିର୍ଦ୍ଦେଶନାମା ଜାରି କରାଯାଇଛି । ଉପଧାରା (୨)ର ନିୟମକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି । ଏହି ଅବଧି ମଧ୍ୟରେ ପ୍ରିଣ୍ଟ, ବୈଦ୍ୟୁତିକ ବା ଡିଜିଟାଲ ମିଡ଼ିଆ ଜରିଆରେ ଏଗିଜିଟ ପୋଲ ଆୟୋଜିତ କରିବା, ପ୍ରକାଶ କରିବା ବା ପ୍ରଚାର କରିବା ନେଇ ପ୍ରତିବନ୍ଧକ ଲାଗୁ କରାଯାଇଛି ।

ଯଦି କୌଣସି ବ୍ୟକ୍ତି ଏହି ଧାରାର ନିୟମକୁ ଉଲ୍ଲଂଘନ କରୁଥିବା ନେଇ ଧରାପଡ଼ନ୍ତି ତେବେ ତାଙ୍କୁ ଦୁଇ ବର୍ଷ ପାଇଁ ଜେଲଦଣ୍ଡ, ଜରିମାନା ବା ଦୁଇଟି ଯାକ ଦଣ୍ଡରେ ଦଣ୍ଡିତ କରାଯାଇପାରେ ବୋଲି ଆୟୋଗଙ୍କ ପକ୍ଷରୁ ଜାରି ନୋଟିଫିକେସନରେ କୁହାଯାଇଛି । ସୂଚନାଯୋଗ୍ୟ ଯେ, ଆସନ୍ତା ୧୭ରେ ମଧ୍ୟପ୍ରଦେଶର ୨୩୦ଟି ଆସନ ପାଇଁ, ୨୫ରେ ରାଜସ୍ଥାନର ୨୦୦ଟି ଆସନ ପାଇଁ ଓ ୩୦ରେ ତେଲେଙ୍ଗାନାର ୧୧୯ଟି ଆସନ ପାଇଁ ମତଦାନ ଗ୍ରହଣ କରାଯିବ । ଏହାପରେ ଡିସେମ୍ବର ୩ ତାରିଖରେ ଫଳାଫଳ ଘୋଷିତ ହେବ । ପାଞ୍ଚଟି ରାଜ୍ୟର ୬୭୯ଟି ଆସନ ପାଇଁ ମୋଟ ୧୬.୧୪ କୋଟି ଭୋଟର ସେମାନଙ୍କର ପସନ୍ଦର ନେତାଙ୍କୁ ଚୟନ କରିବେ ।

Get real time updates directly on you device, subscribe now.