fbpx

ଏକନାଥ ସିନ୍ଦେ ହେବେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ, ଦେବେନ୍ଦ୍ର ଫଡଣବିସଙ୍କ ବଡ ଘୋଷଣା

ମୁମ୍ବାଇ: କିଛି ସମୟ ଆଗକୁ ଖବର ଆସିଥିଲା ଯେ ମହାରାଷ୍ଟ୍ରରେ ତୃତୀୟ ଥର ମୁଖ୍ୟମନ୍ତ୍ରୀ ପଦରେ ଶପଥ ନେବେ ବିଜେପି ନେତା ଦେବେନ୍ଦ୍ର ଫଡଣବିସ। ତେବେ ବାସ୍ତବରେ ମହାରାଷ୍ଟ୍ରରେ କିଏ ସମ୍ଭାଳିବ ଗାଦି। ଏହାର ଆନୁଷ୍ଠାନିକ ଘୋଷଣା ହୋଇ ଯାଇଛି। ଶିବସେନାର ବିଦ୍ରୋହୀ ନେତା ଏକନାଥ ସିନ୍ଦେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ହେବେ। ଆଜି ସନ୍ଧ୍ୟା ୭ଟା୩୦ରେ ସେ ମୁଖ୍ୟମନ୍ତ୍ରୀ ପଦରେ ଶପଥ ନେବେ। ଏକନାଥ ସିନ୍ଦେଙ୍କ ସହ ମିଳିତ ସାମ୍ବାଦିକ ସମ୍ମିଳନୀରେ ଏହା ଘୋଷଣା କରିଛନ୍ତି ଦେବେନ୍ଦ୍ର ଫଡଣବିସ।

ଫଡଣବିସ କହିଛନ୍ତି ଯେ, ଶପଥ ସମାରୋହ ପରେ କ୍ୟାବିନେଟ୍ ବିସ୍ତାର କରାଯିବ। ପରବର୍ତ୍ତୀ ସମୟରେ ଶିବସେନା ଏବଂ ବିଜେପି ନେତା ମନ୍ତ୍ରୀ ପଦର ଶପଥ ନେବେ। ମୁଁ ରାଜ୍ୟ ସରକାରରୁ ବାହାରେ ରହିବି ବୋଲି କହିଛନ୍ତି ଫଡଣବିସ। ସେ କହିଛନ୍ତି ଯେଉଁମାନେ ହିନ୍ଦୁତ୍ଵ ଏବଂ ବୀର ସଭରକରଙ୍କୁ ବିରୋଧ କରନ୍ତି ଶିବସେନା ତାଙ୍କ ସହ ମେଣ୍ଟ କରିଥଲା। ଶିବସେନା ରାଜ୍ୟବାସୀଙ୍କ ଜନାଦେଶକୁ ଅପମାନ କରିଥିଲା। ଜନତା ମହାବିକାଶ ଅଘାଡିକୁ ଭୋଟ୍ ଦେଇନଥିଲେ। ନିର୍ବାଚନରେ ବିଜେପି ସବୁଠୁ ବଡ ପାର୍ଟି ଥିଲା ବୋଲି ଦେବେନ୍ଦ୍ର ଫଡଣବିସ କହିଛନ୍ତି।

 

ଦେବେନ୍ଦ୍ର ଫଡଣବିସ କହିଛନ୍ତି, ଏକନାଥ ସିନ୍ଦେଙ୍କ ନିକଟରେ ଶିବସେନାର ଅଧିକାଂଶ ବିଧାୟକଙ୍କ ସମର୍ଥନ ରହିଛି। ବିଜେପି ଏବଂ ୧୬ ଅନ୍ୟ ନିର୍ଦ୍ଦଳୀୟ ବିଧାୟକ ସିନ୍ଦେଙ୍କୁ ସମର୍ଥନ ଦେବାକୁ ନିଷ୍ପତ୍ତି ନେଇଛୁ। ଉଦ୍ଧବ ଠାକରେଙ୍କ ନେତୃତ୍ଵାଧୀନ ଶିବସେନା ବାଲା ସାହେବ ଠାକରେଙ୍କ ବିଚାରଧାରାକୁ କଣଠେସା କରିଥିଲା।

ସେ କହିଛନ୍ତି ମହାରାଷ୍ଟ୍ର ଇତିହାସରେ ପ୍ରଥମ ତର ସରକାରଙ୍କ ଦୁଇ ଦୁଇ ମନ୍ତ୍ରୀ ଜେଲରେ ଅଛନ୍ତି। ଏହା ପୂର୍ବରୁ ଏମିତି କେବେ ବି ଘଟିନଥିଲା। ବାଲାସାହେବ ସର୍ବଦା ଦାଉଦକୁ ବିରୋଧ କରି ଆସିଥିଲେ। କିନ୍ତୁ ଉଦ୍ଧବ ସରକାରଙ୍କ ମନ୍ତ୍ରୀ ଦାଉଦଙ୍କ ସହ ସଂପର୍କ ରଖିଚାଲିଲେ। ଜେଲ୍ ଯିବା ପରେ ବି ସେମାନଙ୍କୁ ମନ୍ତ୍ରୀ ପଦରୁ ହଟାଗଲା ନାହିଁ। ଏହା ବାଲା ସାହେବଙ୍କ ଅପମାନ। ଶେଷ ମୁହୂର୍ତ୍ତରେ ହିଁ ସମ୍ଭାଜୀନଗର କରାଯାଇଛି।

ଏହି ସମୟରେ ଏକନାଥ ସିନ୍ଦେ କହିଛନ୍ତି, ଆମେ ମହାରାଷ୍ଟ୍ରର ବିକାଶ ପାଇଁ ଏକାଠି ହୋଇଛୁ। ଆମକୁ ମହାବିକାଶ ଅଘାଡି ସରକାରରେ କାମ କରିବାରେ ସମସ୍ୟା ହେଉଥିଲା। ଏହି ବିଷୟରେ ଆମେ ଉଦ୍ଧବ ଠାକରେଙ୍କୁ ଜଣାଇଥିଲୁ। ଆମେ ନିଜ ଆଡକୁ ବୁଝାଇବାକୁ ଚେଷ୍ଟା କରିଥିଲୁ। କିନ୍ତୁ କିଛି ସେ ବୁଝିଲେ ନାହିଁ। ବିଜେପି ସହିତ ଆମର ପୁରାତନ ସଂପର୍କ ରହିଛି ଏବଂ ମେଣ୍ଟରେ ରହିଛୁ। ଆମେ ବାଲା ସାହେବଙ୍କ ବିଚାରକୁ ନେଇ ଆଗକୁ ବଢିଛୁ ବୋଲି ଏକନାଥ ସିନ୍ଦେ କହିଛନ୍ତି।

Get real time updates directly on you device, subscribe now.