fbpx

BIG BREAKING: ପୁଣିଥରେ କେଜ୍ରିୱାଲଙ୍କୁ ଇଡିର ସମନ

ନୂଆଦିଲ୍ଲୀ: ପୁଣିଥରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଇଡିର ସମନ। ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ରେ ହାଜର ହେବାକୁ ତୃତୀୟ ଥର ପାଇଁ ତାଙ୍କୁ ସମନ ଜାରି କରାଯାଇଛି। ଆସନ୍ତା ଜାନୁଆରୀ ୩ ତାରିଖରେ ହାଜର ହେବା ପାଇଁ ଏହି ସମନରେ ନିର୍ଦ୍ଦେଶ ରହିଛି। ତେବେ ଏହା ପୂର୍ବରୁ ଇଡି ପକ୍ଷରୁ ଦୁଇ ଥର ସମନ ଜାରି କରାଯାଇଥିବା ବେଳେ କେଜ୍ରିୱାଲ ଆଦୌ ହାଜର ହୋଇନାହାନ୍ତି।

ସୂଚନା ଥାଉକି, ପ୍ରଥମେ ନଭେମ୍ବର ୨ ରେ ଇଡି ଅରବିନ୍ଦ କେଜ୍ରିୱାଲଙ୍କୁ ପଚରାଉଚରା ପାଇଁ ନୋଟିସ ପଠାଇଥିଲା। କିନ୍ତୁ ସେ ଏହି ନୋଟିସକୁ ବେଆଇନ ବୋଲି ଦର୍ଶାଇ ପ୍ରତ୍ୟାହାର କରିବାକୁ ଦାବି କରିଥିଲେ। ଏହା ପରେ ପୁନର୍ବାର ଡିସେମ୍ବର ୧୮ ତାରିଖରେ ତାଙ୍କୁ ପୁଣି ନୋଟିସ ଜାରି କରାଯାଇଥିଲା। ଯେଉଁଥିରେ ତାଙ୍କୁ ଡିସେମ୍ବର ୨୧ (ଗୁରୁବାର) ଦିନ ଇଡି ମୁଖ୍ୟାଳୟରେ ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଥିଲା। କିନ୍ତୁ ଇଡି ପକ୍ଷରୁ ମିଳିଥିବା ସମନ ଜବାବରେ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ କହିଥିଲେ ଯେ ତାଙ୍କର ଲୁଚାଇବାକୁ କିଛି ନାହିଁ ଏବଂ ଏହି ଡାକରା ପ୍ରତ୍ୟାହାର କରାଯିବା ଉଚିତ।

ଏହା ସହ ସେ କହିଥିଲେ ଯେ, ‘ମୁଁ ପ୍ରତ୍ୟେକ ଆଇନଗତ ସମନ ଗ୍ରହଣ କରିବାକୁ ପ୍ରସ୍ତୁତ ଅଛି। କିନ୍ତୁ ପୂର୍ବ ପରି ଇଡିର ଏହି ସମନ ମଧ୍ୟ ବେଆଇନ ଅଟେ। ଇଡିର ସମନ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ, ତେଣୁ ସମନ ପ୍ରତ୍ୟାହାର କରାଯିବା ଉଚିତ୍। ଏହା ଆଗରୁ ସେ କହିଥିଲେ ଯେ “ମୁଁ ମୋ ଜୀବନକୁ ସଚ୍ଚୋଟତା ଏବଂ ସ୍ୱଚ୍ଛତା ସହ ବଞ୍ଚିଛି ଏବଂ ମୋର ଲୁଚାଇବାକୁ କିଛି ନାହିଁ’। ତେବେ ଏଭଳି କିଛି କହି ସେ ଇଡିରେ ହାଜର ହୋଇନଥିଲେ । ହେଲେ ଅନ୍ୟପଟେ ଏହି ମାମଲାରେ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଏବଂ ଆପର ରାଜ୍ୟସଭା ସାଂସଦ ସଞ୍ଜୟ ସିଂହ ବିଚାର ବିଭାଗୀୟ ହାଜତରେ ଅଛନ୍ତି।

Get real time updates directly on you device, subscribe now.